Odiapua.com

ବେକାବୁ ହେଲାଣି ସ୍ଥିତି; ଭଦ୍ରକକୁ ଧଳା ଜହର ମୁକ୍ତ କରିବା ପାଇଁ ଆହ୍ୱାନ: ହରପ୍ରିୟା ସାହୁ

ଭଦ୍ରକ: ବେକାବୁ ହେବାକୁ ବସିଲାଣି ସ୍ଥିତି! ଭଦ୍ରକକୁ ଧଳା ଜହର ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ। କରୋନା ମହାମାରୀ କାରଣରୁ ଜୀବନ ଜୀବିକା ଏବେ ବିପଦରେ ପଡ଼ିଯାଇଛି। କରୋନା କବଳରୁ ମୁକ୍ତି ପାଇବା ପାଇଁ ସାରା ମାନବ ସମାଜ ଏବେ ପ୍ରୟାସରତ। କିନ୍ତୁ, ଏଭଳି ବିପତ୍ତି ସମୟରେ ସମାଜର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିକୁ ବସିଥିବା ବେଳେ ତାକୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେବାକୁ ବସିଛନ୍ତି କିଛି ସମାଜ ବିରୋଧୀ ଅସାମାଜିକ ତତ୍ତ୍ୱ। ଭଦ୍ରକ ଜିଲ୍ଲାକୁ ଧଳା ଜହର କବ୍ଜାରେ ବାନ୍ଧି ରଖିବାକୁ ସେମାନେ କରୁଛନ୍ତି ଉଦ୍ୟମ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ। ହରପ୍ରିୟା କହିଛନ୍ତି, ଧଳା ଜହର ଯେ କେତେ ମାରତ୍ମକ ଆମେ ଜାଣିଛନ୍ତି। ଏହି ନିଶା ପାଇଁ କେତେ ଯେ ପରିବାର ବର୍ବାଦ୍ ହୋଇଗଲାଣି। ଯୁବପିଢ଼ି ଏ’ ନିଶା କବଳରେ ରହି ଏତେ ପାଗଳ ହୋଇଗଲେଣି ଯେ ଏହି ନିଶା ସେବନ ହେତୁ ଚୋରି କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ଧଳା ଜହର ପାଇଁ ନିଶାସକ୍ତ ବ୍ୟକ୍ତି କିଛି ଟଙ୍କା ପାଇଁ ହତ୍ୟା ଭଳି ଜଘନ୍ୟ ଅପରାଧ କରିବାର ମଧ୍ୟ ନଜିର ରହିଛି। ଯୁବଗୋଷ୍ଠୀ ନିଶା ଫାଶରେ ପଡ଼ୁଥିବା ବେଳେ ଉଜୁଡ଼ି ଯାଉଛି ଅନେକ ପରିବାର। ରୋଗ, ଅଭାବନୀୟ କାଣ୍ଡ ପାଇଁ ଅକାଳେ ଝଡ଼ି ପଡୁଛି ଅନେକ ଜୀବନ। ନିଶା ସେବନ କରି ଗାଡ଼ିମଟର ଚଳାଉଥିବା ବେଳେ ଦୁର୍ଘଟଣାରେ ମଧ୍ୟ ଅନେକ ପ୍ରାଣ ହରାଉଛନ୍ତି। ଆଜି ଆମ ଭଦ୍ରକ ମଧ୍ୟ ଆଜି ଏହି ଧଳା ଜହର ଜାଲରେ ଫସି ଯାଇଛି। ଏପରି ମାମଲା ଆମେ ବାରମ୍ବାର ଦେଖିବାକୁ ପାଉଛେ। କେତେକ ସ୍ଥାନରେ ଛୋଟ ଛୋଟ ପାନ ଦୋକାନ ଗୁଡ଼ିକରେ ଅସାମାଜିକ ଯୁବକ ଏପରି ନିଶା ଦ୍ରବ୍ୟକୁ ଲୁଚାଣିଆ ବିକ୍ରି କରି ଲାଲେଲାଲ୍ ହେଉଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ଏବେ ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହରପ୍ରିୟା ସାହୁ। ଏହାର ନିରାକରଣ ପାଇଁ ପୋଲିସ, ଅବକାରୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ଆଦି ବିଭିନ୍ନ ବିଭାଗ ଅଧିକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି। ତେବେ ଏହାସହ ଏହାର ଭୟାବହତାକୁ ହୃଦୟଙ୍ଗମ କରି, ଏହାକୁ ଗୁରୁତର ସହିତ ଗ୍ରହଣ କରି ଭଦ୍ରକକୁ ସଂପୂର୍ଣ୍ଣ ଧଳା ଜହର ମୁକ୍ତ କରିବା ଦିଗରେ ସବୁ ସଚେତନ ନାଗରିକ ଅଣ୍ଟା ଭିଡ଼ିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହରପ୍ରିୟା ସାହୁ। ନିଜ ଆଖପାଖରେ ଏହି କାରବାରକୁ ବିରୋଧ କରିବା ସହ ଏହି କାରବାରରେ ଲିପ୍ତ ଅପରାଧୀ କିମ୍ବା ଏହାକୁ ସେବନ କରୁଥିବା ବ୍ୟକ୍ତି ବିରୋଧରେ ପୋଲିସକୁ ସୂଚନା ଦେବାକୁ ଆହ୍ୱାନ କରିଛନ୍ତି ହରପ୍ରିୟା ସାହୁ।

ସୂଚନାଯୋଗ୍ୟ ଯେ କିଛି ତଳେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଧଳା ଜହର କାରବାର ଉପରେ ଆବଶ୍ୟକୀୟ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବୀପତ୍ର ଦେଇଥିଲେ। ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ବିଷ୍ଣୁପ୍ରିୟା ଲେଙ୍କା, ଉଷା ପାଢ଼ୀ, ବିଷ୍ଣୁପ୍ରିୟା ଜେନାଙ୍କ ସମେତ ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ପୁଷ୍ପକାନ୍ତ ସାହୁ, ଶଶାଙ୍କ ଦାଶ ବୃଷଭାନୁ ସାହୁ, ରାକେଶ ମହାପାତ୍ର, ଶୁଭେନ୍ଦୁ ମହାପାତ୍ର ଏବଂ ଶଶାଙ୍କ ଶେଖର ମିଶ୍ର ପ୍ରମୂଖ ସାମିଲ ଥିଲେ। ଏହାପରେ ଧଳା ଜହର କାରବାର ବିରୋଧରେ ପୋଲିସ୍ ଚଢ଼ାଉ ଜାରୀ ରହିଛି। ବାସ୍ତବରେ ବେକାବୁ ହେବାକୁ ବସିଲାଣି ଭଦ୍ରକରେ ଜଳା ଜହର (ବ୍ରାଉନସୁଗାର) କାରବାର। ଗତ ୩ ମାସରେ ୩ କୋଟି ଟଙ୍କାର ଧଳା ଜହର ଜବତ ହୋଇଥିବା ବେଳେ ଏହି କାରବାରରେ ଜଡ଼ିତ କିଛି ମହିଳାଙ୍କ ସମେତ ୨୩ ଜଣ ଗିରଫ ହୋଇଥିଲେ।ଏବେ ପୁନର୍ବାର ପୋଲିସ୍ ୨୬୫ ଗ୍ରାମ ବ୍ରାଉନସୁଗାର (ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ) ଜବତ କରିବା ସହ ଧଳା ଜହର କାରବାରରେ ଜଡ଼ିତ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି।