Odiapua.com

ଖରିଫ୍‌ବୁଣାବୁଣିରେ ସନ୍ତୋଷଜନକ ପ୍ରଗତି : ଧାନ, ଡାଲିଜାତୀୟ ଫସଲ, ମୋଟା ଶସ୍ୟ ଓ ତୈଳବୀଜ ଚାଷ ଗତବର୍ଷ ତୁଳନାରେ ଅଧିକ ହୋଇଛି

– ୨୦୨୦-୨୧ ରବି ବିପଣନ ଋତୁରେ ୩୮୯.୭୫ ଲକ୍ଷ ମେଟ୍ରିକ ଟନ ଗହମ ଏଫ୍‌ସିଆଇ ଦ୍ୱାରା କିଣାଯାଇଛି

ନୂଆଦିଲ୍ଲୀ -୨୫-୭ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ସମୟରେ ଚାଷୀମାନଙ୍କୁ ସେମାନଙ୍କର ଚାଷକାର୍ଯ୍ୟ ଆଗେଇ ନେବାକୁ କୃଷି, ସମବାୟ ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ବୁଣାବୁଣି ଓ ଚାଷବାସ କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ କେଉଁ ଫସଲ କେତେ ଜମିରେ ଚାଷ କରାଯାଇଛି ତାହାର ବିବରଣୀ ନିମ୍ନମତେ ପ୍ରଦାନ କରାଯାଇଛି।

ଖରିଫ ଫସଲ ଚାଷ ହୋଇଥିବା ଜମିର ପରିମାଣ

ଧାନ: ଏବର୍ଷ ଏପର୍ଯ୍ୟନ୍ତ ୨୨୦.୨୪ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ଏହି ପରିମାଣ ଥିଲା ୧୮୭.୭୦ ଲକ୍ଷ ହେକ୍ଟର।

ଡାଲି: ଚଳିତବର୍ଷ ଖରିଫ ଋତୁରେ ୯୯.୭୧ ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଫସଲ ଚାଷ କରାଯାଇଛି। ଗତବର୍ଷ ଏହି ସମୟରେ ଏହା ଥିଲା ୭୯.୩୦ ଲକ୍ଷ ହେକ୍ଟର।

ମୋଟାଶସ୍ୟ: ଏଥର ଏଯାଏଁ ୧୩୭.୧୩ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ମୋଟାଶସ୍ୟ ଚାଷ ହୋଇଛି। ଗତବର୍ଷ ଏହି ସମୟରେ ଏହି ପରିମାଣ ଥିଲା ୧୨୦.୩୦ ଲକ୍ଷ ହେକ୍ଟର।

ତୈଳବୀଜ: ଏଥର ଏଯାଏଁ ପ୍ରାୟ ୧୬୬.୩୬ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ୧୩୩.୫୬ ଲକ୍ଷ ହେକ୍ଟର ଜମିରେ ଏହି ଚାଷ ହୋଇଥିଲା।

ଆଖୁ: ଗତବର୍ଷ ଏହି ସମୟ ମଧ୍ୟରେ ୫୧.୦୨ ଲକ୍ଷ ହେକ୍ଟର ଜମିରେ ଆଖୁଚାଷ ହୋଇଥିବାବେଳେ ଏବର୍ଷ ତାହା ବର୍ତ୍ତମାନ ସୁଦ୍ଧା ୫୧.୫୪ ଲକ୍ଷ ହେକ୍ଟରରେ ପହଞ୍ଚିଛି।

ଝୋଟ ଓ ମେସ୍ତା: ଏବର୍ଷ ଏଯାଏଁ ୬.୯୪ ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଛି। ଗତବର୍ଷ ଏହି ସମୟ ମଧ୍ୟରେ ଏହା ଥିଲା ୬.୮୪ ଲକ୍ଷ ହେକ୍ଟର।

କପା: ଏବର୍ଷ ଏଯାଏଁ ୧୧୮.୦୩ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଇଛି। ଗତବର୍ଷ ଏହି ପରିମାଣ ଥିଲା ୯୬.୩୫ ଲକ୍ଷ ହେକ୍ଟର।

କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର ୧୨୩ଟି ଜଳଭଣ୍ଡାରରେ ବର୍ତ୍ତମାନ ସୁଦ୍ଧା ଯେତେ ଜଳ ମହଜୁଦ ଅଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୧୫୫ ଶତାଂଶ।

ରବି ଫସଲ ବିପଣନ ଋତୁ ୨୦୨୦-୨୧ରେ ଏଫ୍‌ସିଆଇ ପାଖରେ ମୋଟ ୪୨୦-୯୦ ଲକ୍ଷ ମେଟ୍ରିକ ଟନ ଗହମ ଆସି ପହଞ୍ଚିଛି। ସେଥିମଧ୍ୟରୁ ଏଫ୍‌ସିଆଇ ୩୮୯.୭୫ ଲକ୍ଷ ମେଟ୍ରିକ ଟନ କ୍ରୟ କରିସାରିଛି।