Odiapua.com

ପଦପଦବୀର ଲାଳସା; ତୁଟୁନି ପଦବୀର ମୋହ ..

ଭୁବନେଶ୍ୱର: ବିଭିନ୍ନ ପଦପଦବୀକୁ ବିଜେପିରେ ପଦବୀ ନୁହେଁ, ଦାୟିତ୍ୱ ଭାବରେ ବିବେଚନା କରାଯାଏ। କିନ୍ତୁ, ଓଡ଼ିଶା ବିଜେପିରେ ଭିନ୍ନ ସ୍ଥିତି। ଏଠି ଦାୟିତ୍ୱକୁ ପଦବୀ ଭାବରେ ବିବେଚନା କରାଯାଏ। ମୂଳ ଯାହା ଡାଳ ସେୟା। ନିଜକୁ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ମନ୍ତ୍ରୀ ଯେପରି କ୍ଷମତା ମୋହରେ କେବଳ ନିଜର ଆତ୍ମପ୍ରଚାର କରାଇବାରେ ବ୍ୟସ୍ତ, ଚାଟୁକାରୀ କରି ପଦପଦବୀ ମାଡ଼ି ବସିଥିବା ପଦାଧିକାରୀ ମାନେ ମଧ୍ୟ ସେୟା। କର୍ତ୍ତବ୍ୟ କମ୍, ଦଳରେ ଏମାନେ ଅଧିକାର ଅଧିକ ସାବ୍ୟସ୍ତ କରିଥାଆନ୍ତି। ଅଧସ୍ତନ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଏମାନେ ଗୁଡ଼ାଏ ପରାମର୍ଶ ଦେଇଥାଆନ୍ତି, ଶୃଙ୍ଖଳା ଜ୍ଞାନ ଶିଖାଇ ଥାଆନ୍ତି। କିନ୍ତୁ, ନିଜେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏପରି ଏକ ଉଦାହରଣ ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ରଞ୍ଜିତ ଦାସ ଏବେ ବିଜେପିର ଅନ୍ୟତମ ରାଜ୍ୟ ପ୍ରବକ୍ତା ଅଛନ୍ତି। କିନ୍ତୁ ତାଙ୍କ ଫେସବୁକ ଆକାଉଣ୍ଟରେ ସେ ନିଜକୁ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଛତିଶଗଡ଼ ପ୍ରଭାରୀ ଏବଂ ରାଜ୍ୟ ପ୍ରବକ୍ତା ବୋଲି ଲେଖିଛନ୍ତି। ରଞ୍ଜିତ ଦାସ ଏହା ପୂର୍ବରୁ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ। କିନ୍ତୁ, ଏ ଭିତରେ ଦାୟିତ୍ୱ ପରିବର୍ତ୍ତନ ହୋଇସାରିଛି। ନିଜ ଫେସବୁକ ଆକାଉଣ୍ଟରେ ନୂଆ କରି ପାଇଥିବା ରାଜ୍ୟ ପ୍ରବକ୍ତା ପଦବୀଟିକୁ ସେ ଯୋଡ଼ି ଦେଇଛନ୍ତି, କିନ୍ତୁ ପୂର୍ବ ପଦବୀକୁ ଛାଡ଼ି ନାହାଁନ୍ତି। ନିକଟରେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ମଧ୍ୟ ଘୋଷଣା ହୋଇସାରିଛି। ତଥାପି ଠାକୁର ରଞ୍ଜିତ ଦାସଙ୍କର ରାଷ୍ଟ୍ରୀୟ ପଦାଧିକାରୀ ମୋହ ବୋଧେ ତୁଟିନି।
-@DevDrath