Odiapua.com

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଯାତ୍ରୀବାହୀ ରେଳସେବା – ଜାଣନ୍ତୁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା

– ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ (୩୦ଟି ଟ୍ରେନ) ଚାଲିବ
– ଶ୍ରମିକ ସ୍ପେଶାଲ ଅତିରିକ୍ତ ଚାଲିବ ଏହି ସେବା
– ସ୍ପେଶାଲ ଟ୍ରେନରେ ରହିଛି କେବଳ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି ବଗି
– କେବଳ ଆଇଆରସିଟିସି ୱେବସାଇଟରେ ହେବ ଇ-ଟିକେଟ ବୁକିଂ
– ସର୍ବାଧିକ ଅଗ୍ରୀମ ଟିକେଟ ସଂରକ୍ଷଣ ଅବଧି ୭ଦିନ ପର୍ଯ୍ୟନ୍ତ ରହିବ
– ସାଙ୍ଗରେ ଖାଦ୍ୟ ଓ ପାନୀୟ ଜଳ ନେଇ ଆସିବାକୁ ଯାତ୍ରୀଙ୍କୁ ପରାମର୍ଶ
– ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ପାଇଁ ୯୦ ମିନିଟ ଆଗରୁ ଯାତ୍ରୀ ପହଁଚିବା ଉଚିତ
– ଟ୍ରେନ ଭିତରେ କୌଣସି କମ୍ବଳ, ପରଦା ଓ ଚଦର ଦିଆଯିବ ନାହିଁ
– ନିଜସ୍ୱ ଚଦର ଆଣିବାକୁ ଯାତ୍ରୀଙ୍କୁ ପରାମର୍ଶ

ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ମେ ୧୨, ୨୦୨୦ ଠାରୁ ଦେଶବ୍ୟାପୀ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ କରିବାକୁ ଭାରତୀୟ ରେଳବାଇ ନିଷ୍ପତି ନେଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହିତ ରେଳ ମନ୍ତ୍ରଣାଳୟ ପରାମର୍ଶ କରିବା ପରେ ଏହି ନିଷ୍ପତି ନିଆଯାଇଛି। ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ (୩୦ଟି ଟ୍ରେନ) କେତେକ ମାର୍ଗରେ ଚଳାଚଳ କରିବ (ଲିଙ୍କ ନିମ୍ନରେ ଦିଆଯାଇଛି)

ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଯାତ୍ରା କରିବା ଲାଗି ମେ ୧, ୨୦୨୦ ଠାରୁ ଚଳାଚଳ କରୁଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ ଏସବୁ ଟ୍ରେନ ଚଳାଚଳ କରିବ।

ପରବର୍ତ୍ତୀ ପରାମର୍ଶ ଜାରି ନହେବା ପର୍ଯ୍ୟନ୍ତ ମେଲ/ଏକ୍ସପ୍ରେସ, ପାସେଞ୍ଜର ଓ ଉପନଗରୀୟ ଅଂଚଳ ଟ୍ରେନ ସେବା ବାତିଲ ରହିବ।

ବର୍ତମାନ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନରେ କେବଳ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି ବଗି ରହିବ। ସ୍ୱତନ୍ତ୍ର ଟ୍ରେନର ଟିକେଟ ମୂଲ୍ୟ ନିୟମିତ ରାଜଧାନୀ ଟ୍ରେନ ଭଳି (ଖାଇବା ଦରକୁ ବାଦ ଦେଇ) ରହିବ। ଆଇଆରସିଟିସି ୱେବସାଇଟ କିମ୍ବା ମୋବାଇଲ ଆପ ଜରିଆରେ କେବଳ ଅନଲାଇନ ଇ-ଟିକେଟ କରାଯାଇପାରିବ। ଉଭୟ ଆଇଆରସିଟିସି କିମ୍ବା ରେଳବାଇ ଏଜେଂଟଙ୍କ ଜରିଆରେ ଟିକେଟ ବୁକିଂକୁ ଅନୁମତି ମିଳିବ ନାହିଁ। ସଂରକ୍ଷିତ ଟିକେଟର ସର୍ବାଧିକ ସଂରକ୍ଷଣ ଅବଧି ୭ ଦିନ ରହିବ।

