Odiapua.com

ଦେଶରେ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତିର ବହୁଳ ଉତ୍ପାଦନ ପାଇଁ ପାର୍କ ପ୍ରତିଷ୍ଠା ନିମନ୍ତେ ମନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡ଼ାଙ୍କ ଦ୍ୱାରା ଯୋଜନା ଓ ନିର୍ଦ୍ଦେଶାବଳୀ ଘୋଷଣା

ଦେଶରେ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତିର ବହୁଳ ଉତ୍ପାଦନ ପାଇଁ ପାର୍କ ପ୍ରତିଷ୍ଠା ନିମନ୍ତେ ମନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡ଼ାଙ୍କ ଦ୍ୱାରା ଯୋଜନା ଓ ନିର୍ଦ୍ଦେଶାବଳୀ ଘୋଷଣା
– ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ଓ ଆଧୁନିକ ଚିକିତ୍ସା ଉପକରଣ ଉତ୍ପାଦନ ପାଇଁ ବାଟ ଖୋଲିଲା
– ରାଜ୍ୟଗୁଡିକ ପକ୍ଷରୁ ମିଳିଲା ଅନୁକୂଳ ମତାମତ, ଏହି କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ପାଇଁ ସରକାରଙ୍କ ଉଦ୍ୟମ
– ବିଶ୍ୱର ଭେଷଜ ହବ୍‌ରେ ପରିଣତ ହେବାପାଇଁ ଭାରତ ସୁଦୃଢ଼ କଲା ଏହାର ଭିତ୍ତିଭୂମି
– ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତର ଉଦ୍ୟମ

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି-ଭି- ସଦାନନ୍ଦ ଗୌଡ଼ା ସୋମବାରଦିନ ନୂଆଦିଲ୍ଲୀଠାରେ ବଲ୍‌କ (ବିପୁଳ) ଔଷଧପତ୍ର ଏବଂ ମେଡିକାଲ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ୪ଟି ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଦେଶରେ ଜୀବନରକ୍ଷାକାରୀ, ଉଚ୍ଚମାନର ଔଷଧପତ୍ର ଓ ଅତ୍ୟାଧୁନିକ ଡାକ୍ତରୀ ସାମଗ୍ରୀ ଉତ୍ପାଦନ ପାଇଁ ୩ଟି ପାର୍କ ନିର୍ମାଣ କରାଯିବ। ଏହାଛଡା ଭେଷଜ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ଏ କ୍ଷେତ୍ରରେ ପୁଞ୍ଜିନିବେଶକୁ ବଢାଇବା ପାଇଁ ମଧ୍ୟ କେତେକ ଯୋଜନା ବିଷୟରେ ଘୋଷଣା କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ, ଭେଷଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ମନ୍ତ୍ରୀ ଶ୍ରୀ ଗୌଡା କହିଛନ୍ତି ଯେ ପ୍ରଧାମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ସହିତ ଔଷଧପତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ମୋଟ ୪ଟି ଯୋଜନା ଅନୁମୋଦନ ଲାଭ କରିଛି। ସେଥିମଧ୍ୟରୁ ଦୁଇଟି ବିପୁଳ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ପାଇଁ ଉଦ୍ଦିଷ୍ଟ। ଏ କ୍ଷେତ୍ରରେ ୩ଟି ପାର୍କ ଦେଶରେ ପ୍ରତିଷ୍ଠା କରାଯିବ। ଏହି ଯୋଜନାରେ ସାମିଲ ହେବା ପାଇଁ ସେ ରାଜ୍ୟ ସରକାର ଏବଂ ଶିଳ୍ପ ସଂସ୍ଥାଗୁଡିକୁ ଆହ୍ୱାନ ଜଣାଇଛନ୍ତି।

