Odiapua.com

ବିଜେଡି ଲବିରେ ଶ୍ରୀକାନ୍ତ !

ଭୁବନେଶ୍ୱର ୩-୫ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏକ ପ୍ରକାର ଏକ ଘରକିଆ ହୋଇ ଯାଇଛନ୍ତି କହିଲେ ଚଳେ। ତାଙ୍କର କୌଣସି ପରାମର୍ଶ ନା ସଭାପତି ଗ୍ରହଣ କରୁଛନ୍ତି ନା ତିନି କାର୍ଯ୍ୟକାରୀ ସଭାପତି। କଂଗ୍ରେସରେ ଯୋଗ ଦେବା ପର ଠାରୁ ଶ୍ରୀକାନ୍ତଙ୍କ ଗୋଟିଏ ଲକ୍ଷ୍ୟ ଥିଲା କଂଗ୍ରେସରେ ଥିବା ପଟ୍ଟନାୟକ ପ୍ରଭାବ ଦୂର କରିବେ। ଏଥିରେ ସେ ଅନେକାଂଶରେ ସଫଳ ମଧ୍ୟ ହୋଇ ଯାଇଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କୁ ସଭାପତି ପଦରୁ ହଟାଇବାରେ ସେ ସଫଳ ହୋଇଥିଲେ। ତା ପରେ ତାଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କଂଗ୍ରେସରୁ ବହିସ୍କୃତ କରିବାରେ ସଫଳ ହୋଇଥିଲେ। ତାଙ୍କ ସ୍ଥାନରେ ନିରଞ୍ଜନଙ୍କ ବିରୋଧି ଭାବରେ ଜଣାଶୁଣା ଜୟଦେବା ଜେନାଙ୍କୁ ସଭାପତି ପଦରେ ବସାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିଜେ ପ୍ରଚାର କମିଟି ମୁଖ୍ୟ ମଧ୍ୟ ହୋଇ ଯାଇଥିଲେ। ତାଙ୍କ ଗୋଟି ଚାଳନା ଯଦି ସଫଳ ହୋଇ ଯାଇଥାନ୍ତା ତେବେ ପୂରା କଂଗ୍ରେସ ସଂଗଠନ ତାଙ୍କ ହାତକୁ ଚାଲି ଆସିଥାନ୍ତା। ମାତ ଭାଗ୍ୟ ତାଙ୍କୁ ସାଥ ଦେଲା ନାହିଁ। ତା ପରେ କଂଗ୍ରେସର ଅବସ୍ଥା ଯାହା ହେଲା ତାହା ସମଗ୍ର ଓଡିଶାବାସୀ ଜାଣିଲେ। ଏବେ ବାଜି ପଲଟି ଯାଇଛି। ନିରଞ୍ଜନ ପୁଣି ସଭାପତି ହେଲେ। ଶ୍ରୀକାନ୍ତ ହେଲେ କୋଣଠୋଷା।

