Odiapua.com

ବିଜେଡି ବିଧାୟକଙ୍କ କାରନାମା ରାଜ୍ୟର ଛବିକୁ ସାରା ଦେଶରେ ଖରାପ କରିଛି: ଡ. ସମ୍ବିତ ପାତ୍ର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନୀ ମଣ୍ଡଳୀ ବିଜେଡି ବିଧାୟକ ମଦ୍ୟପାନ କରି ୨୫ରୁ ଅଧିକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ୨୨ରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଚିକିତ୍ସାଧିନ ଅଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଏମ୍ସ ଯାଇ ଗୁରୁତର ଆହତମାନଙ୍କୁ ଭେଟିଛନ୍ତି। ଏହାପରେ ଏହା ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି, ଲୋକଙ୍କ ହାତ, ଗୋଡ଼ ଭାଙ୍ଗିଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଛି ଏବଂ ଅଧିକାଂଶ ଆହତ ମହିଳା। ମଦ୍ୟପାନ କରି ଦିନ ଦ୍ୱିପହରରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ଜଘନ୍ୟ ଘଟଣା ନିନ୍ଦନୀୟ। ଏହା କେବଳ ବିଜେଡ଼ିର ଅହଙ୍କାରର ପରାକାଷ୍ଠା। ଚିଲିକାର ଉଭୟ ବ୍ଳକର ଚେୟାରମ୍ୟାନ୍ ନିର୍ବାଚନରେ ବିଜେପି ଜିତିଛି। ବାଣପୁରରେ ନିର୍ବାଚନ ଚାଲିଥିବା ସମୟରେ ହାରିବା ଭୟରେ ବିଧାୟକ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ବ୍ୟାଘାତ ସୃଷ୍ଟି କରିବାକୁ ଯାଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଚେଷ୍ଟା କରିଛନ୍ତି।ଏହା ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଚେଷ୍ଟା।ବିଧାୟକ ପ୍ରଶାନ୍ତ ଜଗଦେବ ଜଣେ ଅଭ୍ୟାସଗତ ଅପରାଧି। ପୂର୍ବରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ସତ୍ତ୍ୱେ ସେ ଦଳରୁ ନିଲମ୍ବିତ ହୋଇନଥିଲେ ଏବଂ ପୁଣି ଦଳରୁ ନିର୍ବାଚନ ଲଢ଼ିଥିଲେ। ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲେ ମଧ୍ୟ ଏହା ନାଟକ ଥିଲା କାରଣ ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେଡିର ସମସ୍ତ ବୈଠକରେ ଭାଗ ନେଇଥିଲେ। ୫ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ୪ଟି ରାଜ୍ୟରେ ବିଜେପି ସରକାର ଗଢ଼ିଛି, ହେଲେ କୌଣସି ରାଜ୍ୟରେ ହିଂସା ହୋଇ ନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରେ ଏଭଳି ଘଟଣା ନିନ୍ଦନୀୟ। ବିଜେଡି ବିଧାୟକଙ୍କ କାରନାମା ରାଜ୍ୟର ଛବିକୁ ସାରା ଦେଶରେ ଖରାପ କରିଛି।ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମ୍ବିତ ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।
-/Dr