Odiapua.com

ଲଦାଖର ପୂର୍ବ ସୀମା ପରିସ୍ଥିତି ସମ୍ପର୍କରେ ସେପ୍ଟେମ୍ବର ୧୫ ତାରିଖରେ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି

ମାନନୀୟ ଅଧ୍ୟକ୍ଷ,

୧- ଆମ ଲଦାଖର ପୂର୍ବ ସୀମାରେ ଜାରି ରହିଥିବା ଗତିବିଧି ସମ୍ପର୍କରେ ଏ ପବିତ୍ର ଗୃହରେ ଜଣାଇବା ଲାଗି ମୁଁ ଆଜି ଉପସ୍ଥିତ ହୋଇଛି। ଆପଣମାନେ ଅବଗତ ଥିବେ ଯେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଦାଖ ଗସ୍ତ କରି ଆମର ବୀର ଯବାନମାନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେ ଯବାନଙ୍କ କାର୍ଯ୍ୟ ପ୍ରତି ଦେଶବାସୀଙ୍କ ସମର୍ଥନ ଜଣାଇଥିଲେ। ମୁଁ ମଧ୍ୟ ଆମ ସେନାବାହିନୀର ବୀର ଯବାନଙ୍କ ସହିତ ଲଦାଖରେ କିଛି ସମୟ ବିତାଇଛି ଏବଂ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ମୁଁ ସେମାନଙ୍କର ଅବିସ୍ମରଣୀୟ ସାହସ, ବୀରତ୍ୱ ଏବଂ ପରାକ୍ରମକୁ ଅନୁଭବ କରିଛି। ଆପଣମାନେ ସମସ୍ତେ ଅବଗତ ଅଛନ୍ତି ଯେ ଭାରତୀୟ ସୀମାର ଅଖଣ୍ଡତାକୁ ସୁରକ୍ଷିତ ରଖିବା ନିମନ୍ତେ କର୍ଣ୍ଣେଲ ସନ୍ତୋଷ ବାବୁ ଏବଂ ତାଙ୍କର ୧୯ ଜଣ ବୀର ଯବାନ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ମାନନୀୟ ଅଧ୍ୟକ୍ଷ, ଗତକାଲି ଏହି ସଦନ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଥିଲା।

୨- ଚୀନ ସହିତ ଆମର ସୀମା ବିବାଦ ସମ୍ପର୍କରେ କେତେକ ବିସ୍ତୃତ ସୂଚନା ଦେବା ପୂର୍ବରୁ ମୁଁ ପ୍ରଥମେ କିଛି ସମୟ ନେବାକୁ ଚାହୁଁଛି। ଏ ସଦନ ଅବଗତ ଅବଗତ ଅଛି ଯେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବର୍ତ୍ତମାନସୁଦ୍ଧା ସମାଧାନ ହୋଇନାହିଁ। ଭାରତ ଓ ଚୀନ ମଧ୍ୟରେ ରହିଥିବା ସୀମାର ପ୍ରଥାଗତ ଏବଂ ପାରମ୍ପରିକ ସୀମାରେଖାକୁ ଚୀନ ଗ୍ରହଣ କରୁନାହିଁ। ଆମେ ବିଶ୍ୱାସ କରୁ ଯେ ଏହି ସୀମାରେଖା ସନ୍ଧି ଓ ଚୁକ୍ତି ମାଧ୍ୟମରେ ସୁନିଶ୍ଚିତ ତଥା ଐତିହାସିକ ଉପଯୋଗ ଏବଂ ଅଭ୍ୟାସ ଜରିଆରେ ବହୁପ୍ରତିଷ୍ଠିତ ଭୌଗଳିକ ନୀତି ଉପରେ ଆଧାରିତ, ଯାହା ଶହ ଶହ ବର୍ଷ ଧରି ଉଭୟ ପକ୍ଷ ଜାଣିଛନ୍ତି। ତେବେ, ଚୀନ ଧରିନେଇଛି ଯେ, ଦୁଇ ଦେଶ ମଧ୍ୟରେ ସୀମା ବିଧିବଦ୍ଧ ଭାବେ ନିର୍ଦ୍ଧାରଣ କରାଯାଇନାହିଁ। ସେମାନେ ନିଜର ବୋଲି ଦାବି କରୁଥିବା ଏକ ପାରମ୍ପରିକ ସୀମାରେଖାକୁ ଉଭୟ ଦେଶ ଐତିହାସିକ ଭାବେ ଉପଯୋଗ କରିଆସୁଛନ୍ତି। ପାରମ୍ପରିକ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ଅବଧାରଣା କରହିଛି। ଦୁଇ ଦେଶ ୧୯୫୦-୬୦ ଦଶକରେ ପରସ୍ପର ସହ ଆଲୋଚନା କରିଥିବା ବେଳେ ସେଥିରୁ କୌଣସି ଆପୋସ ଗ୍ରହଣଯୋଗ୍ୟ ସମାଧାନ ବାହାରିପାରିନଥିଲା।

