Odiapua.com

ସମ୍ବିତଙ୍କୁ ଅପହାସ କରୁଛନ୍ତି ସୁରମା ସମର୍ଥକ ..

ଭୁବନେଶ୍ୱର: ଚାରିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମ୍ବିତ ପାତ୍ର କରୋନା ଆକ୍ରାନ୍ତ କି ନୁହେଁ ତାହା ଟେଷ୍ଟ ପରେ ଜଣାପଡ଼ିବ ବୋଲି କୁହାଯାଇଥିଲା। ତେବେ ଏ’ ନେଇ ସେପରି କୌଣସି ଅଧିକାରିକ ଭାବରେ ସ୍ପଷ୍ଟ କରାଯାଇଥିବା ଜଣାପଡ଼ିନି।

ସମ୍ବିତଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବା ଖବର ପ୍ରକାଶିତ ହେବା ପରେ କେତେକ ବିରୋଧୀ ଏ’ ନେଇ ବିଭିନ୍ନ ଉପାୟରେ ସମ୍ବିତଙ୍କୁ କଟାକ୍ଷ/ ଅପହାସ କରିବାର ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଲା। ସମ୍ବିତ ପାତ୍ରଙ୍କ ଅସୁସ୍ଥତା ନେଇ ଫେକ୍ ଫଟୋ ମଧ୍ୟ ଭାଇରାଲ୍ ହେଲା। ତେବେ, ସମ୍ବିତ ପାତ୍ରଙ୍କ ନିଜ ରାଜ୍ୟ ଓଡ଼ିଶାର ତଥା ସେ ୨୦୧୯ରେ ନିର୍ବାଚନ ଲଢ଼ିଥିବା ତାଙ୍କ ସଂସଦୀୟ କ୍ଷେତ୍ର ପୁରୀ ଅନ୍ତର୍ଗତ ରଣପୁର ବିଧାନସଭା କ୍ଷେତ୍ରରେ ‘ରଣପୁର ବିଜେପି’ ନାମକ ଏକ ଫେସବୁକ୍ ଆକାଉଣ୍ଟରେ ମଧ୍ୟ ସମ୍ବିତ ପାତ୍ରଙ୍କ ଫେକ୍ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ସମ୍ବିତ ପାତ୍ରଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବସିଥିବାର ଦେଖାଯାଇଛି। ସେଥିରେ ଲେଖାଯାଇଛି, ‘କରୋନା ରୋଗରେ ପୀଡ଼ିତ ଆମ ପୁରୀ ସଂସଦୀୟ କ୍ଷେତ୍ରର ପାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଆମ ପ୍ରିୟ ସମ୍ବିତ ଭାଇ ଶିଘ୍ର ସୁସ୍ଥ ହୁଅନ୍ତୁ। ଏତିକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା”। ଏଠାରେ ସୂଚନାଯୋଗ୍ୟ ଯେ ସମ୍ବିତ ପାତ୍ରଙ୍କ ନିକଟରେ କରୋନା ପଜେଟିଭ୍ ରିପୋର୍ଟ ଆସିଛି କି ନାହିଁ ଏବଂ ସେ ଏବେ ଚିକିତ୍ସାଧିନ ଅଛନ୍ତି କି ନାହିଁ ସେ ତ’ ଅଲଗା କଥା। କିନ୍ତୁ, ସମ୍ବିତ ପାତ୍ରଙ୍କ ଟ୍ୱିଟର୍ ଆକାଉଣ୍ଟରୁ ସେହିଦିନ ଠାରୁ ସମୟ ସମୟରେ ଟ୍ୱିଟ୍ କିମ୍ବା ରିଟ୍ୱିଟ୍ ଦେଖିବାକୁ ମିଳୁଛି। ତେଣୁ, ସମ୍ବିତ ପାତ୍ର ଯେ ଏତେଟା ଅସୁସ୍ଥ ହୋଇ ପଡ଼ିଛନ୍ତି, ତାହା ମିଥ୍ୟା ଅନୁଭବ ହେଉଛି।