ସେ କହିଛନ୍ତି ଯେ ଭାରତ ବିଶ୍ୱର ଭେଷଜ କେନ୍ଦ୍ରଭାବେ ସମ୍ବୋଧିତ ହୋଇଥାଏ। କରୋନା ମହାମାରୀ ସମୟରେ ଏହା ସତ୍ୟରେ ପରିଣତ ହୋଇଛି। ଦେଶବ୍ୟାପୀ ଲକ୍‌ଡାଉନ ସତ୍ତ୍ୱେ ଭାରତ ବିପୁଳ ପରିମାଣର ଜୀବନରକ୍ଷାକାରୀ ଔଷଧପତ୍ର ଉତ୍ପାଦନ କରି ନିଜର ଆବଶ୍ୟକତା ପୂରଣ କରିବା ସହିତ ଔଷଧର ଅଭାବ ଥିବା ଦେଶଗୁଡିକୁ ଏହାକୁ ରପ୍ତାନୀ କରିବାରେ ସମର୍ଥ ହୋଇଛି। ଏହି ସଫଳତା ସତ୍ତ୍ୱେ ଭାରତ ଔଷଧପତ୍ରରେ ବ୍ୟବହୃତ ମୌଳିକ କଞ୍ଚାମାଲ କ୍ଷେତ୍ରରେ ଆତ୍ମନିର୍ଭର ନୁହେଁ। ଏଥିପାଇଁ ବିଦେଶରୁ ଏହାକୁ ଆମଦାନୀ କରିବାକୁ ପଡିଥାଏ। କିଛି ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ନିର୍ମାଣ ପାଇଁ ଆକ୍ଟିଭ ଫାର୍ମାସ୍ୟୁଟିକାଲ ଉପାଦାନ ବହୁଳ ଔଷଧ ଉତ୍ପାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ଉତ୍ପାଦନ ଏବଂ ସକ୍ରିୟ ଔଷଧୀୟ ଉପାଦନର ଆବଶ୍ୟକତା ରହିଛି। ସମାନଭାବେ ଆଧୁନିକ ଡାକ୍ତରୀ ଯନ୍ତ୍ରପାତି ପାଇଁ ଭାରତ ଏବେ ମଧ୍ୟ ଆତ୍ମନିର୍ଭରଶୀଳ ନୁହେଁ। ପ୍ରାୟ ୮୬ ଶତାଂଶ ଏଭଳି ସାମଗ୍ରୀ ଆମଦାନୀ କରିବାକୁ ପଡିଥାଏ।

ଏହି ଅବସରରେ ଶ୍ରୀ ମାଣ୍ଡଭିୟ କହିଥିଲେ ଯେ ମୌଳିକ ଔଷଧୀୟ ଉପାଦାନ ପାଇଁ ଦେଶର ଦକ୍ଷତା ବୃଦ୍ଧି ନିମନ୍ତେ ଯେଉଁ ପଦକ୍ଷେପ ନିଆଯାଉଛି ତାହା ବେଶ୍‌ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥା ବେଶ୍‌ସହାୟକ ହେବ। ଅନ୍ୟାନ୍ୟ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନରେ ଭାରତକୁ ଆତ୍ମନିର୍ଭଶୀଳ କରିବା ପାଇଁ ନୂଆ ଯୋଜନା ବେଶ୍‌ସୁହାଇବ। ସେ କହିଥିଲେ ଯେ ୫୩ଟି ବହୁଳ ବ୍ୟବହୃତ ଔଷଧ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ନୁହେଁ। ସେଥିପାଇଁ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି।

ନୂଆ ଚିଠାରେ ୪୧ଟି ଔଷଧ ଓ ଡାକ୍ତରୀ ସାମଗ୍ରୀ ଉତ୍ପାଦନ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ୫୩ଟି ବଲ୍‌କ ଡ୍ରଗ ଦେଶରେ ଉତ୍ପାଦିତ ହେବାର ସୁଯୋଗ ସୃଷ୍ଟି ହେବ। ଏହି ଯୋଜନାରେ ମନୋନୀତ ହୋଇଥିବା ୧୩୬ଟି ଉତ୍ପାଦନକାରୀଙ୍କୁ ନିଜର ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ନିର୍ଦ୍ଧାରିତ ଅଂଶ ପ୍ରୋତ୍ସାହନ ଆକାରରେ ଯୋଗାଇ ଦିଆଯିବ। ସେମାନେ ୪୧ଟି ଉତ୍ପାଦିତ ସାମଗ୍ରୀ ଉପରେ ଏହି ସ୍ୱତନ୍ତ୍ର ସୁବିଧା ପାଇବେ।

