Odiapua.com

ଧର୍ମଚକ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସମ୍ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀ, ଅନ୍ୟାନ୍ୟ ବିଶିଷ୍ଟ ଅତିଥିବୃନ୍ଦ। ଆଷାଢ ପୂର୍ଣ୍ଣିମାର ଶୁଭ ଅବସରରେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହା ମଧ୍ୟ ଗୁରୁପୂର୍ଣ୍ଣିମା ନାମରେ ପରିଚିତ। ଯେଉଁମାନେ ଆମକୁ ଜ୍ଞାନ ପ୍ରଦାନ କରିଥିଲେ ସେିହ ଗୁରୁମାନଙ୍କୁ ସ୍ମରଣ କରିବାକୁ ଏହି ଦିବସଟି ଉଦ୍ଦିଷ୍ଟ। ଆମେ ସେହି ଭାବନାରେ ଆଜି ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ମଙ୍ଗୋଲିଆ ସରକାରଙ୍କୁ ମଙ୍ଗୋଲୀୟ କଞ୍ଜୁରର ନକଲ ହସ୍ତାନ୍ତର ହେଉଥିବା ଜାଣି ମୁଁ ଖୁସୀ। ମଙ୍ଗୋଲିଆରେ ଏହି ମଙ୍ଗୋଲୀୟ କଞ୍ଜୁରକୁ ଲୋକେ ବିଶେଷ ଭକ୍ତି ଓ ସମ୍ମାନ କରନ୍ତି। ସବୁ ବୌଦ୍ଧ ବିହାରରେ ଏହିସବୁ ଗ୍ରନ୍ଥର ନକଲ ରହିଛି।

ବନ୍ଧୁଗଣ,

ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ଅନେକ ଦେଶ ଓ ସମାଜକୁ ସୁଖ ସମୃଦ୍ଧିର ପଥ ଦେଖାଇଛି। ଏହା ଦୟା ଓ କରୁଣାକୁ ଗୁରୁତ୍ୱ ଦିଏ। ଉଭୟ ବିଚାର ଓ କାର୍ଯ୍ୟରେ ବୁଦ୍ଧଙ୍କ ବାଣୀ ସରଳତାକୁ ଅଗ୍ରାଧିକାର ପ୍ରଦାନ କରେ। ବୁଦ୍ଧଧର୍ମ ସମ୍ମାନର ଶିକ୍ଷା ଦିଏ। ଲୋକଙ୍କୁ ସମ୍ମାନ, ଦରିଦ୍ରଙ୍କୁ ସମ୍ମାନ, ମହିଳାଙ୍କୁ ସମ୍ମାନ, ଶାନ୍ତି ଓ ଅହିଂସାକୁ ସମ୍ମାନ ଆଦି ଏହି ବାଣୀରେ ପ୍ରତିଫଳିତ। ତେଣୁ ବୁଦ୍ଧଙ୍କ ବାଣୀ ଏକ ନିରନ୍ତର ଧାରଣୀୟ ପୃଥିବୀ ଗଠନ ସଂପର୍କରେ ସପକ୍ଷରେ କହେ।

ବନ୍ଧୁଗଣ,

ବୁଦ୍ଧଦେବ ସାରନାଥଠାରେ ତାଙ୍କର ପ୍ରଥମ ଧର୍ମୋପଦେଶରେ ଏବଂ ପରେ ପରେ ତାଙ୍କର ଧର୍ମଶିକ୍ଷାରେ ଦୁଇଟି କଥା କହିଥିଲେ। ସେ ଦୁଇଟି ହେଲା- ଆଶା ଏବଂ ଉଦେଶ୍ୟ। ଏହି ଦୁଇଟି ଭିତରେ ସେ ଦୃଢ ସଂପର୍କ ଦେଖିଥିଲେ। ଆଶାରୁ ଉଦେଶ୍ୟର ଏକ ଚେତନା ଆସେ। ଭଗବାନ ବୁଦ୍ଧଙ୍କ ପାଇଁ ଏହା ଥିଲା ମାନବ ସମାଜର ଦୁଃଖ ଦୂର କରିବା। ଲୋକଙ୍କ ମଧ୍ୟରେ ଆଶା ବଢାଇବା ସହ ତାହାକୁ ପୂରଣ କରିବା ଦିଗରେ ଯାହା କିଛି ସମ୍ଭବ ତାହା କରିବାକୁ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆଗେଇ ଯିବା।