୩- ସଦନ ଏ ବିଷୟରେ ଅବଗତ ଅଛି ଯେ ଚୀନ ବେଆଇନ ଭାବେ ଲଦାଖ କେନ୍ଦ୍ରଶାସିତ ପ୍ରଦେଶର ୩୮, ୦୦୦ ବର୍ଗକିମି ଅଞ୍ଚଳକୁ ଜବରଦଖଲ କରି ନେଇଛି। ଏଥିସହିତ ତଥାକଥିତ ଚୀନ-ପାକିସ୍ତାନ ‘ସୀମା ଚୁକ୍ତି’ ୧୯୬୩ ଅନ୍ତର୍ଗତ ପାକିସ୍ତାନ ବେଆଇନ ଭାବେ ପାକ ଅଧିକୃତ କଶ୍ମୀରର ୫, ୧୮୦ ବର୍ଗ କିମି ଭାରତୀୟ ଅଞ୍ଚଳକୁ ଚୀନ ହାତକୁ ଟେକି ଦେଇଛି। ଭାରତ-ଚୀନ ସୀମା ଅରୁଣାଚଳ ପ୍ରଦେଶରେ ୯୦, ୦୦୦ ବର୍ଗକିମି ଅଞ୍ଚଳ ଉପରେ ଚୀନ ନିଜ ଅଧିକାର ଦାବି କରୁଛି।

୪- ଉଭୟ ଭାରତ ଓ ଚୀନ ବିଧିବଦ୍ଧ ଭାବେ ସହମତ ହୋଇଛନ୍ତି ଯେ ସୀମା ପ୍ରଶ୍ନ ଏକ ଜଟିଳ ପ୍ରସଙ୍ଗ। ଏହାର ସମାଧାନ ପାଇଁ ଧୈର୍ଯ୍ୟ ଆବଶ୍ୟକ। ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ବିଚାରବିମର୍ଶ ମାଧ୍ୟମରେ ଏକ ଯଥାର୍ଥ, ଯୁକ୍ତିଯୁକ୍ତ ଏବଂ ପାରସ୍ପରିକ ଗ୍ରହଣୀୟ ସମାଧାନ ପାଇଁ ଉଭୟ ପ୍ରତିଶ୍ରୁତିବଦ୍ଧ। ଦ୍ୱିପାକ୍ଷିକ ସମ୍ପର୍କର ଆଧାରକୁ ଆହୁରି ସୁଦୃଢ଼ କରିବା ଲାଗି ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ନିମନ୍ତେ ଅନ୍ତରୀଣ ଭାବେ ଉଭୟ ପକ୍ଷ ରାଜି ହୋଇଛନ୍ତି।

୫- ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଯେ ଏବେସୁଦ୍ଧା ଭାରତ ଓ ଚୀନ ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳରେ କୌଣସି ବାସ୍ତବ ନିର୍ଦ୍ଧାରିତ ନିୟନ୍ତ୍ରଣ ରେଖା (ଏଲଏସି) ନାହିଁ ଏବଂ ସମ୍ପୂର୍ଣ୍ଣ ଏଲଏସିକୁ ନେଇ କୌଣସି ଆପୋସ ଅବଧାରଣା ନାହିଁ। ତେଣୁ, ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଲାଗି, ବିଶେଷ କରି ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) କ୍ଷେତ୍ରରେ, ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ଓ ରାଜିନାମା ହୋଇଛି।

୬- ଏହି ରାଜିନାମା ଅନ୍ତର୍ଗତ, ଦୁଇ ଦେଶ ସେମାନଙ୍କର ସୀମା ବିବାଦ ଏବଂ ଏଲଏସିର ସୀମାରେଖା ଉପରେ ନିଜ ନିଜର ନିର୍ଦ୍ଦିଷ୍ଟ ସ୍ଥିତିକୁ ଉଲ୍ଲଙ୍ଘନ ନକରି ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ସହମତ ହୋଇଛନ୍ତି। ଏହାକୁ ଆଧାର କରି ଆମର ସାମଗ୍ରିକ ସମ୍ପର୍କ ମଧ୍ୟ ୧୯୮୮ ପରଠାରୁ ପ୍ରଗତି ହାସଲ କରିଚାଲିଛି। ଭାରତର ସ୍ଥିତି ହେଉଛି ଯେ ସୀମା ବିବାଦ ସମାଧାନ ଲାଗି ଆଲୋଚନା ସହିତ ସମାନ୍ତରାଳ ଭାବେ ଦ୍ୱିପାକ୍ଷିକ ସମ୍ପର୍କ ଆଗେଇ ପାରିବ। ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ କୌଣସି ପ୍ରକାରର ଗମ୍ଭୀର ଅଶାନ୍ତି ଓ ଅସ୍ଥିରତାର ପ୍ରତିକୂଳ ପ୍ରଭାବ ଆମ ସମ୍ପର୍କର ସକାରାତ୍ମକ ଦିଗ ଉପରେ ପଡ଼ିବ।