ଏ କ୍ଷେତ୍ରରେ ସେମାନଙ୍କୁ ଯେଉଁ ପ୍ରୋତ୍ସାହନ ମିଳିବ ତା ଉପରେ ବାର୍ଷିକ ସୀମା ଧାର୍ଯ୍ୟ କରାଯିବ। ଛଅ ବର୍ଷପାଇଁ ଏହି ସୁବିଧା ସେମାନଙ୍କୁ ମିଳିବ। ଫର୍‌ମେଣ୍ଟେସନ ସାମଗ୍ରୀ ପାଇଁ ୪ ବର୍ଷ ନିମନ୍ତେ ୨୦ ଶତାଂଶ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ପଞ୍ଚମ ବର୍ଷରେ ଏହା ୧୫ ପ୍ରତିଶତ ଏବଂ ଷଷ୍ଠ ବର୍ଷରେ ୫ ଶତାଂଶ ଦିଆଯିବ।

କେମିକାଲି ସିନ୍ଥେସାଇଜଡ ସାମଗ୍ରୀ ଉପରେ ୬ ବର୍ଷ ପାଇଁ ୧୦ ଶତାଂଶ ପ୍ରୋତ୍ସାହନ ଦିଆଯିବ। ପ୍ରତ୍ୟେକ ସାମଗ୍ରୀ ପାଇଁ ଉତ୍ପାଦକଙ୍କୁ ନିର୍ଦିଷ୍ଟ ପରିମାଣର ପୁଞ୍ଜି ବିନିଯୋଗ କରିବାକୁ ପଡିବ। ସେମାନଙ୍କର ପୁଞ୍ଜି ନିବେଶ ସର୍ବନିମ୍ନ ଉତ୍ପାଦନ କ୍ଷମତା ସ୍ତରରେ ପହଞ୍ଚିଲେ ସେମାନଙ୍କୁ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରାଯିବ। ଚାରିଟି ଫରମେଣ୍ଟେସନ ଭିତ୍ତିକ ଉତ୍ପାଦନ ପାଇଁ ସର୍ବୋଚ୍ଚ ନିବେଶ ସୀମା ୪ଶହ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ଅନ୍ୟ ୧୦ଟି ସାମଗ୍ରୀ ପାଇଁ ସର୍ବୋଚ୍ଚ ନିବେଶ ସୀମା ୫୦ କୋଟି ଟଙ୍କା ରଖାଯାଇଛି। ସେହିଭଳି ୪ଟି କେମିକାଲି ସିନ୍ଥେସାଇଜଡ ଉତ୍ପାଦ ପାଇଁ ସର୍ବୋଚ୍ଚ ନିବେଶ ସୀମା ୫୦ କୋଟି ଟଙ୍କା ରଖାଯାଇଛି। ସମାନ ଧରଣର ୨୩ଟି ଉତ୍ପାଦ ପାଇଁ ଏହି ସୀମା ୨୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି। ସମୁଦାୟ ୪୧ଟି ଉତ୍ପାଦ ପାଇଁ ସର୍ବନିମ୍ନ ଉତ୍ପାଦନ ଦକ୍ଷତା କେତେ ରହିବ ତାହା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ଫର୍‌ମେଣ୍ଟେସନ ଭିତ୍ତିକ ଉତ୍ପାଦ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରୁ ପ୍ରୋତ୍ସାହନ ମିଳିବ। ଏହା ପରେ ସଂପୃକ୍ତ ନିବେଶକଙ୍କୁ ୨ ବର୍ଷର ଜେଷ୍ଟେସନ ପିରିଅଡ ଦିଆଯିବ। ସେହି ସମୟ ମଧ୍ୟରେ ତାଙ୍କୁ ଅଙ୍ଗୀକାର କରିଥିବା ଅର୍ଥ ପ୍ରକଳ୍ପରେ ବିନିଯୋଗ କରିବାକୁ ପଡିବ।

