Odiapua.com

ମୋଦୀ କହିଥିଲେ, ସୁବାସ କହିଲେ; ଯାହା ଓଡ଼ିଶା କହୁଛି!

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କୁ ଦାୟିତ୍ୱ ମିଳିବା ପରେ ଏକ ଘରୋଇ ଟିଭି ଚ୍ୟାନେଲରେ ନିଜର ପ୍ରତିକ୍ରିୟା ଦେବା ବେଳେ ସୁବାସ ଏପରି ଏକ କଥା କହିଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।ଏବଂ ଓଡ଼ିଶାବାସୀ ମଧ୍ୟ ସେୟା କହୁଛନ୍ତି।ପଶ୍ଚିମ ଓଡ଼ିଶାରେ ବିଜେଡିର ବିଫଳତା ନେଇ ପ୍ରଶ୍ନର ଉତ୍ତରରେ ସୁବାସ କହିଥିଲେ ଯେ, ବିଫଳତା କେବଳ ସାଂସଦ କ୍ଷେତ୍ରରେ ହୋଇଛି।ବିଧାୟକ କ୍ଷେତ୍ରରେ ନୁହେଁ।ବୋଧହୁଏ ଓଡ଼ିଶା ଲୋକ କେନ୍ଦ୍ରରେ ମୋଦୀଙ୍କୁ ଏବଂ ରାଜ୍ୟରେ ନବୀନଙ୍କୁ ଚାହୁଁଥିଲେ।ସେଥିପାଇଁ ହୁଏତ ଏପରି ହୋଇଗଲା।ଅବଶ୍ୟ ଆଗାମୀ ଦିନରେ ଆମେ ତ୍ରୁଟି ସୁଧାରିବୁ ଏବଂ ବିଜେଡି ସେଠି ଭଲ ପ୍ରଦର୍ଶନ କରିବ ବୋଲି ସୁବାସ କହିଥିଲେ।

ତେବେ, ଆଗାମୀ ଦିନ କଥା ଛାଡ଼ନ୍ତୁ।କାଲି କୁ କିଏ ଦେଖିଛି?ଆଜି କଥା ଚିନ୍ତା କରନ୍ତୁ।ଏବଂ ଆଜିର କଥା ନେଇ ସୁବାସ ଯାହା କହିଛନ୍ତି ତାହା ବାସ୍ତବ ସତ୍ୟ।ଓଡ଼ିଶା ଲୋକ କେନ୍ଦ୍ରରେ ମୋଦୀ ଏବଂ ରାଜ୍ୟରେ ନବୀନ ସରକାର ଚାହୁଁଥିଲେ।ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ ବୁଝି ଯାଇଛନ୍ତି।ସେଥିପାଇଁ ବଜେଟ ଆଗତ ପରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସମୟରେ କରିବା କଥା ଉପରେ କହିଲା ବେଳେ ଏକ ଭାଷଣରେ ମୋଦୀ କହିଥିଲେ, ଲୋକସଭାରେ ଗୋଟିକରେ ଏବଂ ବିଧାନସଭା ପାଇଁ ଗୋଟିକରେ ଏକା ସମୟରେ ଭିନ୍ନ ଭିନ୍ନ ଭୋଟ ଦାନ କରି ଓଡ଼ିଶା ଲୋକ ପରିପକ୍ୱତାର ପରିଚୟ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବୋଧେ ଏହା ବୁଝି ସାରିଛନ୍ତି।ଏବଂ ମୋଦୀ ଏବଂ ନବୀନଙ୍କ ଏହି ବୁଝାବଣା କାରଣରୁ ବୋଧେ ଉଭୟଙ୍କ ଭିତରେ ଏବେ ଧୀରେ ଧୀରେ ଦୂରତା କମିଲା ଭଳି ଅନୁଭବ ହେଉଛି!//ଦେବଦତ୍ତ ରଥ