ନିରଞ୍ଜନ ସଭାପତି ହେବା ପୂର୍ବରୁ କଂଗ୍ରେସ ଛାଡିବା ଚକ୍କରରେ ଥିଲେ ଶ୍ରୀକାନ୍ତ। ମୂଳ ଜନତା ଦଳର କିଛି ରାଜନୈତିକ ବନ୍ଧୁ ଯେଉଁମାନେ ବିଜେଡିରେ ଅଛନ୍ତି ସେମାନଙ୍କ ସହିତ ପ୍ରାରମ୍ଭିକ କଥାବାର୍ତ୍ତା କରି ସାରିଥିଲେ। କେବଳ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ବାକି ଥିଲା। ସମୟକ୍ରମେ ତାଙ୍କ ସେହି ପୁରୁଣା ବନ୍ଧୁମାନେ ଏବେ ଦଳରେ ଅଲୋଡା ହୋଇ ଯାଇଛନ୍ତି। ତେଣୁ ଶ୍ରୀକାନ୍ତ ଏବେ ନୂଆ ବାଟ ଖୋଜୁଛନ୍ତି। କିଛି କ୍ଷମତାଶାଳୀ ଯୁବ ବିଜେଡି ବିଧାୟକଙ୍କ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଭେଟ ହେବାର ସୁଯୋଗ ଖୋଜୁଛନ୍ତି। କାରଣ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ବିଦା ହେବା ପରେ ଏବେ କେନ୍ଦ୍ରାପଡାରେ ବିଜେଡି କାହାକୁ ସାଂସଦ ପ୍ରାର୍ଥି କରିବ ଚିନ୍ତା କରୁଛି। ପୂର୍ବରୁ କେନ୍ଦ୍ରାପଡାର ସାଂସଦ ରହି ସାରିଛନ୍ତି ଶ୍ରୀକାନ୍ତ ଜେନା। ଏହି ମଉକାକୁ ହାତଛଡା କରିବାକୁ ଚାହିୁଁ ନାହାଁନ୍ତି ଶ୍ରୀକାନ୍ତ। କଂଗ୍ରେସର ତଳି ତଳାନ୍ତ ହେବା ପଛରେ ଏବେ କଂଗ୍ରେସ ନେତା ଶ୍ରୀକାନ୍ତଙ୍କୁ ଦୋଷ ଦେଉଛନ୍ତି। ମାତ୍ର ପୂର୍ବରୁ ସୁଯୋଗ ପାଉନଥିଲେ। ନିରଞ୍ଜନ ସଭାପତି ହେବା ପରେ କଂଗ୍ରେସର ସମସ୍ତ ନେତା ଏବେ ଶ୍ରୀକାନ୍ତ ବିରୋଧି। ଶ୍ରୀକାନ୍ତଙ୍କ ଏକାନ୍ତ ଅନୁଗତ ଥିବା ଜୟଦେବ ଜେନାଙ୍କୁ ମଧ୍ୟ କଂଗ୍ରେସ ନେତାମାନେ ଆଉ ଗ୍ରହଣ କରୁ ନାହାଁନ୍ତି। କଂଗ୍ରେସର ଏପରି ଏକତା ଦେଖି ବିଜେଡି ଓ ବିଜେପି ଶିବିର ମଧ୍ୟ ଛାନିଆ। ତେଣୁ ଏଭଳି ପରିସ୍ଥିତିରେ ଶ୍ରୀକାନ୍ତଙ୍କ ଗୋଟି ଚାଳନା ଆଉ କାମ କରୁ ନାହିଁ କଂଗ୍ରେସ ଶିବିରରେ। କିଛି ବି ନିରଞ୍ଜନ ବିରୋଧି କାର୍ଯ୍ୟ କଲେ ତାଙ୍କୁ କଂଗ୍ରେସ ଭବନ ମଡାଇ ଦିଆଯିବ ନାହିଁ ବୋଲି ଯୁବ ଓ ଛାତ୍ର କଂଗ୍ରେସ ଚେତାବନୀ ଦେଇ ସାରିଲାଣି।

ତେଣୁ ନିଜ ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀକାନ୍ତ ଏବେ କେନ୍ଦ୍ରାପଡା ଜିଲ୍ଲାର ଜଣେ କ୍ଷମତାଶୀଳ ବିଜେଡି ବିଧାୟକଙ୍କ ଶରଣରେ ପଶିଛନ୍ତି। ଏହି ବିଧାୟକ ଜଣକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିରେ ସାମିଲ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାତ୍ର ବିଜେଡିରେ ମିଶି ରାଜ୍ୟସଭା ସାଂସଦ ପଦ ହାତେଇ ବାର କିଛି ଦିନ ପରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହୋଇଥିଲେ। ତା ପରେ ସୌମ୍ୟଙ୍କ ହାବଭାବରେ ବିଜେଡି ବିଚଳିତ। ତେଣୁ ଏହି ବିଧାୟକ ଏବେ ଶ୍ରୀକାନ୍ତଙ୍କ ପ୍ରସ୍ତାବ କିପରି ନବୀନ ନିବସରେ ପହଁଚାଇବେ ତାହା ଚିନ୍ତା କରୁଛନ୍ତି। ଆଗକୁ କଣ ହେବ ତାହା ଆକଳନ କରିବା ମୁସ୍କିଲ ମାତ୍ର ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ଯେ ସୂତା ଖିଅରେ ଝୁଲୁଛି ଏଥିରେ ସନ୍ଦେହ ନାହିଁ।