୭- ୧୯୯୩ ଏବଂ ୧୯୯୬ରେ ହୋଇଥିବା ଉଭୟ ରାଜିନାମାର ଏକ ପ୍ରମୁଖ ଉପାଦାନ ହେଉଛି ଯେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ପକ୍ଷ ସେମାନଙ୍କର ସେନାବାହିନୀକୁ ସର୍ବନିମ୍ନ ସ୍ତରରେ ନିୟୋଜିତ କରିବେ। ରାଜିନାମାରେ ଆହୁରି ଦର୍ଶାଯାଇଛି ଯେ ସୀମା ବିବାଦର ଚୁଡ଼ାନ୍ତ ସମାଧାନ ନହେବା ପର୍ଯ୍ୟନ୍ତ ଉଭୟ ପକ୍ଷ ବାସ୍ତବ ନିୟନ୍ତ୍ରଣ ରେଖାକୁ କଡ଼ାକଡ଼ି ଭାବେ ସମ୍ମାନ ଏବଂ ପାଳନ କରିବେ। ଆପୋସ ସୀମା ନିର୍ଦ୍ଧାରଣ ବୁଝାମଣାରେ ପହଞ୍ଚିବା ଲାଗି ବାସ୍ତବ ନିୟନ୍ତ୍ରଣ ରେଖାର ସ୍ପଷ୍ଟତା ଓ ସୁନିଶ୍ଚିତତା ପାଇଁ ଭାରତ ଓ ଚୀନ ପ୍ରତିବଦ୍ଧ ବୋଲି ଏହି ରାଜିନାମରେ ବ୍ୟବସ୍ଥା ରହିଛି। ତେଣୁ ୯୦ ଦଶକର ଶେଷ ଭାଗରୁ ୨୦୦୩ ପର୍ଯ୍ୟନ୍ତ ଉଭୟ ପକ୍ଷ ଏଲଏସିରେ ସ୍ପଷ୍ଟତା ଓ ସୁନିଶ୍ଚିତତା ଆଣିବା ଲାଗି ଉଦ୍ୟମ କରିଆସିଥିଲେ। କିନ୍ତୁ, ଏହା ପରେ, ଚୀନ ପକ୍ଷ ଏଲଏସି ସ୍ପଷ୍ଟତା ଅଭ୍ୟାସକୁ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କଲେନାହିଁ। ଯାହାଫଳରେ, କେତେକ କ୍ଷେତ୍ରରେ ଏଲଏସିକୁ ନେଇ ଭାରତ ଓ ଚୀନର ଧାରଣା ପରସ୍ପର ବିରୋଧୀ ହୋଇଗଲା। ଏସବୁ କ୍ଷେତ୍ର ସମେତ ଅନ୍ୟ ସୀମାବର୍ତ୍ତୀ କ୍ଷେତ୍ରର ପରିଚାଳନା ସଂକ୍ରାନ୍ତରେ କେତେଗୁଡ଼ିଏ ରାଜିନାମା ରହିଛି। ଏଥିରେ ଉଭୟ ପକ୍ଷର ସେନାବାହିନୀର କାର୍ଯ୍ୟକଳାପ ଏବଂ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ସଂଘର୍ଷ ପରିସ୍ଥିତିର ମୁକାବିଲା ନିମନ୍ତେ ବ୍ୟବସ୍ଥା ରହିଛି।

୮- ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସଦନକୁ ଅବଗତ କରାଇବା ପୂର୍ବରୁ ମୁଁ ସୂଚନା ଦେବାକୁ ଚାହେଁ ଯେ କେନ୍ଦ୍ରୀୟ ପୋଲିସ ବାହିନୀ ଏବଂ ତିନି ସେନାର ଗୁଇନ୍ଦା ସଂସ୍ଥା ସମେତ ବିଭିନ୍ନ ଗୁଇନ୍ଦା ସଂସ୍ଥା ମଧ୍ୟରେ ଏକ ବିସ୍ତୃତ ଏବଂ ସମୟ ପରିକ୍ଷିତ ସମନ୍ୱୟ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି। ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ବୈଷୟିକ ଏବଂ ମାନବୀୟ ଗୁଇନ୍ଦା ସୂଚନା ସଂଗ୍ରହ କରାଯାଉଛି। ଏହା ସେନାବାହିନୀକୁ ଯୋଗାଇ ଦିଆଯାଉଛି ଯାହାକି ସେମାନଙ୍କୁ ନିଷ୍ପତ୍ତି ନେବାରେ ସହାୟକ ହେଉଛି।