କେମିକାଲି ସିନ୍ଥେସାଇଜଡ ଉତ୍ପାଦ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏଥିପାଇଁ ଏକବର୍ଷର ଜେଷ୍ଟେସନ ପରିଅଡ ରହିଛି। ସେହି ସମୟ ମଧ୍ୟରେ ନିଜର ଉଦ୍ୟୋଗରେ ଅଙ୍ଗୀକାର କରିଥିବା ଅର୍ଥ ବିନିଯୋଗ କରିବେ ଏବଂ ନିଜର ଉତ୍ପାଦନ କ୍ଷମତା ହାସଲ କରିବେ। ଯେକୌଣସି କଂପାନୀ ପାର୍ଟନରସିପ୍‌ଫାର୍ମ, ସ୍ୱତ୍ୱାଧିକାରୀ ସଂସ୍ଥା କିମ୍ବା ଭାରତରେ ପଞ୍ଜୀକୃତ ଏଲଏଲପି ଏଥିପାଇଁ ଆବେଦନ କରିପାରିବେ। ତେବେ ସେମାନଙ୍କୁ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରିବାକୁ ପଡିବ। କେଉଁ ସଂସ୍ଥା କେତେ ପ୍ରକାର ସାମଗ୍ରୀ ଉତ୍ପାଦନ କରିବେ ତାହାର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ।

ଆବେଦନକାରୀଙ୍କୁ ବାଛିବା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା କରାଯାଇଛି। ସଂପୃକ୍ତ ଆବେଦନକାରୀଙ୍କ ବାର୍ଷିକ ଉତ୍ପାଦନ ଦକ୍ଷତା ଅଙ୍ଗୀକାର ଏବଂ ସେ କେତେ ମୂଲ୍ୟରେ ନିଜର ଉତ୍ପାଦିତ ସାମଗ୍ରୀ ବିକିବାକୁ ଚାହୁଁଛନ୍ତି ତାହାକୁ ବିଚାରକୁ ନେଇ ଅନୁମତି ପ୍ରଦାନ କରାଯିବ। ଯେଉଁମାନେ କମ୍‌ମୂଲ୍ୟରେ ଅଧିକ ସାମଗ୍ରୀ ଉତ୍ପାଦନ କରିବାକୁ ଆବେଦନପତ୍ରରେ ଦର୍ଶାଇଥିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ।

ଫାର୍ମାସ୍ୟୁଟିକାଲ ବିଭାଗରର ୱେବସାଇଟରେ ଏହି ନିର୍ଦ୍ଦେଶାବଳୀ ଉପଲବ୍ଧ। ଆଜି ଯେଉଁ ୪ଟି ଯୋଜନା ଘୋଷଣା କରାଯାଇଛି ତାହାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା।

ଏହି ଯୋଜନା ଆବେଦନକାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଘୋଷଣାଠାରୁ ୧୨୦ ଦିନ ପର୍ଯ୍ୟନ୍ତ ମୁକ୍ତ ରହିବ। ଆବେଦନପତ୍ର ଗ୍ରହଣର ଶେଷ ତାରିଖ ପରଠାରୁ ୯୦ ଦିନ ମଧ୍ୟରେ ମନୋନୀତ ଆବେଦନକାରୀଙ୍କୁ ଅନୁମତି ପ୍ରଦାନ କରାଯିବ। ଅନ୍‌ଲାଇନ ପ୍ରକ୍ରିୟାରେ ଆବେଦନପତ୍ରଗୁଡିକ କେବଳ ଗ୍ରହଣ କରାଯାଇପାରିବ। ଏହି ଯୋଜନାର ମୋଟ ବ୍ୟୟବରାଦ ୬୯୪୦ କୋଟି ଟଙ୍କା।