କିନ୍ତୁ, ସମ୍ବିତଙ୍କର ଫେକ୍ ଫଟୋ ଭାଇରାଲ୍ କରାଯାଉଛି, ଏବଂ ‘ରଣପୁର ବିଜେପି’ ନାମକ ଫେସବୁକ୍ ଆକାଉଣ୍ଟରେ ମଧ୍ୟ ଏପରି ଫେକ୍ ଫଟୋ ପୋଷ୍ଟ କରାଯାଇଛି। ଆଶ୍ଚର୍ଯ୍ୟର କଥା ‘ରଣପୁର ବିଜେପି’ ନାମକ ଏହି ଫେସବୁକ୍ ଆକାଉଣ୍ଟଟି ବିଜେପି ରାଜ୍ୟ ତଥା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପୂର୍ବତନ ଅଧ୍ୟକ୍ଷା, ପୂର୍ବତନ ମନ୍ତ୍ରୀ ତଥା ରଣପୁରର ପୂର୍ବତନ ବିଧାୟିକା ସୁରମା ପାଢ଼ୀଙ୍କ ସମର୍ଥକ ଭାବରେ ଜଣାଶୁଣା। ‘ରଣପୁର ବିଜେପି’ ନାମକ ସେହି ଫେସବୁକ୍ ଆକାଉଣ୍ଟର ପ୍ରୋଫାଇଲ୍ ପିକ୍ଚରରେ ସୁରମା ପାଢ଼ୀଙ୍କ ଫଟୋ ଏବଂ କଭର ଫଟୋରେ ଗ୍ରୁପ୍ ଫଟୋ ଭିତରେ ସୁରମା ପାଢ଼ୀଙ୍କ ଫଟୋ ରହିଛି। ସେଥିରେ ସବୁବେଳେ ସୁରମା ପାଢ଼ୀଙ୍କ ସମର୍ଥନରେ ହିଁ ପୋଷ୍ଟ ଦେଖିବାକୁ ମିଳେ। ଅନେକ ବିଜେପି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମଧ୍ୟ ‘ରଣପୁର ବିଜେପି’ର ଫ୍ରେଣ୍ଡ ଲିଷ୍ଟରେ ଅଛନ୍ତି। ତେବେ, ଏହି ଆକାଉଣ୍ଟରେ ସମ୍ବିତ ପାତ୍ରଙ୍କର କିପରି ଫେକ୍ ଫଟୋ ପୋଷ୍ଟ ହେଲା ତାହା ଆଶ୍ଚର୍ଯ୍ୟ ଲାଗୁଛି। ସମ୍ବିତ ପାତ୍ରଙ୍କ ଅସମୟରେ ତାଙ୍କ ନିଜ ଦଳୀୟ ତଥା ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲୋକ ଏପରି ଫେକ୍ ଫଟୋ ପୋଷ୍ଟ କରାଯାଇଥିବା ଜାଣିବା ପରେ ଏହା ହୁଏତ ସମ୍ବିତ ପାତ୍ରଙ୍କୁ ବ୍ୟଥିତ କରିପାରେ। ସେହିପରି ସୁରମା ପାଢ଼ୀଙ୍କ ସମର୍ଥିତ ଆକାଉଣ୍ଟ ହୋଇଥିବାରୁ ସମ୍ବିତ ପାତ୍ରଙ୍କ ଫେକ୍ ଫଟୋକୁ ଅନେକ ସତ ବୋଲି ଭାବି ନେଉଛନ୍ତି। ଏହି ଫଟୋକୁ ସତ ଭାବି ନେଇଥିବା ଅନେକ ବିଜେପି ସମର୍ଥକ ଯେତେବେଳେ ସତ୍ୟତା ଜାଣିବେ, ହୁଏତ ସୁରମା ପାଢ଼ୀଙ୍କ ଉପରେ ସେମାନଙ୍କ ମନରେ ଏକ ଖରାପ ଧାରଣା ସୃଷ୍ଟି ହୋଇପାରେ। ଏହା ଏକ ତୃଟିପୂର୍ଣ୍ଣ ପୋଷ୍ଟ, ନାଁ ସମ୍ବିତଙ୍କୁ ଅପହାସ କରିବା ପାଇଁ କିମ୍ବା ସୁରମା ପାଢ଼ୀଙ୍କୁ ଅପଦସ୍ତ କରିବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବରେ ଏପରି ଫେକ୍ ଫଟୋ ପୋଷ୍ଟ କରାଯାଇଛି ତାହା ସ୍ପଷ୍ଟ ହେବା ଉଚିତ୍। /-ଦେବଦତ୍ତ ରଥ