Odiapua.com

ଶିବ ପାର୍ବତୀ ବିବାହ ଏବଂ ପବିତ୍ର ଶୀତଳ ଷଷ୍ଠୀ: ଏକ ନିଆରା ଉତ୍ସବ ଓ ପରମ୍ପରା ..

ଶିବ, ରୁଦ୍ର ଏବଂ ପାର୍ବତୀ, ଶାନ୍ତିର ବାର୍ତ୍ତା ବହନ କରନ୍ତି। ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଇ ବର୍ଷା ଋତୁର ଆଗମନ ସମୟରେ ଶିବ ପାର୍ବତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳ ଷଷ୍ଠୀ। ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମହ୍ଲାର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରିଥାଏ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ତା’ପର ଦିନ ପାଳନ ହୁଏ ଶୀତଳ ଷଷ୍ଠୀ ଯାତ୍ରା। ଶୀତଳ ଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ। ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷ ପ୍ରଜାପତି ପାର୍ବତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି। ପାର୍ବତୀଙ୍କ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ୱେ ଶ୍ମଶାନଚାରୀ ସେ ଶିବଙ୍କୁ ବିବାହ କରନ୍ତି। ଏଥିରେ କ୍ଷୁବ୍ଧ ହୋଇ ଦକ୍ଷ ପ୍ରଜାପତି ନିଜେ ଆୟୋଜନ କରୁଥିବା ଏକ ଯଜ୍ଞକୁ ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ। ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ଦେବୀ ପାର୍ବତୀ ପିତ୍ରାଳୟ ଯାଆନ୍ତି। ଯଜ୍ଞ ସ୍ଥଳରେ ଦକ୍ଷ ପ୍ରଜାପତି ଶିବଙ୍କୁ ଅପମାନ କଲାପରି କଥା ପାର୍ବତୀଙ୍କୁ କହିବାରେ କରିବାରେ ଏହାକୁ ସହ୍ୟ କରିନପାରି ସତୀ ଯଜ୍ଞ କୁଣ୍ଡରେ ଝାସ ଦିଅନ୍ତି। ସତୀଙ୍କ ଯଜ୍ଞ କୁଣ୍ଡରେ ଝାସଦେବା ଶୁଣି ମହାଦେବ ଯଜ୍ଞ ସ୍ଥଳକୁ ଧ୍ୱଂସ କରିଦିଅନ୍ତି। ଏବଂ ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରି ବୁଲନ୍ତି। ଏହାପରେ ଭଗବାନ ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କ ଠାରୁ ଅଲଗା କରିଦିଅନ୍ତି।

ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କରେ। ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶନ୍ତି। ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି କହିବା ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି। ଦେବାଦେବୀ ଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ। ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ଶାନ୍ତ ଏବଂ ଶୀତଳ ହୋଇଯାଆନ୍ତି। ଦେବଦମ୍ପତିଙ୍କ ଏହି ମହାମିଳନକୁ ଶୀତଳଷଷ୍ଠୀ ଭାବେ ପାଳନ କରାଯାଇଥାଏ।

ବିଧିବିଧାନ ଏବଂ ପରମ୍ପରା ସହିତ ଶିବପାର୍ବତୀଙ୍କ ବିବାହ ଉତ୍ସବ –
ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ। କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶିବ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରନ୍ତି। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମଧାମରେ ମାତା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ରଙ୍ଗବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ। ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବ ପାର୍ବତୀଙ୍କ ପୂଜାରେ ଶେଷହୁଏ।

ପୁରୀ ଲୋକନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଏବଂ ସମ୍ବଲପୁରର ଶିବମନ୍ଦିର ମାନଙ୍କରେ ଶୀତଳ ଷଷ୍ଠୀ ଉତ୍ସବ ବହୁ ଜାକଜମକରେ ପାଳନ କରାଯାଏ। ସମ୍ବଲପୁରରେ ଏଇ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ସଙ୍ଗୀତ ଓ ନାଚ। ଏହା ସମ୍ବଲପୁର, ବିଶେଷକରି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟକୁ ଉପଭୋଗ କରିବାରେ ଏକ ଦୁର୍ଲଭ ଅବସର। -ଦେବଦତ୍ତ ରଥ