Odiapua.com

ଡାକ୍ତରଙ୍କୁ ଠିକ୍ ସମୟରେ ଦରମା ଦେବା ନିର୍ଦ୍ଦେଶାବଳୀ ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସୁନିଶ୍ଚିତ କରୁ କେନ୍ଦ୍ର – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୧ ଅଗଷ୍ଟ (ଓଡିଆ ପୁଅ) ଶୁକ୍ରବାରଦିନ କେନ୍ଦ୍ରସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତିଯେ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ ଏବଂ ତ୍ରିପୁରାରେ କୋଭିଡ -୧୯ ସଙ୍କଟରେ ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ପାଳନ କରାଯାଉନାହିଁ। ଏହା ଉପରେ କୋର୍ଟ କହିଛନ୍ତି ଯେ, ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାରେ କେନ୍ଦ୍ର ଏତେ ନିରୁପାୟ ହୋଇପାରିବ ନାହିଁ।

କୋଭିଡ -୧୯ ସେବା କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଆଗଧାଡ଼ିର କର୍ମଚାରୀ ଏବଂ ଡାକ୍ତରଙ୍କ ଦରମା ଠିକ୍ ସମୟରେ ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ପ୍ରଦାନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କ୍ୱାରେଣ୍ଟାଇନରେ ରହିବା ଏବଂ ସେହି ସମୟ ପାଇଁ ଦରମା କଟାଯିବାକୁ ନେଇ କେନ୍ଦ୍ରରୁ ସ୍ପଷ୍ଟୀକରଣ ମାଗିଛନ୍ତି।

ଖଣ୍ଡପୀଠ, କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି, “ଯଦି ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଏବଂ ନିର୍ଦ୍ଦେଶାବଳୀ ପାଳନ କରୁ ନାହାଁନ୍ତି, ତେବେ ଆପଣ ମଧ୍ୟ ନିରୁପାୟ ନୁହଁନ୍ତି। ଆପଣଙ୍କ ଆଦେଶ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ଉଚିତ। ଆପଣଙ୍କ ପାଖରେ ଶକ୍ତି ଅଛି। ଆପଣ ବ୍ୟବହାର କରିପାରିବେ। ”

ମେହେଟ୍ଟା କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବେତନ ପ୍ରଦାନ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟର ଜୁନ୍ ୧୭ ନିର୍ଦ୍ଦେଶ ପରେ ଜୁନ୍ ୧୮ ରେ ସମସ୍ତ ରାଜ୍ୟକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ଯେ, ଅନେକ ରାଜ୍ୟ ଏହି ନିର୍ଦ୍ଦେଶନାମା ପାଳନ କରିଛନ୍ତି କିନ୍ତୁ ମହାରାଷ୍ଟ୍ର, ପଞ୍ଜାବ, ତ୍ରିପୁରା ଏବଂ କର୍ଣ୍ଣାଟକ ଭଳି କେତେକ ରାଜ୍ୟ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଠିକ୍ ସମୟରେ ଦରମା ଦେଇ ନାହାଁନ୍ତି।

ଖଣ୍ଡପୀଠ, ବେସରକାରୀ ଡାକ୍ତର ଡ଼ ଆରୁଷୀ ଜୈନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରି ମେ ୧୫ ର କେନ୍ଦ୍ରର ଆଦେଶକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଡାକ୍ତରଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ନୁହେଁ। କୋର୍ଟ ବର୍ତ୍ତମାନ ଏହାର ଶୁଣାଣି ଅଗଷ୍ଟ ୧୦ ରେ କରିବେ।