Odiapua.com

ଫେରିଲା କରୋନା ଭୟ: ଅମାନିଆଙ୍କୁ ଦଣ୍ଡ, କଟକରେ ମାସ୍କ ନ ପିନ୍ଧିବା ପାଇଁ ୪୯ ଏବଂ ସାମାଜିକ ଦୂରତ୍ତ୍ୱ ନମାନିଥିବାରୁ ୧୦୨ ଜଣଙ୍କୁ ଦଣ୍ଡ ବିଧାନ

କଟକ ୨୨-୨ (ଓଡ଼ିଆ ପୁଅ) ପୁଣି ଫେରିଛି କରୋନା ଭୟ। ମହାରାଷ୍ଟ୍ର ସମେତ ଅନ୍ୟ ୪ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳୁଛି। ପୁଣି ବଢ଼ିଛି ସଂକ୍ରମଣ। ଏଥିପାଇଁ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସାମାଜିକ ଦୂରତାକୁ କଡ଼ାକଡ଼ି କରିବା ସହିତ ମାସ୍କ ପିନ୍ଧିବା ଉପରେ ଶକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କଟକ ସହରରେ ମଧ୍ୟ ପୋଲିସ୍‌ ପ୍ରଶାସନ ପ୍ରରୁ ସମସ୍ତ ଜନସାଧରଣଙ୍କୁ, ବର୍ତ୍ତମାନ ସମୟରେ କୋଭିଡ ମହାମାରୀର ପ୍ରତ୍ୟାବର୍ତନକୁ ଗଭୀରତାରସହ ନେଇ ଏଭଳି କଠିନ ସମୟରେ ପୋଲିସକୁ ସହଯୋଗକରି ସରକାରଙ୍କର କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନକରିବା ପାଇଁ ଅନୁରୋଧ କରାଯାଇଛି। ଦୈନଦିନ ଜୀବନରେ ମାସ୍କପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବାସହ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏହି ନିର୍ଦ୍ଦେଶାବଳୀକୁ କିନ୍ତୁ କେତେକ ଅମାନିଆ ମାନୁନାହାଁନ୍ତି। ସେଥିପାଇଁ ମାସ୍କ ନ ପିନ୍ଧିବା ପାଇଁ ୪୯ ଏବଂ ସାମାଜିକ ଦୂରତ୍ତ୍ୱ ନମାନିଥିବାରୁ ୧୦୨ ଜଣଙ୍କୁ ଦଣ୍ଡ ବିଧାନ କରାଯାଇଥିବା କଟକ ସହର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରରେ ମହାମାରୀ କରୋନା ଭୁତାଣୁର ଅହେତୁକ ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା ଅଧିକ କଡ଼ାକଡ଼ି କରାଯାଇଛି। ଆଜି ରାଜ୍ୟରେ ୬୯୭୧ ନୂଆ ମାମଲା ସାମ୍ନାକୁ ଆସିବା ସମାବେଶ ଉପରେ ଅଙ୍କୁଶ ଲଗାଯାଇଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁନିସିପାଲିଟି ଅଞ୍ଚଳ ପାଇଁ କରୋନା ନିୟମାବଳୀ ଆସିଯାଇଛି। ଏସଆରିସି କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

କରୋନା ନିୟମ କଡାକଡି ଭାବେ ପାଳନ ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଏସପିଙ୍କୁ ଚିଠି ଲେଖଛି ପ୍ରଶାସନ। ମାସ୍କ ବ୍ୟବହାର, ସାମାଜିକ ଦୂରତା, ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, କାର୍ଯ୍ୟାଳୟରେ କୋଭିଡ୍ ନିୟମ କଡାକଡି ହେବ।

ଅପର ପକ୍ଷରେ କରୋନା କଟକଣା ପାଳନ ନେଇ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ସମସ୍ତ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। SRC ଜାରି କରିଥିବା ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡିକରେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ ବୋଲି କୁହାଯାଇଛି। ବଜାର, ହାଟରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି। ନିୟମ ପାଳନ ଉପରେ ସବୁ କାର୍ଯ୍ୟାଳୟ, ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଷ୍ଟି ରଖିବାକୁ କୁହାଯାଇଛି। ସେହିପରି ବିବାହ, କ୍ରୀଡା, ସାଂସ୍କୃତିକ ଉତ୍ସବ ଅନୁମତି ଥିଲେ ବି କୋଭିଡ୍ ନିୟମ ମାନିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନୱାଡି ଓ ସମସ୍ତ ଶିକ୍ଷାନୁଷ୍ଠାନରେ ବିଶୋଧନ ଉପରେ ଗୁରୁତ୍ବ ଦେବା ସହ ସ୍କୁଲରେ ଥର୍ମାଲ ସ୍କାନିଂ, ହ୍ୟାଣ୍ଡୱାସ, ସାନିଟାଇଜ ଉପରେ ଗୁରୁତ୍ବ ଦିଆଯିବାକୁ ପ୍ରାଥମିକତା ଦିଆଯାଇଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୩୮୫ରେ ପହଁଚିଛି। ସକ୍ରିୟ ସଂକ୍ରମିତ ୧୫୦୦୫୫ କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା- ୧୦୬୯୯୪୧୦ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୧୪,୧୯୯ କରୋନା ସଂକ୍ରମିତ, କେବଳ ମହାରାଷ୍ଟ୍ରରୁ ଅଧେ ଥିବାର ଜଣାପଡ଼ିଛି। ସେହିପରି ଏହି ପ୍ରାଣଘାତୀ ଭାଇରସରେ ଆଜି ଆଉ ୮୩ ଜଣଙ୍କ ମୃତ୍ୟୁ ହୋଇଛି।