Odiapua.com

ହନିଟ୍ରାପ୍ ଶିକାରରେ ଅନେକ ରାଜନେତା: ରାଣୀ ମହୁମାଛିଙ୍କ ପାଇଁ ଏବେ ସବୁ ଦଳରେ କମ୍ପନ ..

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓଲିଉଡ୍ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ନେଇ ପୁଲିସ୍ ଯେତେ ଖୋଳତାଡ଼ କରୁଛି, ସେତେ ବଡ଼ବଡ଼ିଆଙ୍କ ଲିଙ୍କ୍‌ ପଦାକୁ ଆସୁଛି। ଏହି ଲିଙ୍କ୍‌ କେତେବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ନେଇ ପହଞ୍ଚାଉଛି ତ’ ଆଉ କେତେବେଳେ ବିଧାୟକ, ମନ୍ତ୍ରୀଙ୍କ ପାଖକୁ ନେଇଯାଉଛି। ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କ ଚେର କେବଳ ଯେ ଓଡ଼ିଶା ଭିତରେ ସୀମିତ ନଥିଲା। ଓଲିଉଡ୍‌ ଲିଙ୍କ୍‌ରେ ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଅଭିନେତା ଓ ପ୍ରତିଷ୍ଠିତ ଲୋକ ବି ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଖାସ୍ ଏଥିପାଇଁ ଅର୍ଚ୍ଚନା କିଛି ଯୁବତୀଙ୍କୁ ରଖି ଦେହ ବ୍ୟବସାୟ ରାକେଟ୍ ଚଲାଇଥିଲେ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ରାଜନେତା ରାଣୀ ମହୁମାଛି ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠାରେ ତାଙ୍କ ଘରକୁ ଆସିଥିଲେ। ସୁନା ଥାଳିରେ ପାଦ ପକାଇବା ପରେ ସେ ଗୃହ ପ୍ରବେଶ କରିଥିଲେ। କଲିକତାରୁ ରୋଷେୟା ଆଣି କୁଆଡ଼େ ୭୦ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନରେ ସଂପୃକ୍ତ ରାଜନେତାଙ୍କୁ ଆପ୍ୟାୟିତ କରାଯାଇଥିଲା ବୋଲି କୁହାଯାଉଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର କିଛି ରାଜନେତା ଏହି ରାଣୀ ମହୁମାଛିଙ୍କ ଜାଲରେ ଫସି ଯାଇଥିବା କୁହାଯାଉଛି।ଏହି ଘଟଣା ଉପରେ ପ୍ରଶ୍ନ ଉଠାଇ ଏହା ଓଡ଼ିଶା ପାଇଁ ଏକ ଅପମାନଜନକ ଖବର ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ମହିଳାଙ୍କ ସ୍ୱାମୀ ନିଜକୁ ବିଜୁ ଜନତା ଦଳର କର୍ମୀ ବୋଲି ନିଜର ସୋସିଆଲ ମିଡ଼ିଆରେ ଦର୍ଶାଇଥିବା ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଓଡ଼ିଶାର ଗୃହ ବିଭାଗ ନିରବଦ୍ରଷ୍ଟା ନସାଜି ଘଟଣାର ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି। ତେବେ, ଏହା ଭିତରେ ଏବେ ଏହି ଘଟଣାରେ ବିଜେପିର କିଛି ନେତାଙ୍କ ସଂପୃକ୍ତି କଥା ମଧ୍ୟ ଉଠୁଛି। ୨୦୨୦ ମସିହାରେ ବିଜେପିର ଜଣେ ପରିଚିତ ନେତାଙ୍କର ସଂପୃକ୍ତ ରାଣୀ ମହୁମାଛିଙ୍କ ସହିତ ବିବାଦ ଘଟି ଘଟଣା ଥାନାକୁ ଯାଇଥିଲା। ପ୍ରତାରଣା, ଠକେଇ ଓ ଭୟ ଦେଖାଇବା ଆଦି ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୧୭, ୫୦୬ ଏବଂ ୩୪ ଆକ୍ଟ ଅନୁଯାୟୀ ଏକ ମାମଲା ମଧ୍ୟ ରୃଜୁ ହୋଇଥିଲା। ଆଜି ବି ସେହି ମାମଲା ବିଚାରଧୀନ ରହିଛି। ସେହିପରି ଭଦ୍ରକ – ବାଲେଶ୍ଵର ଅଞ୍ଚଳର ନେତାଙ୍କ ଠାରୁ ଆରମ୍ଭ କରି କୋରାପୁଟ ଅଞ୍ଚଳର ନେତାଙ୍କ ପର୍ଯ୍ୟନ୍ତ ରାଣୀ ମାହୁମାଛି ଅର୍ଚ୍ଚନାଙ୍କ ସହିତ ସମ୍ପର୍କରେ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏବେ ସବୁ ଦଳ ଭିତରେ ଏକ କମ୍ପନ ସୃଷ୍ଟି ହୋଇଛି।
-/Dr