୯- ଚଳିତ ବର୍ଷର ପରିସ୍ଥିତି ସମ୍ପର୍କରେ ଏବେ ମୁଁ ଗୃହକୁ ଅବଗତ କରାଇବାକୁ ଚାହିଁବି। ଏପ୍ରିଲ ପରଠାରୁ, ଆମେ ଦେଖିବାକୁ ପାଇଲୁ ଯେ ପୂର୍ବ ଲଦାଖକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ଚୀନ ପକ୍ଷରୁ ଅଧିକ ସଂଖ୍ୟାରେ ସେନା ଓ ଅସ୍ତ୍ରଶସ୍ତ୍ର ନିୟୋଜିତ କରାଯାଉଛି। ମେ ମାସ ପ୍ରାରମ୍ଭରେ, ଗଲୱାନ୍ ଉପତ୍ୟକା ଅଞ୍ଚଳରେ ଚୀନ ପକ୍ଷରୁ ଆମ ସେନାବାହିନୀର ପାରମ୍ପରିକ ପାଟ୍ରୋଲିଂ କାର୍ଯ୍ୟକୁ ବାଧା ଦେବା ଓ ସ୍ୱାଭାବିକ ସ୍ଥିତିକୁ ବିଗାଡ଼ିବା ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା, ଯାହାଫଳରେ ଉଭୟ ପକ୍ଷ ମୁହାଁମୁହିଁ ହେବାର ପରିସ୍ଥିତି ଉପୁଜିଥିଲା। ଆମର ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ ଗ୍ରାଉଣ୍ଡ କମାଣ୍ଡରମାନଙ୍କ ଦ୍ୱାରା ଏହି ପରିସ୍ଥିତିର ସମାଧାନ କରିବା ଲାଗି ପ୍ରୟାସ କରାଯାଉଥିବା ବେଳେ ମେ ମାସ ମଧ୍ୟଭାଗରେ ଚୀନ ପକ୍ଷ ପଶ୍ଚିମ କ୍ଷେତ୍ରର ଅନ୍ୟ ଭାଗରେ ଏଲଏସି ଅତିକ୍ରମ କରିବା ଲାଗି ଏକାଧିକ ବାର ଉଦ୍ୟମ କରିଥିଲେ। ଏହା ମଧ୍ୟରେ ରହିଛି କୋଙ୍ଗକା ଲା, ଗୋଗ୍ରା ଏବଂ ପଙ୍ଗୋଙ୍ଗ ହ୍ରଦର ଉତ୍ତର ତଟ। ଏହି ଉଦ୍ୟମକୁ ଆଗୁଆ ଠାବ କରାଯାଇଥିଲା ଏବଂ ଆମର ସେନାବାହିନୀ ଏହାର ଉପଯୁକ୍ତ ଜବାବ ଦେଇଥିଲେ।

୧୦- ଆମେ କୂଟନୈତିକ ଏବଂ ସାମରିକ ସ୍ତରରେ ଚୀନକୁ ସ୍ପଷ୍ଟ ଭାବେ ଜଣାଇ ଦେଇଛୁ ଯେ ଏପରି ଉଦ୍ୟମ ଫଳରେ ଚୀନ ପକ୍ଷ ଆପୋସ ଭାବେ ସହମତ ଯଥାସ୍ଥିତିକୁ ଉଲ୍ଲଙ୍ଘନ କରିଛନ୍ତି। ଏହା ଗ୍ରହଣୀୟ ନୁହେଁ ବୋଲି ଅପରପକ୍ଷକୁ ବିଶେଷ ଭାବେ ଜଣାଇ ଦିଆଯାଇଛି।

୧୧- ଏଲଏସିରେ ବର୍ଦ୍ଧିତ ସଂଘର୍ଷକୁ ଦୃଷ୍ଟିରେ ରଖି ଉଭୟ ପକ୍ଷର ବରିଷ୍ଠ କମାଣ୍ଡରମାନଙ୍କୁ ନେଇ ଜୁନ ୬ ୨୦୨୦ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଉଭୟପକ୍ଷ ପୂର୍ବସ୍ଥିତିକୁ ଫେରି ଆସିବା ଲାଗି ସହମତ ହୋଇଥିଲେ। ଉଭୟ ପକ୍ଷ ବାସ୍ତବ ନିୟନ୍ତ୍ରଣ ରେଖାକୁ ସମ୍ମାନ ଜଣାଇବା ଓ ମାନିବା ଏବଂ ଯଥାସ୍ଥିତିକୁ ଉଲ୍ଲଙ୍ଘନ କରିବା ଭଳି କୌଣସି ପଦକ୍ଷେପ ଗ୍ରହଣ ନକରିବା ଲାଗି ସହମତ ହୋଇଥିଲେ। ତେବେ ଚୀନ ପକ୍ଷରୁ ସୀମା ଉଲ୍ଲଙ୍ଘନ କରାଯିବା ପରେ ଜୁନ ୧୫ ତାରିଖରେ ଗଲୱାନ ଠାରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଆମର ବୀର ଯବାନମାନେ ପ୍ରାଣବଳି ଦେଇ ଚୀନ ପକ୍ଷରେ ବ୍ୟାପକ କ୍ଷତି ଘଟାଇଥିଲେ ଯେଉଁଥିରେ ମୃତକମାନେ ମଧ୍ୟ ସାମିଲ ରହିଛନ୍ତି।

୧୨- ଏ ସମସ୍ତ ଘଟଣାରେ ଆମ ସେନାବାହିନୀର ବ୍ୟବହାର ଦର୍ଶାଉଛି ଯେ ମୁହାଁମୁହିଁ ହେବାର ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ସମୟରେ ସେମାନେ ‘ସଂଯମ’ ବଜାୟ ରଖିଛନ୍ତି, ଅନୁରୂପ ଭାବେ ଭାରତର କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ଲାଗି ‘ଶୌର୍ଯ୍ୟ’ର ପ୍ରଦର୍ଶନ କରିଛନ୍ତି। ସମସ୍ତଙ୍କୁ ନିରାପଦ ଏବଂ ସୁରକ୍ଷିତ ରଖିବା ଲାଗି ସବୁଠୁ କଷ୍ଟକର ପରିସ୍ଥିତିରେ ଆମର ବୀର ଯବାନମାନେ ଅତ୍ୟଧିକ କଷ୍ଟ ସହି ଯେଉଁ ସାହସ ଓ ବୀରତାର ପ୍ରଦର୍ଶନ କରିଛନ୍ତି ସେଥିପାଇଁ ସେମାନଙ୍କୁ ସମ୍ମାନ ଜଣାଇବା ଲାଗି ମୋ ସହିତ ଆଗେଇ ଆସିବା ଲାଗି ମୁଁ ସଦନକୁ ନିବେଦନ କରୁଛି।

