Odiapua.com

ମମିତାଙ୍କୁ ନ୍ୟାୟ ପାଇଁ ଦୀପାବଳିରେ ଦୀପଟିଏ ଜାଳିବାକୁ ନିବେଦନ କଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ୨୫ ଦିନ ବିତିଗଲାଣି ଏବଂ ଏହି ବିଭତ୍ସ ହତ୍ୟାକାଣ୍ଡ ସମଗ୍ର ଓଡିଶାବାସୀଙ୍କୁ ଲଜ୍ଜିତ କରିଛି। ମୃତ ଓଡିଆ ଝିଅ ମମିତା ଏବଂ ତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମଗ୍ର ରାଜ୍ୟବାସୀ ଏକାଠି ହୋଇ ସ୍ୱର ଉଠାଇଛନ୍ତି। ସେହି ଦୃଷ୍ଟିରୁ ମମିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳୁ, ଏହା ହିଁ ସାଢ଼େ ଚାରି କୋଟି ଓଡିଆଙ୍କ ଆକାଂକ୍ଷା। ସ୍ୱର୍ଗତଃ ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପବିତ୍ର ଦୀପାବଳୀ ଦିନ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଏକ କୋଟି ଓଡ଼ିଆ ପରିବାରକୁ ବିନମ୍ର ନିବେଦନ କରିଛନ୍ତି। ‘ବିଜେଡି ଶାସନରେ, ମହିଳା ବିପଦରେ’। ସଦ୍ୟ ପ୍ରକାଶିତ ଏନସିଆରବି- ୨୦୨୦ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ହିଂସା ଓ ନିର୍ଯ୍ୟାତନା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ନାରୀ ଅପହରଣ, ଦୁଷ୍କର୍ମ, ବଳାତ୍କାର, ନିଖୋଜ, ଏସିଡ୍ ଆକ୍ରମଣ, ସାଇବର ଅପରାଧରେ ଓଡିଶା ରାଜ୍ୟ ସମଗ୍ର ଦେଶରେ ଆଜି ପ୍ରଥମ ସ୍ଥାନ ଅଧିକାର କରିଛି, ଯାହାକି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲଜ୍ଜା ଓ ଚିନ୍ତାର କାରଣ ସାଜିଛି। ରାଜ୍ୟରେ ପ୍ରତିଦିନ ହାରାହରି ୬ଟି ଦୁଷ୍କର୍ମ ଓ ୯ଟି ଅପହରଣ ହେଉଛି। ହିଂସାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ। ବରଂ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମହିଳା ହିଂସା ବୃଦ୍ଧି ପାଉଥିବାବେଳେ ଏହି କାରଣରୁ ଦଣ୍ଡବିଧାନ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ସେହିପରି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଘଟଣା ମଧ୍ୟ ଚିନ୍ତାର କାରଣ ସାଜିଛି। ଓଡ଼ିଶାରେ ବିଜେଡି ଶାସନରେ ମହିଳାମାନେ ବିପଦରେ ଅଛନ୍ତି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
-@Dr