କେବଳ ସୁନିଶ୍ଚିତ ସଂରକ୍ଷିତ ଟିକେଟ ବୁକିଂ କରାଯାଇପାରିବ। ଆରଏସି/ୱେଟିଂ ଲିଷ୍ଟ ଟିକେଟ ଏବଂ ଟିକେଟ ଯାଂଚ କର୍ମଚାରୀଙ୍କ ଦ୍ୱାରା ଟ୍ରେନରେ ଟିକେଟ ବୁକିଂ ପାଇଁ ଅନୁମତି ମିଳିବ ନାହିଁ। କରେଂଟ ବୁକିଂ, ତତକାଳ ଓ ପ୍ରିମିୟମ ତତକାଳ ବୁକିଂ ହୋଇପାରିବ ନାହିଁ। ଅସଂରକ୍ଷିତ ବୁକିଂକୁ ଅନୁମତି ମିଳିବ ନାହିଁ।

ଟିକେଟ ଭଡ଼ାରେ ଖାଇବା ଦର ସାମିଲ ହେବ। ଆଗୁଆ ଖାଦ୍ୟ ବୁକିଂ, ଇ-କ୍ୟାଟରିଂକୁ ମଧ୍ୟ ଅନୁମତି ମିଳିବ ନାହିଁ। ତେବେ, ସୀମିତ ସଂଖ୍ୟକ ଖାଦ୍ୟ ଓ ପ୍ୟାକ ହୋଇଥିବା ପାନୀୟ ଜଳ ଅର୍ଥ ପଇଠ ବଦଳରେ ଆଇଆରସିଟିସି ପକ୍ଷରୁ ଯୋଗାଇ ଦିଆଯିବ। ଟିକେଟ ବୁକିଂ ସମୟରେ ଯାତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଯୋଗାଇ ଦିଆଯିବ।

ଯାତ୍ରୀମାନଙ୍କୁ ସାଙ୍ଗରେ ଖାଦ୍ୟ ଓ ପାନୀୟ ଜଳ ନେଇ ଆସିବାକୁ ପରାମର୍ଶ ଦିଆଯାଉଛି। ଟ୍ରେନ ଭିତରେ ଦରକାର ପଡ଼ିଲେ ଅର୍ଥ ଦେଇ ସେମାନେ ଶୁଖିଲା, ପ୍ରସ୍ତୁତ ଖାଦ୍ୟ ଓ ପାଣିବୋତଲ ପାଇପାରିବେ।

ପ୍ରତ୍ୟେକ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯିବ ଏବଂ କେବଳ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ ଟ୍ରେନରେ ଚଢ଼ିବା ପାଇଁ ଅନୁମତି ମିଳିବ।

ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ନିମ୍ନୋକ୍ତ ସତର୍କତା ଅବଲମ୍ବନ କରିବେ:

କ) କେବଳ ସୁନିଶ୍ଚିତ ସଂରକ୍ଷିତ ଟିକେଟ ଥିବା ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିପାରିବେ।

ଖ) ପ୍ରବେଶ ଏବଂ ଯାତ୍ରା ସମୟରେ ମୁଖା/ମାସ୍କ ପିନ୍ଧିବା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ

ଗ) ଯାତ୍ରାର ୯୦ ମିନିଟ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ଷ୍ଟେସନରେ ପହଁଚିବେ। କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ଯାତ୍ରା ନିମନ୍ତେ ଅନୁମତି ମିଳିବ।

ଘ) ଉଭୟ ଟ୍ରେନ ଏବଂ ଷ୍ଟେସନରେ ଯାତ୍ରୀମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ।