ବଲ୍‌କ ଡ୍ରଗ ପାର୍କ ପାଇଁ ପ୍ରୋତ୍ସାହନ ଯୋଜନା; ଏହି ଯୋଜନାରେ ଦେଶରେ ୩ଟି ବଲ୍‌କ ଡ୍ରଗ ପାର୍କ ପ୍ରତିଷ୍ଠା କରାଯିବ। ପ୍ରକଳ୍ପ ଖର୍ଚ୍ଚର ୯୦ ଶତାଂଶ ଉତ୍ତର ପୂର୍ବାଞ୍ଚଳ ଓ ପାହାଡିଆ ରାଜ୍ୟ ପାଇଁ ଅନୁଦାନ ଆକାରରେ ଯୋଗାଇ ଦିଆଯିବ। ଅନ୍ୟାନ୍ୟ ରାଜ୍ୟ ପାଇଁ ଏହା ୭୦ ଶତାଂଶ ଧାର୍ଯ୍ୟ କରାଯାଇଛି। ବଲ୍‌କ ଡ୍ରଗ ପାର୍କ ପାଇଁ ସର୍ବାଧିକ ଅନୁଦାନ ୧ ହଜାର କୋଟି ଟଙ୍କା ଧାର୍ଯ୍ୟ ହୋଇଛି।

ଆହ୍ୱାନ ଭିତ୍ତିରେ ରାଜ୍ୟଗୁଡିକୁ ଏଥିପାଇଁ ମନୋନୀତ କରାଯିବ। ଯେଉଁ ରାଜ୍ୟମାନେ ଏହି ପାର୍କ ପ୍ରତିଷ୍ଠା କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ବଲ୍‌କ ଡ୍ରଗ ୟୁନିଟଗୁଡିକ ପାଇଁ ସଂପୃକ୍ତ ପାର୍କରେ ୨୪ ଘଣ୍ଟିଆ ବିଜୁଳି ଓ ପାଣି ଯୋଗାଇ ଦେବାକୁ ପଡିବ। ଏହାଛଡା ସଂପୃକ୍ତ ସଂସ୍ଥାଙ୍କୁ ସ୍ୱଳ୍ପ ମୂଲ୍ୟରେ ଜମି ଯୋଗାଇ ଦେବାକୁ ପଡିବ। ଯୋଗାଯୋଗ ସୁବିଧା ଏବଂ ପରିବେଶ ଅନୁକୂଳ ଅଞ୍ଚଳରେ ଏସବୁ ପାର୍କ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଦିଆଯିବ।

ଯେଉଁ ରାଜ୍ୟଗୁଡିକ ବେପାର ବଣିଜ ସୁବିଧା ଯୋଗାଣ କ୍ଷେତ୍ରରେ ଭଲ ସ୍ଥିତିରେ ଅଛନ୍ତି ଏବଂ ସେମାନଙ୍କର ବୈଷୟିକ ଲୋକଶକ୍ତି, ଔଷଧୀୟ ସାମଗ୍ରୀ ଉତ୍ପାଦନ କରିବା ଭଳି ଉପଯୁକ୍ତ ଅଞ୍ଚଳ ରହିଛି ସେମାନଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ନିର୍ଦ୍ଦେଶାବଳୀରେ ପ୍ରଦତ୍ତ ବିଭିନ୍ନ ମାନକୁ ବିଚାରକୁ ନେଇ ରାଜ୍ୟମାନଙ୍କୁ ଏଥିପାଇଁ ବଛାଯିବ। ଯେଉଁମାନେ ଉପରଲିଖିତ ବିଷୟରେ ଉପରେ ଥିବେ ସେମାନଙ୍କ ମଧ୍ୟରୁ ପ୍ରଥମେ ୩ଟି ରାଜ୍ୟକୁ ମନୋନୀତ କରାଯିବ। ନିର୍ଦ୍ଦେଶାବଳୀ ପ୍ରକାଶର ୬୦ ଦିନ ମଧ୍ୟରେ ଆଗ୍ରହୀ ରାଜ୍ୟମାନଙ୍କୁ ଆବେଦନ କରିବାକୁ ପଡିବ ଏବଂ ୩ଟି ମନୋନୀତ ରାଜ୍ୟଙ୍କୁ ସେମାନଙ୍କ ପ୍ରସ୍ତାବ ଦାଖଲର ୩୦ ଦିନ ମଧ୍ୟରେ ଅନୁମୋଦନ ପ୍ରଦାନ କରାଯିବ।

ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ରାଜ୍ୟକୁ ସମାନ ନିୟମରେ ୧୮୦ ଦିନ ମଧ୍ୟରେ ଅନୁମତି ପ୍ରଦାନ କରାଯିବ। ଅନୁଦାନ ଅର୍ଥ ୪ଟି ପର୍ଯ୍ୟାୟରେ ଯୋଗାଇ ଦିଆଯିବ। ପ୍ରଥମ ୩ ପର୍ଯ୍ୟାୟରେ ୩୦ ଶତାଂଶ ଲେଖାଏଁ ଏବଂ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୧୦ ଶତାଂଶ ଅନୁଦାନ ମିଳିବ। ଅନୁମୋଦିତ ଡିପିଆର ଅନୁସାରେ ମନୋନୀତ ରାଜ୍ୟଗୁଡିକୁ ପ୍ରଥମ ପର୍ଯ୍ୟାୟ ଅନୁଦାନ ମିଳିବାର ଦୁଇ ବର୍ଷ ମଧ୍ୟରେ ପାର୍କର ଭିତ୍ତିଭୂମି ସଂପୂର୍ଣ୍ଣ କରିବାକୁ ପଡିବ। ଏଥିପାଇଁ ପାର୍କର ଅନୁମୋଦନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ଏକ୍ସଲେନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ଉନ୍ନୟନ ଓ ଗବେଷଣା ବ୍ୟବସ୍ଥା କରିବାକୁ ହେବ। ଏହି ଯୋଜନା ମୋଟ ବ୍ୟୟ ବରାଦ ୩ କୋଟି ଟଙ୍କା ରହିଛି।

ଡାକ୍ତରୀ ଯନ୍ତ୍ରପାତି ଉତ୍ପାଦନ ପାଇଁ ଯେଉଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ତାହା ୪ଟି କ୍ଷେତ୍ରରେ କାର୍ଯ୍ୟକାରୀ ହେବ। ସର୍ବାଧିକ ୨୮ଟି ସଂସ୍ଥାଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି ଉପରେ ୫ବର୍ଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଘରୋଇ ଭାବେ ଉତ୍ପାଦିତ ସାମଗ୍ରୀ ଉପରେ ବିକ୍ରୟ ମୂଲ୍ୟ ଉପରେ ୫ ଶତାଂଶ ହାରରେ ଏହି ପ୍ରୋତ୍ସାହନ ରାଶି ମିଳିବ। ତେବେ ଏଥିପାଇଁ ଏକ ବାର୍ଷିକ ସୀମା ଧାର୍ଯ୍ୟ ହୋଇଛି।

କ୍ୟାନସ୍‌ର ଚିକିତ୍ସା ଓ ଯତ୍ନ/ରେଡିଓଥେରାପି ଉପକରଣ, ନ୍ୟୁକ୍ଳିୟର ଇମେଜିଂ ଡିଭାଇସ୍‌, ନିଶ୍ଚେତକ ଏବଂ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସାରେ ବ୍ୟବହୃତ ଯନ୍ତ୍ରପାତି, ରେନାଲ କେୟାର ଉପକରଣ, ବିଭିନ୍ନ ପ୍ରକାର ଇମ୍‌ପ୍ଲାଣ୍ଟସ ଓ ଇଲେକ୍ରୋ୍ୟନିକ୍ସ ଡିଭାଇସ ଉତ୍ପାଦନ ଉପରେ ଅଗ୍ରାଧିକାର ଦିଆଯିବ।

