Odiapua.com

କୋମାରେ ରାଜ୍ୟର ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’: ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ମା’, ଭଉଣୀ ଓ ଶିଶୁ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ। ତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ଏକ ପ୍ରକୋଷ୍ଠ ଖୋଲା ଯାଇଥିବାର ଘୋଷଣା କରିଥିଲେ ଏବଂ ଏହି ପ୍ରକୋଷ୍ଠର ମୁଖ୍ୟ ଭାବେ ଜୈନିକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଘୋଷଣା କରାଯାଇଥିଲା। ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ‘ଆଇ ୱାଶ୍‌’ ଘୋଷଣା ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି। ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ପ୍ରାୟ ୭୪ ଦିନ ବିତି ଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର ଆଇନକୁ ବାଟବଣା ତଦନ୍ତ ପ୍ରକ୍ରିୟାକୁ ଦିଗହରା କରୁଛନ୍ତି। ଏହା ବିରୋଧରେ ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀ କରାଯାଇଆ ଆସୁଛି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଏହି ଘଟଣା ସଂପର୍କରେ ଗତ ଡିସେମ୍ବର ୮ ତାରିଖ ଦିନ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଅଧିକାରୀଙ୍କୁ ପଚାରିବାରୁ, ସେ ଏହି ଘଟଣା ସଂପର୍କରେ କିଛି ଜାଣିନଥିବା ଏବଂ ଏହି ଘଟଣାଟି ସଂପୃକ୍ତ ଜିଲ୍ଲା ପୋଲିସ ତଦନ୍ତ ପରିସରଭୁକ୍ତ ବୋଲି କହି କଥାକୁ ଏଡ଼ାଇ ଦେଇଥିଲେ। ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ରାଜ୍ୟରେ ସତରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଟ’ ଖୋଲାଯାଇଛି ନାଁ, କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯାଇଛି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ନିହାତି ଆବଶ୍ୟକ। ଏହା ହେଉଛି ମହିଳା ସଶକ୍ତିକରଣର ମିଛ ପ୍ରବଞ୍ଚନା ଓ ପ୍ରହସନର ଜ୍ୱଳନ୍ତ ନଗ୍ନ ଚିତ୍ର ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି।ମହିଳା ସଶକ୍ତୀକରଣ ଏବଂ ସୁରକ୍ଷା ପ୍ରସଙ୍ଗରେ ମିଛ ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହିଳା ବିରୋଧୀ ଆଚରଣ ବିରୁଦ୍ଧରେ ମହିଳା ମୋର୍ଚ୍ଚା ମହାମହିମ ରାଜ୍ୟପାଳଙ୍କୁ ଅବଗତ କରିବ। ଏହି ପରିପ୍ରେକ୍ଷୀରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରହେଳିକା ପ୍ରସଙ୍ଗରେ ଅଭିଯୋଗ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବେ। ୨୩ ଓ ୨୪ ତାରିଖ ଦିନ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ଏବଂ ମହିଳା ମୋର୍ଚ୍ଚା ଗଣମାଧ୍ୟମ ରାଜ୍ୟ ସଂଯୋଜିକା ସୂଚରୀତା ଜେନାମଣି ଉପସ୍ଥିତ ଥିଲେ।
-/DevDr