Odiapua.com

ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲକୁ ଝଟକା : ସୁପ୍ରିମକୋର୍ଟ ଆମାଜନ ସପକ୍ଷରେ ଦେଲେ ରାୟ

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ରିଲାଏନ୍ସ ଏବଂ ଫ୍ୟୁଚର ଗ୍ରୁପ୍ ମଧ୍ୟରେ ବହୁ ଚର୍ଚ୍ଚିତ ଚୁକ୍ତି ବିରୋଧରେ ଆମାଜନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏହି ରାୟ ଦେଇଛନ୍ତି। ଆମାଜନ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ପ୍ରାୟ ୨୪ ହଜାର କୋଟି ମୂଲ୍ୟର ରିଲାଏନ୍ସ ଏବଂ ଫ୍ୟୁଚର ଗ୍ରୁପର ଡିଲକୁ ବର୍ତ୍ତମାନ ସ୍ଥଗିତ କରାଯାଇଛି।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ସିଙ୍ଗାପୁରରେ ଜରୁରୀକାଳୀନ ଆର୍ବିଟ୍ରେସନର ନିଷ୍ପତ୍ତି ଭାରତରେ ମଧ୍ୟ ପ୍ରଯୁଜ୍ୟ ହେବ। ସୂଚନାଯୋଗ୍ୟଯେ, ରିଲାଏନ୍ସ-ଫ୍ୟୁଚର ଗ୍ରୁପର ନିଷ୍ପତ୍ତି ସିଙ୍ଗାପୁରରେ ହୋଇଥିଲା, ଏହା ପରେ ଆମାଜନ ମଧ୍ୟ ଭାରତରେ ମିଶ୍ରଣ ଚୁକ୍ତି ବିରୋଧରେ ଏକ ପିଟିସନ ଦାଖଲ କରିଥିଲା।

ସୂଚନାଯୋଗ୍ୟଯେ, ଆମାଜନ ପ୍ରଥମେ ୨୪, ୦୦୦ କୋଟି ରିଲାଏନ୍ସ ଏବଂ ଫ୍ୟୁଚର ଗ୍ରୁପର ଚୁକ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲା, ହାଇକୋର୍ଟ ଏହି ଡିଲ୍ ସ୍ଥଗିତ ରଖିବାକୁ ମନା କରିଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲା ଆମାଜନ।

ଦେଶର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ବିଗ୍ ବଜାର ଫ୍ୟୁଚର ଗ୍ରୁପ୍‌ର ଏକ ଅଂଶ। କିଛି ସମୟ ପୂର୍ବରୁ ଖୁଚୁରା ବଜାର ସମ୍ବନ୍ଧରେ ରିଲାଏନ୍ସ ଏବଂ ଫ୍ୟୁଚର ଗ୍ରୁପର ସବୁଠାରୁ ବଡ ଚୁକ୍ତି ହୋଇଥିଲା ଏବଂ ତାହା ୨୪, ୭୧୩ କୋଟି କାରବାର ପରେ ରିଲାଏନ୍ସ ଫ୍ୟୁଚର ଗ୍ରୁପର ମାଲିକାନା ପାଇବାକୁ ଯାଉଥିଲା।

ଏହି ଚୁକ୍ତିରେ ଆମାଜନ ବିରୋଧ କରିଥିଲା, କାରଣ ଫ୍ୟୁଚର ଗ୍ରୁପର ଏକ କମ୍ପାନୀରେ ଆମାଜନର ୪୯ ପ୍ରତିଶତ ଅଂଶଧନ ଥିଲା। ଚୁକ୍ତି ଅନୁଯାୟୀ ଯଦି କମ୍ପାନୀ ବିକ୍ରି ହୁଏ ତେବେ ଆମାଜନ କ୍ରୟ କରିବାର ପ୍ରଥମ ଅଧିକାର ପାଇବ। କିନ୍ତୁ ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲରେ ଏହା ପାଳନ କରାଯାଇ ନାହିଁ।

ଆମାଜନ ପ୍ରଥମେ ସିଙ୍ଗାପୁର କୋର୍ଟରେ ଏହା ଉପରେ ଆବେଦନ କରିଥିଲା ଯେଉଁଠାରେ ଆମାଜନ ସପକ୍ଷରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ଯେଉଁଥିରେ ହାଇକୋର୍ଟ ଏହି ଡିଲକୁ ଆଗକୁ ନେବାକୁ କହିଥିଲେ। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି।