Odiapua.com

ଗୋଟିଏ ଟଙ୍କା ଜରିମାନା ଦିଅ ନ ହେଲେ ଜେଲ ଯାଅ : ସୁପ୍ରିମକୋର୍ଟ, ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ପାଇଁ ଦଣ୍ଡ

ନୂଆ ଦିଲ୍ଲୀ ଅଗଷ୍ଟ ୩୧ (ଓଡ଼ିଆ ପୁଅ) କୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ଏକ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ସୁପ୍ରିମ କୋର୍ଟ, ଅଗଷ୍ଟ ୧୪ ରେ ପ୍ରଶାନ୍ତ ଭୂଷଣଙ୍କୁ ନ୍ୟାୟପାଳିକା ବିରୋଧରେ ଅପମାନଜନକ ଟ୍ୱିଟ୍ କରିଥିବାରୁ ଦୋଷୀ ସାବ୍ୟସ୍ତ କରିଥିଲେ।

ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କୁ ଅବମାନନା ମାମଲାରେ ଦଣ୍ଡ ଭାବରେ ସେପ୍ଟେମ୍ବର ୧୫ ସୁଦ୍ଧା ଟଙ୍କା ୧ ଜରିମାନା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଯଦି ପ୍ରଶାନ୍ତ ଭୂଷଣ ୧ଟଙ୍କା ଜରିମାନା ଜମା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପର୍ଯ୍ୟନ୍ତ ଓକିଲାତି ପ୍ରାକ୍ଟିସ୍‌ରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମକୋର୍ଟ ସୋମବାରଦିନ ରାୟ ଦେଇଛନ୍ତି।

ଓକିଲ ପ୍ରଶାନ୍ତ ଭୂଷଣ କ୍ଷମା ମାଗିବା ପାଇଁ କୋର୍ଟଙ୍କ ପରାମର୍ଶକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଏହା ତାଙ୍କ ବିବେକକୁ ଅବମାନନା କରିବ।