Odiapua.com

କିପରି ଅଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ..

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ଏବଂ ପରୀକ୍ଷା କରାଇବା ପରେ ଧର୍ମେନ୍ଦ୍ରଙ୍କ କୋଭିଡ- ୧୯ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ସୁସ୍ଥ ଅଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ନିଜେ ଟ୍ୱିଟ କରି ଏବଂ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ସେ ସକ୍ରିୟ ଅଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରାମ ମନ୍ଦିର ପାଇଁ ଭୂମି ପୂଜନ, କୌଣସି ମହାପୁରୁଷଙ୍କ ଜୟନ୍ତୀ କିମ୍ବା ତିରୋଧାନ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ, କାହାର ମୃତ୍ୟୁ ଖବରରେ ଶୋକ ପ୍ରକଟ, ନୂତନ ରାଜ୍ୟପାଳ ନିଯୁକ୍ତି, ୩୭୦ ଧାରା ଉଚ୍ଛେଦ ବର୍ଷ ପୂର୍ତ୍ତି, କେନ୍ଦ୍ର ସରକାରଙ୍କ କୌଣସି ଯୋଜନା, ଜାତୀୟ ବୟନ ଶିଳ୍ପ ଦିବସ ଆଦି ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ଟ୍ୱିଟ ଏବଂ ଫେସବୁକରେ ପୋଷ୍ଟ କରି ଆସୁଛନ୍ତି। ଅର୍ଥାତ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କରନା ପଜେଟିଭର ସାମାନ୍ୟ ଲକ୍ଷଣ ଦେଖାଦେଇଛି, କିନ୍ତୁ ସେ ଭଲ ଏବଂ ସୁସ୍ଥ ଅଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଶୀଘ୍ର ସୁସ୍ଥ ହୁଅନ୍ତୁ ନେଇ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବା କିମ୍ବା ତାଙ୍କର ସୁସ୍ଥତା କାମନା କରି ଓଡ଼ିଶା ବିଜେପିର ନେତାନେତ୍ରୀ ମାନେ ନିଜ ସୋସିଆଲ୍ ଆକାଉଣ୍ଟ ଗୁଡ଼ିକରେ ପୋଷ୍ଟ କରୁଛନ୍ତି। ଏପରି କରିବା ସ୍ୱଭାବିକ କଥା। କିନ୍ତୁ, ଓଡ଼ିଶା ବିଜେପିର କିଛି ନେତାନେତ୍ରୀ ଟିକେ ମାତ୍ରାଧିକ ପ୍ରତିକ୍ରିୟା ଦେଖାଉଛନ୍ତି। ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁସ୍ଥତା ନେଇ ଏମାନେ ଠାକୁରଙ୍କ ପାଖେ ଏକାନ୍ତରେ ପ୍ରାର୍ଥନା କରିବା ପରିବର୍ତ୍ତେ କେବଳ ଲୋକ ଦେଖାଣିଆ ପାଇଁ, ଏବଂ ତାଙ୍କ ପାଇଁ ଏମାନେ କେତେ ଚିନ୍ତିତ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ମନ୍ଦିର ଯାଇ ଦୀପ ଜାଳି, ଫଟୋ ଉଠାଇ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରି ମିଡିଆରେ ପ୍ରଚାର କରାଇବା ପାଇଁ ଏକ ଯାତ୍ରା କରୁଛନ୍ତି। ଯେପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଏବଂ ସେ ଗୁରୁତ୍ୱର ଅବସ୍ଥାରେ ଅଛନ୍ତି। ଏପରିକି କେତେକ ରାମ ଜନ୍ମଭୂମୀ ପୂଜନ ଦିନ ପୂଜାର୍ଚ୍ଚନା କରିବା ସହ ସେଥିରେ ଧର୍ମେନ୍ଦ୍ରଙ୍କ ପାଇଁ ପୂଜାର୍ଚ୍ଚନା ଯୋଡ଼ି ରାମ ଜନ୍ମଭୂମୀ ଭୂମି ପୂଜନର ଗୁରୁତ୍ୱ କମାଇ ଦେଇଛନ୍ତି। ଚାଟୁକାରୀ କରିବା ପାଇଁ କିଛି ବିଜେପି ନେତାନେତ୍ରୀଙ୍କ ଏତାଦୃଶ ଆଚରଣ ପାଇଁ ଓଡ଼ିଶା ବିଜେପି, ଧର୍ମେନ୍ଦ୍ର ପ୍ରଧାନ ଏବଂ ନିଜେ ଏହି ନେତାନେତ୍ରୀ ମାନେ ଲୋକହସାର ପାତ୍ର ହେଉଛନ୍ତି। /- ଦେବଦତ୍ତ ରଥ