ଙ) ଗନ୍ତବ୍ୟସ୍ଥଳରେ ପହଁଚିବା ପରେ ଯାତ୍ରୀଙ୍କୁ ସେଠାକାର ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସ୍ୱାସ୍ଥ୍ୟ ନିୟମକୁ ମାନିବାକୁ ପଡ଼ିବ।

ଟ୍ରେନ ଛାଡ଼ିବାର ୨୪ ଘଂଟା ପୂର୍ବରୁ ଅନଲାଇନ ଟିକେଟ ବାତିଲ କରିବାର ସୁବିଧା ମିଳିବ। ଟ୍ରେନ ଛାଡ଼ିବାର ୨୪ ଘଂଟା ମଧ୍ୟରେ ଟିକେଟ ବାତିଲ ପାଇଁ ଅନୁମତି ମିଳିବ ନାହିଁ। ଟିକେଟ ବାତିଲ କଲେ ସମ୍ପୂର୍ଣ୍ଣ ଟିକେଟ ମୂଲ୍ୟର ଅଧା ଅର୍ଥ କଟାଯିବ।

ରେଳ ଷ୍ଟେସନରେ ଅଲଗା ପ୍ରସ୍ଥାନ ଓ ପ୍ରବେଶ ଫାଟକ କରିବା ଲାଗି ଜୋନାଲ ରେଳବାଇଗୁଡ଼ିକୁ ସୂଚିତ କରାଯାଇଛି। ଯାହାଫଳରେ ଯାତ୍ରୀମାନେ ସାମ୍ନାସାମ୍ନୀ ଯିବାଆସିବା କରିବେ ନାହିଁ। ଟ୍ରେନ ଓ ଷ୍ଟେସନଗୁଡ଼ିକରେ ସାଧାରଣ ସାମାଜିକ ଦୂରତା ଦିଶାନିର୍ଦ୍ଦେଶ ଏବଂ ନିରାପତା, ସୁରକ୍ଷା ଓ ସ୍ୱଚ୍ଛତା ନିୟମ ପାଳନ କରିବା ଲାଗି ଜୋନାଲ ରେଳବାଇଗୁଡ଼ିକୁ ପରାମର୍ଶ ଦିଆଯିବ।

ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଉଛି।

ଟ୍ରେନ ଭିତରେ ଯାତ୍ରୀମାନଙ୍କୁ କୌଣସି କମ୍ବଳ, ଚଦର କିମ୍ବା ପରଦା ଯୋଗାଇ ଦିଆଯିବ ନାହିଁ। ଯାତ୍ରୀମାନେ ନିଜେ ଚଦର ନେଇ ଆସିବେ ବୋଲି ପରାମର୍ଶ ଦିଆଯାଇଛି। ଏହି ଉଦ୍ଦେଶ୍ୟ ଲାଗି ଏସି ବଗି ଭିତରେ ତାପମାତ୍ରାକୁ ନିୟନ୍ତ୍ରିତ କରି ରଖାଯିବ।

ପ୍ଲାଟଫର୍ମ ଭିତରେ କୌଣସି ଷ୍ଟଲ/ବୁଥ ଖୋଲିବ ନାହିଁ। ଟ୍ରେନ କଡ଼ରେ କେହି କିଛି ଜିନିଷ ବିକ୍ରି କରିପାରିବେ ନାହିଁ। ଯାତ୍ରୀମାନଙ୍କୁ ଅଯଥା ଯାତ୍ରା ନକରିବା ଲାଗି ପରାମର୍ଶ ଦିଆଯାଉଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ, କେବଳ ସୁନିଶ୍ଚିତ ସଂରକ୍ଷିତ ଇ-ଟିକେଟ ଥିଲେ ଷ୍ଟେସନରେ ପହଁଚିବା ଲାଗି ଯାତ୍ରୀ ଓ ସେମାନଙ୍କୁ ନେଇ ଆସୁଥିବା ଗାଡ଼ିକୁ ଅନୁମତି ମିଳିବ।