Odiapua.com

ସୁରେଶ ମୁଖ୍ୟ ଶାସନ ସଚିବ, ଅସିତ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ, ପ୍ରଦୀପ ଉନ୍ନୟନ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ସହ ଉନ୍ନୟନ କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ଅପରପକ୍ଷେ ରାଜ୍ୟ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ ଯେ ସୁବାସ ଚୌହାନଙ୍କ ଦେହାନ୍ତ ପରେ ଏହି ପଦବୀଟି ଖାଲି ପଡ଼ିଥିଲା। ଏଥି ସହିତ ଅସିତ ତ୍ରିପାଠୀ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ ଓ କୃଷିଶିଳ୍ପ ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ। ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ୱର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ’ ନେଇ ତାଙ୍କୁ ସବୁଜ ସଙ୍କେତ ମିଳିଛି। ସାଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ଦିଆଯାଇଛି। ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି। ୧୯୮୬ ବ୍ୟାଚର ଆଇଏଏସ୍ ଅସିତ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନର ଥିବା ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।
-@Dr