ଭାରତରେ ପଞ୍ଜୀକୃତ ଯେକୌଣସି କଂପାନୀ ଯେଉଁମାନଙ୍କର ସର୍ବନିମ୍ନ ନିଟ୍‌ମୂଲ୍ୟ ୧୮ କୋଟି ଟଙ୍କା ହୋଇଥିବ ସେମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନକାରୀ ଗୋଟିଏ ଜାଗାରେ ଏକ ବା ଏକାଧିକ ସାମଗ୍ରୀ ଉତ୍ପାଦନ କରିବାକୁ ଆବେଦନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ପ୍ରତ୍ୟେକ ଆବେଦନନକାରୀଙ୍କୁ ପ୍ରତିବର୍ଷ ଧାର୍ଯ୍ୟ ମୁତାବକ ନିବେଶ କରିବାକୁ ପଡିବ। ତେବେ ଯାଇ ସେମାନେ ପ୍ରୋତ୍ସାହନ ରାଶି ପାଇବାକୁ ହକ୍‌ଦାର ହେବେ। ଏଥିପାଇଁ ନିର୍ଦ୍ଦେଶାବଳୀ ଘୋଷଣାର ୧୨୦ ଦିନ ମଧ୍ୟରେ ଅନ୍‌ଲାଇନରେ ଆବେଦନ କରିବାକୁ ପଡିବ। ଆବେଦନର ଶେଷ ତାରିଖର ୬୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ମନୋନୀତ କରାଯାଇ ଅନୁମତି ପ୍ରଦାନ କରାଯିବ। ଏହି ଯୋଜନାରେ ମୋଟ ୩୪୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଅମିତାଭ କାନ୍ତ କହିଥିଲେ ଯେ ଭାରତ ଏବେ ବିପୁଳ ପରିମାଣର ଜେନେରିକ୍‌ଔଷଧ ଉତ୍ପାଦନ କରୁଛି। ଏହାଛଡା ଦେଶରେ ୫୦୦ ଏପିଆଇ ଔଷଧ ଉତ୍ପାଦିତ ହେବା ସତ୍ତ୍ୱେ ବିଦେଶରୁ ଏହାକୁ ଆମଦାନୀ କରିବାକୁ ପଡୁଛି। ପ୍ରଧାନମନ୍ତ୍ରୀ ଔଷଧପତ୍ର ଆମଦାନୀ ପରିମାଣକୁ ହ୍ରାସ କରିବା ପାଇଁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଫାର୍ମାସ୍ୟୁଟିକାଲ ବିଭାଗର ସଚିବ ଶ୍ରୀ ପି-ଡି- ୱାଘେଲା ଏହି ନିର୍ଦ୍ଦେଶାବଳୀ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ।

ଏହି ଯୋଜନା ଭାରତକୁ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହ ବିଶ୍ୱର ଚାହିଦାକୁ ପୂରଣ କରିପାରିବ ବୋଲି ଆଶା କରାଯାଉଛି। ବଲ୍‌କ ଡ୍ରଗ ଓ ଡାକ୍ତରୀ ଉପକରଣ ଉତ୍ପାଦନ ପାଇଁ ଭାରତରେ ଏବେ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। ଦେଶରେ ମଧ୍ୟ ଉତ୍ତମ ଶିଳ୍ପ ଭିତ୍ତିଭୂମି ବାତାବରଣ ରହିଛି। ନିବେଶକମାନେ ଏହାର ସୁଯୋଗ ନେବାକୁ ଆଗ୍ରହୀ ହୋଇପାରନ୍ତି। ଏବେ ଭାରତରେ ମଧ୍ୟ ଉଦାରବାଦୀ ପୁଞ୍ଜିନିବେଶ ନୀତି କାର୍ଯ୍ୟକାରୀ ହେଉଛି। ଏହାଛଡା କର୍ପୋରେଟ ଟିକସ ପରିମାଣ ୧୭ ଶତାଂଶକୁ ହ୍ରାସ କରାଯାଇଛି। ଏହାଦ୍ୱାରା ଭେଷଜ ଉଦ୍ୟୋଗ ଓ ଅର୍ଥନୀତିକୁ ଲାଭ ମିଳିବ ବୋଲି ଆଶା କରାଯାଉଛି।