Odiapua.com

କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ ହେଉଛି ପୁରୀ, ଯାଜପୁର ମେଡିକାଲ କଲେଜ: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ସେହି କ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୭୧୭ କୋଟି ଟଙ୍କା ଓଡ଼ିଶାକୁ ଦେଇ ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀରେ ମେଡିକାଲ କଲେଜ ନିର୍ମାଣ ପାଇଁ ୫୬୭ କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟକୁ ଦେଇ ସାରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ମେଡିକାଲ ପାଇଁ ୧୦୦ କୋଟି ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ମେଡିକାଲ ପାଇଁ ୫୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ରାଜ୍ୟରେ ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ଭାଗ ଅର୍ଥ ଖର୍ଚ୍ଚ କରିଥାଆନ୍ତି। କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ପ୍ରଦାନ କରି ସାରିଥିବା ବେଳେ ରାଜ୍ୟ ସରକାର ତାଙ୍କ ୪୦ ପ୍ରତିଶତ ଭାଗରୁ କେତେ ଅର୍ଥ ଦେଇଛନ୍ତି ତାହା କାହିଁକି ସ୍ପଷ୍ଟ କରୁ ନାହାଁନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟରେ ମେଡିକାଲ କଲେଜ ସ୍ଥାପନା କରିବାର ନିଷ୍ପତି ରାଜ୍ୟ ସରକାର କ୍ୟାବିନେଟରେ ନେଇଛନ୍ତି ବୋଲି ମିଥ୍ୟା କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି। ପର ଘର ତିଅଣରେ ଅତିଥୀ ସତ୍କାର କରୁଛନ୍ତି ରାଜ୍ୟ ସରକାର। ଅତୀତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତାକୁ ବିଜୁ ପକ୍କା ଘର ଖାତାରେ ପକାଇବା, ଟଙ୍କିକିଆ ଚାଉଳ ଓ ୧୦୮ ଆମ୍ବୁଲାନ୍ସକୁ ନିଜର ବୋଲି ପ୍ରଚାର କରିବା ଭଳି ମେଡିକାଲ କଲେଜର ଶ୍ରେୟ ମଧ୍ୟ ନେବା ପାଇଁ ଅପଚେଷ୍ଟା କରୁଛନ୍ତି ନବୀନ ସରକାର। କିନ୍ତୁ ବାସ୍ତବରେ କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ ହେଉଛି ପୁରୀ ଓ ଯାଜପୁର ସମେତ ରାଜ୍ୟର ୭ଟି ନୂଆ ମେଡିକାଲ କଲେଜ।


କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବା ତ ଦୂରର କଥା ରାଜ୍ୟ ସରକାର ସତ୍ୟ ତଥ୍ୟ ରାଜ୍ୟବାସୀଙ୍କ ଆଗରେ କାହିଁକି ରଖୁ ନାହାଁନ୍ତି ବୋଲି ପ୍ରଶ୍ନ କରିବା ସହ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟର ୪୦ ପ୍ରତିଶତ ଭାଗରୁ ଜମି ବାବଦରେ କେତେ ଖର୍ଚ୍ଚ ହୋଇଛି ଏବଂ ପିସି ବାବଦରେ କେତେ ଖର୍ଚ୍ଚ ହେଇଛି ତାହାର ଲେଖାଯୋଖା ହିସାବ ରାଜ୍ୟ ସରକାର ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ମିଥ୍ୟା ତଥ୍ୟ ଦେଇ ମୋବାଇଲକୁ ମେସେଜ ପଠାଇ ଓଡ଼ିଶାବାସୀଙ୍କୁ ଭଣ୍ଡେଇ ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ସ୍ୱାସ୍ଥ୍ୟଗତ ସୁବିଧା ପାଇ ପାରୁନଥିବା ବେଳେ ରାଜ୍ୟ ସରକାର କାହିଁକି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ସାଧାରଣ ଗରିବ ଲୋକକୁ ଉପକୃତ କରାଉ ନାହାଁନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ୨୦୧୮ ଏପ୍ରିଲ ପରଠାରୁ ମୋଦି ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୩୨୬୨ କୋଟି ଟଙ୍କା ଏବଂ କୋଭିଡ ପାଇଁ ୧୨୨ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ଏହି ଅର୍ଥକୁ କେମିତି ଖର୍ଚ୍ଚ କରିଛନ୍ତି ତାହା ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତି। ଲେଖାଶ୍ରୀଙ୍କ ସମେତ ବିଜେପି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଉପସ୍ଥିତ ଥିଲେ।
-@Dr