୧୩- ଆମ ସୀମାର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତା ଉପରେ କେହି ସନ୍ଦେହ ରଖିବା ଅନୁଚିତ। ଭାରତ ବିଶ୍ୱାସ କରେ ଯେ ପାରସ୍ପରିକ ସମ୍ମାନ ଏବଂ ଆପୋସ ସମ୍ବେଦନଶୀଳତା ପଡ଼ୋଶୀମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କର ଆଧାର। ଆମେ ଆଲୋଚନା ମାଧ୍ୟମରେ ବର୍ତ୍ତମାନର ପରିସ୍ଥିତିକୁ ସମାଧାନ କରିବା ଲାଗି ଚାହୁଁଥିବାରୁ ଚୀନ ପକ୍ଷ ସହିତ ଆମେ କୂଟନୈତିକ ଏବଂ ସାମରିକ କଥାବାର୍ତ୍ତା ଜାରି ରଖିଛୁ। ଏହି ଆଲୋଚନାରେ ଆମେ ଆମର ଆଭିମୁଖ୍ୟକୁ ନିର୍ଦ୍ଧାରିତ କରିବା ଲାଗି ତିନୋଟି ପ୍ରମୁଖ ନୀତିକୁ ବଜାୟ ରଖିଛୁ : (i) ଉଭୟ ପକ୍ଷ କଡ଼ାକଡ଼ି ଭାବେ ଏଲଏସିକୁ ସମ୍ମାନ ଜଣାଇବେ ଓ ମାନି ଚଳିବେ; (ii) କୌଣସି ପକ୍ଷ ଏକପାଖିଆ ଭାବେ ଯଥାସ୍ଥିତିକୁ ଉଲ୍ଲଙ୍ଘନ କରିବା ଲାଗି ଉଦ୍ୟମ କରିବେ ନାହିଁ; (iii) ଦୁଇ ପକ୍ଷ ମଧ୍ୟରେ ସମସ୍ତ ରାଜିନାମା ଏବଂ ବୁଝାମଣାକୁ ସେମାନେ ସମ୍ପୂର୍ଣ୍ଣ ଭାବେ ମାନି ଚଳିବେ। ଚୀନ ପକ୍ଷ ସେମାନଙ୍କ ପକ୍ଷରୁ ପରିସ୍ଥିତିକୁ ଦାୟିତ୍ୱସମ୍ପନ୍ନ ଢଙ୍ଗରେ ସମାଧାନ କରିବା ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ରାଜି ହୋଇଥିଲେ।

୧୪- ଏପରିକି ଏହି ଆଲୋଚନା ଚାଲିଥିବା ସମୟରେ ଚୀନ ପକ୍ଷ ପୁଣିଥରେ ୨୯ ଏବଂ ୩୦ ଅଗଷ୍ଟ ରାତିରେ ଉତ୍ତେଜନାମୂଳକ ସାମରିକ ଗତିବିଧିରେ ସମ୍ପୃକ୍ତ ରହିଥିଲେ ଏବଂ ସେମାନେ ପୋଙ୍ଗଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ ତଟରେ ଯଥାସ୍ଥିତିକୁ ପରିବର୍ତ୍ତନ କରିବା ଲାଗି ଚେଷ୍ଟା କରିଥିଲେ। କିନ୍ତୁ ପୁଣିଥରେ, ଯଥାସମୟରେ ଆମର ସେନାବାହିନୀର ଦୃଢ଼ ପଦକ୍ଷେପ ଯୋଗୁ ଏଲଏସିରେ ସେମାନଙ୍କର ଏହି ଉଦ୍ୟମ ପଣ୍ଡ ହୋଇଥିଲା।

୧୫- ଏସବୁ ଘଟଣାକ୍ରମରୁ ଏହା ସ୍ପଷ୍ଟ ହେଉଛି ଯେ ଚୀନର ପଦକ୍ଷେପ ଆମର ବିଭିନ୍ନ ଦ୍ୱିପାକ୍ଷିକ ରାଜିନାମାର ଉଲ୍ଲଙ୍ଘନ। ଚୀନ ପକ୍ଷରୁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ୧୯୯୩ ଓ ୧୯୯୬ ରାଜିନାମା ବିରୋଧୀ। ବାସ୍ତବ ନିୟନ୍ତ୍ରଣ ରେଖାକୁ ସମ୍ମାନ ଜଣାଇବା ଏବଂ ଏହାକୁ କଡ଼ାକଡ଼ି ଭାବେ ମାନି ଚଳିବା ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାର ଆଧାର ଏବଂ ଏହାକୁ ଉଭୟ ୧୯୯୩ ଓ ୧୯୯୬ ରାଜିନାମାରେ ଗ୍ରହଣ କରାଯାଇଛି। ଆମର ସେନାବାହିନୀ ଅତି ସତର୍କତାପୂର୍ବକ ମାନି ଚଳୁଥିବା ସମୟରେ ଚୀନ ପକ୍ଷ ଏହାର ଉଲ୍ଲଙ୍ଘନ କରିଛନ୍ତି। ସେମାନଙ୍କର କାର୍ଯ୍ୟାନୁଷ୍ଠାନ କାରଣରୁ ଏଲଏସିରେ ବାରମ୍ବାର ମୁହାଁମୁହିଁ ଏବଂ ସଂଘର୍ଷ ଭଳି ସ୍ଥିତି ସୃଷ୍ଟି ହେଉଛି। ଯେପରିକି ମୁଁ ପୂର୍ବରୁ କହିସାରିଛି, ସଂଘର୍ଷ ଭଳି ସ୍ଥିତିର ମୁକାବିଲା ନିମନ୍ତେ ରାଜିନାମାରେ ବିସ୍ତୃତ ପ୍ରକ୍ରିୟା ଏବଂ ନିୟମାବଳୀ ରହିଛି। ତେବେ, ଚଳିତ ବର୍ଷର ସାମ୍ପ୍ରତିକ ଘଟଣାକ୍ରମଗୁଡ଼ିକ ସମସ୍ତ ଆପୋସ ସହମତ ନିୟମଗୁଡ଼ିକର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ।