ବନ୍ଧୁଗଣ,

ମୁଁ ଏକବିଂଶ ଶତାବ୍ଦୀ ନେଇ ବିଶେଷ ଆଶାବାଦୀ। ମୋର ଏହି ଆଶା ମୋର ଯୁବବନ୍ଧୁ ଏବଂ ଯୁବ ସମାଜଠାରୁ ଆସିଛି। ଆଶା, ନବସୃଜନ ଓ ଅନୁକମ୍ପା କିପରି ଦୁଃଖ ଦୂର କରିପାରେ ତାହା ଯଦି ଆପଣ ଦେଖିବାକୁ ଚାହାନ୍ତି ତାହାର ଉଦାହରଣ ହେଲା ଷ୍ଟାର୍ଟଅପ୍‌ ଉଦ୍ୟୋଗ। ପ୍ରତିଭାବାନ ଯୁବକ ଯୁବତୀ ଏହା ମାଧ୍ୟମରେ ନାନାଦି ବୈଶ୍ୱିକ ସମସ୍ୟାର ସମାଧାନ ରାସ୍ତା ବାହାର କରୁଛନ୍ତି। ଭାରତରେ ଏକ ବିରାଟ ଷ୍ଟାର୍ଟଅପ୍‌ ପରିବେଶ ରହିଛି।

ମୁଁ ମୋର ଯୁବ ବନ୍ଧୁଗଣଙ୍କୁ ବୁଦ୍ଧଙ୍କ ବାଣୀ ସହ ସଂଯୁକ୍ତ ରହିବାକୁ ପରାମର୍ଶ ଦେବି। ସେମାନେ ଅନୁପ୍ରାଣିତ ହେବେ ଏବଂ ଅନ୍ୟକୁ ଅନୁପ୍ରାଣିତ କରିବେ ତଥା ଆଗକୁ ରାସ୍ତା ଦେଖାଇବେ। ସମୟ ସମୟରେ ମଧ୍ୟ ସେମାନେ ଆପଣଙ୍କୁ ଶାନ୍ତ କରିବେ ଏବଂ ଖୁସୀ ମଧ୍ୟ କରାଇବେ। ଭଗବାନ ବୁଦ୍ଧଙ୍କ ବାଣୀ ‘ଅପ୍ପଃ ଦୀପୋ ଭବଃ’ ଅର୍ଥାତ୍‌ ନିଜେ ନିଜର ପ୍ରଦୀପ ହୁଅ। ବାସ୍ତବରେ ଏକ ଚମତ୍‌କାର ପରିଚାଳନାଗତ ଶିକ୍ଷା।

ବନ୍ଧୁଗଣ,

ଏବେ ବିଶ୍ୱ ଅସାଧାରଣ ଆହ୍ୱାନର ମୁକାବିଲା କରୁଛି। ଏ ସବୁର ସ୍ଥାୟୀ ସମାଧାନ ଭଗବାନ ବୁଦ୍ଧଙ୍କ ବିଚାର ଦ୍ୱାରା ସମ୍ଭବ ହୋଇପାରିବ। ଏ ସବୁ ବିଚାର ଅତୀତରେ ପ୍ରାସଙ୍ଗିକ ଥିଲା। ଏବେ ମଧ୍ୟ ପ୍ରାସଙ୍ଗିକ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ପ୍ରାସଙ୍ଗିକ ରହିବ।

ବନ୍ଧୁଗଣ,

ଏବେ ବୁଦ୍ଧ ଐତିହ୍ୟସ୍ଥଳଗୁଡିକ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବାକୁ ସମୟ ଆସିଛି। ଆମ ଭାରତରେ ଏଭଳି ଅନେକ ସ୍ଥାନ ରହିଛି। ଆପଣମାନେ ଜାଣନ୍ତି ଯେ ମୋ ନିର୍ବାଚନମଣ୍ଡଳୀ ବାରାଣସୀରେ ମଧ୍ୟ ବୌଦ୍ଧପୀଠ ସାରନାଥ ଅବସ୍ଥିତ। ବୌଦ୍ଧସ୍ଥଳୀଗୁଡିକୁ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ନିମନ୍ତେ ଆମେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଅଳ୍ପଦିନ ତଳେ କେନ୍ଦ୍ର ମନ୍ତ୍ରିମଣ୍ଡଳ କୁଶୀନଗର ବିମାନ ଘାଟିକୁ ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ଦେବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଫଳରେ ଅନେକ ଲୋକ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ସେଠାକୁ ଯିବାଆସିବା କରିବାର ସୁବିଧା ପାଇବେ। ଏହା ମଧ୍ୟ ଅନେକଙ୍କ ପାଇଁ ଆର୍ଥିକ ସୁଯୋଗ ଓ ରୋଜଗାର ସୃଷ୍ଟି କରିବ।

ଭାରତ ଆପଣଙ୍କ ଅପେକ୍ଷା କରିଛି।

ବନ୍ଧୁଗଣ,

ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ଭଗବାନ ବୁଦ୍ଧଙ୍କ ବିଚାର ଆପଣମାନଙ୍କୁ ଆଲୋକିତ ଓ ଏକତ୍ର କରୁ ଏବଂ ଭ୍ରାତୃଭାବରେ ବାନ୍ଧିରଖୁ। ତାଙ୍କ ଆଶୀର୍ବାଦ ଆମକୁ ସତ୍‌କର୍ମ କରିବା ପାଇଁ ପ୍ରେରଣା ଦେଉ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।