Odiapua.com

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ: ବାସ୍ତୁ ଶାସ୍ତ୍ରରେ ଶ୍ରୀ ଗଣେଶ; ଜାଣନ୍ତୁ କିଛି ନିୟମ ..

।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା |।

ଶ୍ରୀ ଗଣେଶ ବିଘ୍ନନାଶ, ଅଗ୍ରପୂଜ୍ୟ। ନୂତନ ଘର ପ୍ରବେଶ ହେଉ ଅବା ଶୁଭକାର୍ଯ୍ୟ, ସର୍ବ ପ୍ରଥମେ ପୂଜା ପାଆନ୍ତି ଶ୍ରୀ ଗଣେଶ। ଗଣେଶଙ୍କୁ ପୂଜା କଲେ ସବୁ କିଛି ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରୀ ଗଣେଶ ହେଉଛନ୍ତି ଉନ୍ନତି, ସମୃଦ୍ଧି, ଶୁଭଙ୍କର ଏବଂ ମଙ୍ଗଳକାରୀ ଦେବତା। କୁହାଯାଏ ଯେ ଯେଉଁଠାରେ ଗଣେଶ ଜୀଙ୍କୁ ପ୍ରତିଦିନ ପୂଜା କରାଯାଏ, ସେଠାରେ “ରିଦ୍ଧି – ସିଦ୍ଧି” ଏବଂ ଶୁଭଲାଭ ବାସ କରିଥାଏ। ଏପରି ସ୍ଥାନରେ ଅମଙ୍ଗଳକାରୀ ଘଟଣା ଦୁଃଖ ଏବଂ ଦାରିଦ୍ର୍ୟତା ଆସିନଥାଏ। ତେଣୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଘରେ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ। ଗଣେଶଙ୍କ ମୂର୍ତ୍ତି ବା ଫଟୋ ନିଜ ଘରେ ରଖନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଶ୍ୱାସ କରାଯାଏ ଯେ ଯେଉଁ ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶଙ୍କର ପ୍ରତିମା ରହିଥାଏ, ସେହି ଘରେ ଦିନକୁ ଦିନ ଉନ୍ନତ୍ତି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମା ଠିକ ଭାବରେ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ପ୍ରାଚୀନ କାଳରୁ ଘରର ମୁଖ୍ୟ ଦ୍ୱାର ଉପରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଗଣେଶଙ୍କ ପ୍ରତିମା ସ୍ଥାପନ କରିବାର ପରମ୍ପରା ରହିଆସିଛି। ଅନେକ ସ୍ଥାନରେ ଘରର ମୁଖ୍ୟ ଦ୍ୱାର ଉପର ମଧ୍ୟ ଭାଗରେ ଶ୍ରୀ ଗଣେଶଙ୍କ ପ୍ରତିମା ବିରାଜିତ କରି ଉଭୟ ପାର୍ଶ୍ଵରେ ଗଣେଶଜୀଙ୍କ ଦୁଇ ପତ୍ନୀଙ୍କ ନାମ “ରିଦ୍ଧି – ସିଦ୍ଧ” ସିନ୍ଦୂରରେ ଲେଖିବାର ପରମ୍ପରା ରହିଛି। ବିଶ୍ୱାସ କରାଯାଏ ଯେ ଏହା ଦ୍ୱାରା ଘରେ ଜ୍ଞାନ ଏବଂ ଧନର ଅଭାବ ରହିନଥାଏ। ଭାରତରେ ପ୍ରାୟ ସମସ୍ତ ମନ୍ଦିରରେ ମୁଖ୍ୟ ଦ୍ୱାର ଉପରେ ବାହାର ପଟକୁ ମୁହଁ କରି ଶ୍ରୀ ଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇ ଥିବାର ଦେଖାଯାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଶ୍ରୀ ଗଣେଶଙ୍କୁ ସ୍ଥାପନ କରିବାର ନିୟମ –
– ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ।

– ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ, ତେବେ ଘର ଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଚାହିଁବା ଭଳି ୯” ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ।

– ଘରର ଯେ କୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାତ୍ ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ୍।

– ଘରର ମଧ୍ୟ ଭାଗ ଅର୍ଥାତ୍ ବ୍ରହ୍ମା ସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ।

– ଘରେ ଶ୍ରୀ ଗଣେଶଙ୍କର ବସିଥିବା, ଆଶୀର୍ବାଦ ଦେଉଥିବା ଭଙ୍ଗିର ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଭିନ୍ନ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ।

– ଶ୍ରୀ ଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ।
-/DevDr