୧୬- ବର୍ତ୍ତମାନସୁଦ୍ଧା, ଚୀନ ପକ୍ଷ ଏଲଏସି ଏବଂ ତତସଂଲଗ୍ନ ଅଞ୍ଚଳଗୁଡ଼ିକରେ ବହୁସଂଖ୍ୟକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଏକତ୍ରିତ କରିଛି। ଗୋଗ୍ରା, କୋଙ୍ଗକା ଲା ଏବଂ ପୋଙ୍ଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଉପକୂଳ ସମେତ ପୂର୍ବ ଲଦାଖରେ ଏକାଧିକ ସଂଘର୍ଷପୂର୍ଣ୍ଣ କ୍ଷେତ୍ର ରହିଛି। ଭାରତର ପ୍ରତିରକ୍ଷା ହିତର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଚୀନ ପଦକ୍ଷେପର ଜବାବରେ ଆମର ସେନାବାହିନୀ ଆବଶ୍ୟକ ମୁକାବିଲା ବ୍ୟବସ୍ଥା କରିଛି। ସଦନ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ ଯେ ଆମ ସେନାବାହିନୀ ସମସ୍ତ ପ୍ରକାରର ଆହ୍ବାନର ମୁକାବିଲା କରି ଆମ ସମସ୍ତଙ୍କୁ ଗୌରବାନ୍ବିତ କରିବ। ବର୍ତ୍ତମାନ ଏହି ପରିସ୍ଥିତି ଜାରି ରହିଛି ଏବଂ ନିଶ୍ଚିତ ଭାବେ ଏଥିରେ କେତେକ ସମ୍ବେଦନଶୀଳ ପ୍ରସଙ୍ଗ ସମ୍ପୃକ୍ତ ରହିଛି। ତେଣୁ ମୁଁ ସର୍ବସାଧାରଣରେ ଅଧିକ ବିବରଣୀ ଦେବା ଲାଗି ସମର୍ଥ ହୋଇପାରିବି ନାହିଁ ଏବଂ ସଦନର ଅବଗତି ନିମନ୍ତେ ଏହା ଯଥେଷ୍ଟ ବୋଲି ମୋର ବିଶ୍ୱାସ।

୧୭- କୋଭିଡ-୧୯ ଭଳି ଆହ୍ବାନପୂର୍ଣ୍ଣ ସମୟରେ ଆମେ ଆଇଟିବିପି ସମେତ ଆମର ସେନାବାହିନୀକୁ ଅଧିକ ସଂଖ୍ୟାରେ ମୂତୟନ କରିଛୁ। ସେମାନଙ୍କର ପଦକ୍ଷେପକୁ ପ୍ରଶଂସା କରାଯିବା ଉଚିତ। ବିଗତ କିଛି ବର୍ଷ ଧରି ସରକାର ସୀମାଞ୍ଚଳରେ ଭିତ୍ତିଭୂମି ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିବା ଯୋଗୁ ମଧ୍ୟ ଏହା ସମ୍ଭବ ହୋଇପାରିଛି। ସଦନ ଏ ବିଷୟରେ ଅବଗତ ଅଛି ଯେ ଗତ ବହୁ ଦଶନ୍ଧି ଧରି ଚୀନ ଜରୁରି ଭିତ୍ତିଭୂମି ନିର୍ମାଣ ଜାରି ରଖିଥିଲା ଯାହା ସୀମାବର୍ତ୍ତୀ କ୍ଷେତ୍ରରେ ସେନା ମୁତୟନ ଲାଗି ସହାୟକ ହେଲା। ତେବେ ଏହାର ଜବାବରେ ଆମ ସରକାର ସୀମା ଭିତ୍ତିଭୂମି ବିକାଶକୁ ପୂର୍ବାପେକ୍ଷା ଦୁଇ ଗୁଣା ବୃଦ୍ଧି କରିବା ଲାଗି ପଦକ୍ଷେପ ନେଇଛନ୍ତି। ଯାହାର ଫଳସ୍ବରୂପ ସୀମାବର୍ତ୍ତୀ କ୍ଷେତ୍ରରେ ଅଧିକ ସଂଖ୍ୟକ ସଡ଼କ ଏବଂ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହା କେବଳ ସ୍ଥାନୀୟ ଲୋକଙ୍କୁ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦେଇନାହିଁ, ବରଂ ଏହା ଆମ ସେନାବାହିନୀକୁ ଉନ୍ନତ ମାଲ ପରିବହନ ସହାୟତା ଯୋଗାଇ ଦେଇଛି। ଫଳରେ ସେମାନେ ସୀମାବର୍ତ୍ତୀ କ୍ଷେତ୍ରରେ ଅଧିକ ସତର୍କ ରହିବା ପାଇଁ ସମର୍ଥ ହୋଇପାରିଛନ୍ତି ଏବଂ ଆବଶ୍ୟକତା ସମୟରେ ପ୍ରଭାବୀ ଢଙ୍ଗରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଛନ୍ତି। ଆସନ୍ତା ବର୍ଷଗୁଡ଼ିକରେ ମଧ୍ୟ ସରକାର ନିଜର ଏହି ଲକ୍ଷ୍ୟ ପ୍ରତି ସଂକଳ୍ପବଦ୍ଧ ରହିବେ।

