Odiapua.com

ମୁଣ୍ଡଙ୍କ ମୁଣ୍ଡକୁ ମୁଣ୍ଡିଆ ..

ଭୁବନେଶ୍ୱର: ମୁଣ୍ଡଙ୍କ ମୁଣ୍ଡକୁ ମୁଣ୍ଡିଆ! କେଉଁଠି ଥିଲେ କେଜାଣି କୁଆଡୁ ହଠାତ୍ ଆସି ଅପରାଜିତାଙ୍କୁ ଧରି ନେଇଗଲେ ବିଜେପିରୁ ଭୁବନେଶ୍ୱର ମେୟର ଟିକେଟ୍। ଭୁବନେଶ୍ୱର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଯିବା ପରେ ସବୁ ପ୍ରମୂଖ ଦଳ ବିଜେଡି – ବିଜେପି ଏବଂ କଂଗ୍ରେସରୁ ମହିଳା ନେତ୍ରୀ ମାନେ ଟିକେଟ୍ ଆଶାରେ ରହିଲେ। ସେ ଯାହା ହେଉ, ଭୁବନେଶ୍ୱର ବିଜେପିରେ ବୋଧେ କେହି ଯୋଗ୍ୟ ମହିଳା ନେତ୍ରୀ ନଥିଲେ, ତେଣୁ କୁଆଡୁ ଆସି ସୁନିତି ମୁଣ୍ଡ୍ ଟିକେଟ୍ ନେଇଗଲେ। ହାରିଲେ ସିନା କିନ୍ତୁ ରାଜ୍ୟ ରାଜଧାନୀରୁ ମେୟର ପାଇଁ ଲଢ଼ି ରାଜନୀତିରେ ନିଜର ଗୋଟେ ଭଲ ପରିଚୟ ପାଇଗଲେ ଡ. ସୁନୀତି ମୁଣ୍ଡ୍। ଏହାପରେ ଏବେ ପୁଣି ଭିନ୍ନ ଯୋଜନାରେ ମୁଣ୍ଡ ଖଟାଉଛନ୍ତି ମୁଣ୍ଡ୍। ଭବାନୀପାଟଣାରୁ ଭୁବନେଶ୍ୱର ଆସି ମେୟର ପାର୍ଥି ହୋଇ ରାଜନୀତିରେ ନିଜର ଏକ ପରିଚୟ ସୃଷ୍ଟି କରାଇଦେବା ପରେ ଏବେ ଏଣେ ଭୁବନେଶ୍ୱର, ତେଣେ କଳାହାଣ୍ଡି ଜିଲ୍ଲା ଉଭୟ ସ୍ଥାନରେ ମୁଣ୍ଡ ଖଟାଇ ଯେ କୌଣସି ସ୍ଥାନରୁ ବିଧାୟକ ଟିକେଟ୍ ନେବା ଆଶାରେ ଅଛନ୍ତି ମୁଣ୍ଡ୍। ଏପରି କି କଳାହାଣ୍ଡି ଲୋକସଭା ଆସନ ପାଇଁ ମଧ୍ୟ ମୁଣ୍ଡ୍ ଆଶାରେ ଅଛନ୍ତି ବୋଲି କୁହାଯାଉଛି। ବିଜେପିରେ ଦୀର୍ଘ ଦିନ ହେଲା ରହି ଅନେକ ନେତ୍ରୀ ଯେଉଁ ସ୍ଥାନରେ ପହଞ୍ଚି ପାରୁନାହାଁନ୍ତି, ସେଠି ମୁଣ୍ଡ ଖଟାଇ ପହଞ୍ଚି ଯାଉଛନ୍ତି ମୁଣ୍ଡ୍। ଗଳି ପଶି ବରିଷ୍ଠ ନେତା, ମନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ପାଖରେ ପହଞ୍ଚି ଯାଉଛନ୍ତି ମୁଣ୍ଡ୍। ଅପରାଜିତାଙ୍କ ପାଖରୁ ଆସି ପହଞ୍ଚି ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ, ସେଠୁ ପୁଣି ଯାଇ ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ପହଞ୍ଚି ଯାଉଛନ୍ତି ମୁଣ୍ଡ୍।ଅମିତ ଶାହାଙ୍କୁ ସାକ୍ଷାତ କରି ଫୁଲ ଦେଉଛନ୍ତି, ସେଠି ପଛରେ ଠିଆ ହୋଇ ମନମୋହନ ସାମଲ ଅନେଇ ରହୁଛନ୍ତି। ନିର୍ମଳା ସୀତାରମଣଙ୍କୁ ଭେଟୁଛନ୍ତି, ଧର୍ମେନ୍ଦ୍ର ପଛରେ ଠିଆ ହୋଇ ଅନେଇ ରହୁଛନ୍ତି। ରାଜ୍ୟ ବିଜେପିରେ ଏପରି ସୁଯୋଗ ପ୍ରାୟ କୌଣସି ନେତ୍ରୀଙ୍କୁ ମିଳେ ନାହିଁ ଅବା ସେମାନେ ମଧ୍ୟ ମର୍ଯ୍ୟଦା ଦୃଷ୍ଟିରୁ ଧର୍ମେନ୍ଦ୍ର କିମ୍ୱା ମନମୋହନଙ୍କ ଥାଇ ତାଙ୍କ ଉପସ୍ଥିତିରେ ସେମାନଙ୍କୁ ଓଭରଟେକ୍ କରି ଅନ୍ୟ କୌଣସି ବରିଷ୍ଠ ନେତୃତ୍ୱଙ୍କୁ ଏମାନେ ଏମିତି ଭେଟନ୍ତି ନାହିଁ। ଅବଶ୍ୟ ଏହିଭଳି ଢଙ୍ଗରେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ ସନ୍ତୋଷଙ୍କୁ ଭେଟିଥିଲେ ସୁନୀତ ମୁଣ୍ଡ୍। ଯାହାକୁ ବି. ଏଲ ସନ୍ତୋଷ ନାପସନ୍ଦ କରିଥିବା ସୂଚନା ମିଳିଛି। ସେ ଯାହା ହେଉ ସୁନୀତ ମୁଣ୍ଡଙ୍କ ଏପରି ଆଚରଣକୁ ଦେଖି ବିଜେପିରେ ଚାଲିଛି ଆଲୋଚନା, ମୁଣ୍ଡଙ୍କ ମୁଣ୍ଡକୁ ମୁଣ୍ଡିଆ!
-/Dev@DRath