ମାନନୀୟ ଅଧ୍ୟକ୍ଷ,

୧୮- ମୁଁ ଜୋର ଦେଇ କହିବାକୁ ଚାହେଁ ଯେ, ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ କଥାବାର୍ତ୍ତା ମାଧ୍ୟମରେ ବର୍ତ୍ତମାନର ସୀମାବିବାଦ ସମାଧାନ ଲାଗି ଭାରତ ପ୍ରତିବଦ୍ଧ ରହିଛି। ଆମର ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ମୁଁ ମସ୍କୋଠାରେ ସେପ୍ଟେମ୍ବର ୪ ତାରିଖରେ ମୋର ଚୀନ ପ୍ରତିପକ୍ଷଙ୍କୁ ସାକ୍ଷାତ କରିଥିଲି ଏବଂ ତାଙ୍କ ସହିତ ବ୍ୟାପକ ଆଲୋଚନା ହୋଇଥିଲା। ମୁଁ ସ୍ପଷ୍ଟ ଭାବେ ତାଙ୍କୁ ଆମର ଚିନ୍ତାଗୁଡ଼ିକ ଜଣାଇ ଦେଇଥିଲି, ଏଥିରେ ଅଧିକ ସଂଖ୍ୟକ ସେନା ମୁତୟନ କରିବା, ସେମାନଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଦ୍ବିପାକ୍ଷିକ ରାଜିନାମାର ଉଲ୍ଲଙ୍ଘନ କରି ଏକପାଖିଆ ଭାବେ ଯଥାସ୍ଥିତିକୁ ବଦଳାଇବା ଲାଗି ଚେଷ୍ଟା କରିବା ସାମିଲ ଅଛି। ମୁଁ ଏହା ସ୍ପଷ୍ଟ ଭାବେ ମଧ୍ୟ ଜଣାଇ ଦେଇଥିଲି ଯେ ଆମେ ଏହି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ ଏବଂ ଚୀନ ପକ୍ଷ ଆମ ସହିତ କାମ କରୁ ବୋଲି ଆମର ଆଗ୍ରହ ରହିଛି। କିନ୍ତୁ ଭାରତର ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତା ପ୍ରତି କୌଣସି ସନ୍ଦେହ ରହିବା ଅନୁଚିତ। ମୋର ସହଯୋଗୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟ ଶଙ୍କର ଏହାପରେ ସେପ୍ଟେମ୍ବର ୧୦ ତାରିଖରେ ଚୀନ ବିଦେଶ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଦୁହେଁ ସହମତ ହୋଇଥିଲେ ଯେ ଯଦି ଚୀନ ପକ୍ଷ ଆନ୍ତରିକତାର ସହିତ ଏବଂ ବିଶ୍ୱସ୍ତ ଭାବରେ ଏହାକୁ କାର୍ଯ୍ୟକାରୀ କରନ୍ତି ତା’ହେଲେ ସୀମାରେ ସମ୍ପୂର୍ଣ୍ଣ ଭାବେ ପୂର୍ବସ୍ଥିତି ଫେରିଆସିବ ଏବଂ ଶାନ୍ତି ଓ ସ୍ଥିରତା ବଜାୟ ରହିବ।

୧୯- ସଦନର ସଦସ୍ୟମାନେ ଜାଣନ୍ତି ଯେ, ଅତୀତରେ ଆମର ସୀମାବର୍ତ୍ତୀ କ୍ଷେତ୍ରରେ ଚୀନ ସହିତ ଲଗାତାର ସଂଘର୍ଷ ଭଳି ସ୍ଥିତି ସୃଷ୍ଟି ହୋଇଛି ଯାହାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି। ଯଦିଓ ସେନା ମୁତୟନ ସଂଖ୍ୟା ଏବଂ ସଂଘର୍ଷ କ୍ଷେତ୍ର ଦୃଷ୍ଟିରୁ ଚଳିତ ବର୍ଷର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ, ତଥାପି ଆମେ ବର୍ତ୍ତମାନ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ସଂକଳ୍ପବଦ୍ଧ। ଅନୁରୂପ ଭାବେ ସମସ୍ତ ପ୍ରକାର ପରିସ୍ଥିତି ଲାଗି ଆମେ ଆମ ପ୍ରସ୍ତୁତ ବୋଲି ସଦନକୁ ମୁଁ ଆଶ୍ବାସନା ଦେଉଛି।

୨୦- ମାନନୀୟ ସଭାପତି ଏହି ସଦନର ଏକ ଗୌରବମୟ ପରମ୍ପରା ରହିଛି, ଯେତେବେଳେ ଦେଶ କୌଣସି ସମସ୍ୟାର ସମ୍ମୁଖୀନ ହୋଇଥାଏ, ଏହି ସଦନ ସବୁବେଳେ ନିଜର ଦୃଢ଼ତା ଏବଂ ଏକତା ପ୍ରଦର୍ଶନ କରି ଆମର ସେନାବାହିନୀର ସଂକଳ୍ପ ଏବଂ ପ୍ରତିବଦ୍ଧାତକୁ ସମର୍ଥନ କରି ଆସିଛି। ଏହି ସଦନ ମଧ୍ୟ ସୀମାବର୍ତ୍ତୀ କ୍ଷେତ୍ରରେ ନିୟୋଜିତ ଆମ ସେନାବାହିନୀର ଅଦମ୍ୟ ଉତ୍ସାହ, ସାହସ ଓ ବୀରତ୍ବ ପ୍ରତି ସମ୍ପୂର୍ଣ୍ଣ ବିଶ୍ବାସ ବ୍ୟକ୍ତ କରିଛି।

୨୧- ମୁଁ ଆଶ୍ବାସନା ଦେବାକୁ ଚାହେଁ ଯେ ଆମ ସେନାବାହିନୀର ମନୋବଳ ଏବଂ ଉତ୍ସାହ ଉଚ୍ଚରେ ରହିଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଫଳରେ ଏହି ଆଶ୍ବାସନା ଆହୁରି ସୁଦୃଢ଼ ହୋଇଛି। ଆମର କମାଣ୍ଡର ଏବଂ ଯବାନମାନଙ୍କ ମନରେ ବିଶ୍ବାସ ସୃଷ୍ଟି ହୋଇଛି ଯେ ଆମ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ଲାଗି ସମଗ୍ର ଦେଶ ସେମାନଙ୍କ ପଛରେ ଛିଡ଼ା ହୋଇଛି। ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ, ଉପଯୁକ୍ତ ପୋଷାକ, ବାସସ୍ଥାନ ଏବଂ ପ୍ରତିରକ୍ଷା ସାଧନ ଯୋଗାଇ ଦିଆଯାଉଛି। ଆମ ସେନାବାହିନୀର ପ୍ରତିବଦ୍ଧତା ପ୍ରଶଂସାଯୋଗ୍ୟ। ସେମାନେ ଅତି କମ ଅମ୍ଳଜାନ ଏବଂ ଅତ୍ୟଧିକ ଶୀତଳ ତାପମାତ୍ରାରେ ଦୁର୍ଭେଦ୍ୟ ଉଚ୍ଚତାରେ ରହି ସେବା ଯୋଗାଇବାରେ ସମର୍ଥ। ସେମାନେ ସିଆଚୀନ ଓ କାରଗିଲ ଉପରେ ବହୁ ବର୍ଷ ଧରି ଅନାୟାସ ଭାବେ ଏହା କରିଆସିଛନ୍ତି।

୨୨- ମୁଁ ଏହି ସଦନକୁ ଅବଗତ କରାଇବା ଲାଗି କୁଣ୍ଠାବୋଧ କରିବି ନାହିଁ ଯେ ଆମେ ଲଦାଖରେ ଏକ ଆହ୍ବାନର ସମ୍ମୁଖୀନ ହେଉଛୁ। ଏବଂ ଆମର ସୁରକ୍ଷା ଏବଂ ନିରାପତ୍ତା ଲାଗି ଲଦାଖରେ ପ୍ରତିକୂଳ ପାଣିପାଗ ସତ୍ତ୍ବେ ଆମ ମାତୃଭୂମିର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ଆମ ଯବାନମାନଙ୍କ ସମର୍ଥନ ନିମନ୍ତେ ଏକ ସଂକଳ୍ପ ପାରିତ କରିବା ନିମନ୍ତେ ମୁଁ ସଦନକୁ ଅନୁରୋଧ କରୁଛି। ବର୍ତ୍ତମାନ ସମୟରେ ଏହି ପବିତ୍ର ସଦନ ଏକତ୍ରିତ ହୋଇ ଆମ ସାହସୀ ସେନାବାହିନୀର ବୀରତ୍ବ ପ୍ରତି ଆସ୍ଥା ଓ ବିଶ୍ବାସ ପ୍ରକଟ କରିବା ଏବଂ ଆମ ମାତୃଭୂମିର କ୍ଷେତ୍ରୀୟ ଅଖଣ୍ଡତା ପାଇଁ ସେମାନେ ନେଇଥିବା ଦାୟିତ୍ବରେ ସେମାନଙ୍କୁ ସମର୍ଥନ ଯୋଗାଇବାର ଆବଶ୍ୟକତା ରହିଛି।

ଜୟ ହିନ୍ଦ।”