Odiapua.com

କ୍ରୁଜ ସିପ ପାଇଁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ବନ୍ଦର ତାରିଫ ହାର ୬୦ରୁ ୭୦ ଶତାଂଶ ଯାଏଁ କମାଇଲା

– ଏହି ନିଷ୍ପତ୍ତି ଫଳରେ କ୍ରୁଜ ଉଦ୍ୟୋଗ ଏବଂ ଘରୋଇ କ୍ରୁଜ ପର୍ଯ୍ୟଟନ ଉପକୃତ ହେବ

– କରୋନା ସଂକ୍ରମଣ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ଏହି ଉଦ୍ୟୋଗର ଉତ୍‌ଥାନ ପାଇଁ ସରକାର ଉଦ୍ୟମ କରୁଛନ୍ତି: ମନ୍ତ୍ରୀ ମାଣ୍ଡଭିୟ

ନୂଆ ଦିଲ୍ଲୀ ୧୫-୮ (ଓଡ଼ିଆ ପୁଅ) କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ କ୍ରୁଜ ସିପ୍‌ଗୁଡିକ ପାଇଁ ତାରିଫ ହାରକୁ ସରଳ ଓ ଯୁକ୍ତିଯୁକ୍ତ କରିଛି। ଏହାର ତୁରନ୍ତ ଅନୁକୂଳ ପ୍ରଭାବ ବନ୍ଦରଗୁଡିକରେ ଆଦାୟ ହେଉଥିବା କ୍ରୁଜ ଭଡା ଉପରେ ପଡିଛି। ବନ୍ଦରଗୁଡିକରେ ଏସବୁ ଜାହାଜ ଚଳାଚଳ ଉପରେ ଯେଉଁ ଟିକସ ଆଦାୟ କରାଯାଉଥିଲା ତାହା ୬୦ରୁ ୭୦ ଶତାଂଶ ଯାଏଁ କମିବ। ଏହା ଫଳରେ ଦେଶର କ୍ରୁଜ ଉଦ୍ୟୋଗ ବିଶେଷ ଉପକୃତ ହେବ। କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ବିଭିନ୍ନ ଆର୍ଥିକ କ୍ଷେତ୍ରକୁ ସହାୟତା କରିବା ପାଇଁ ସରକାର ଯେଉଁ ନୀତି ପ୍ରଣୟନ କରିଛନ୍ତି ତଦନୁସାରେ ଏହି ପଦକ୍ଷେପ ନିଆଯାଇଛି।

ଏହି ଟିକସ ହାର ନିମ୍ନଲିଖିତ ମତେ ଲାଗୁ ହେବ।

୧- ଗୋଟିଏ କ୍ରୁଜ ଜାହାଜ ପାଇଁ ଏଣିକି ଗ୍ରସ ରେଜିଷ୍ଟଡ ଟନେଜ ବା ଜିଆରପି ଉପରେ ୦-୦୮୫ ଡଲାର ହିସାବରେ ପୋର୍ଟ ଚାର୍ଜ ଲାଗିବ। ଆଗରୁ ଏହା ୦-୩୫ ଡଲାର ଥିଲା। ପ୍ରଥମ ୧୨ ଘଣ୍ଟା ରହିବା ପାଇଁ ଧାର୍ଯ୍ୟ ଟିକସ ଯାତ୍ରୀ ପିଛା ୫ ଡଲାର କରାଯାଇଛି। ଏହାବ୍ୟତୀତ ବନ୍ଦର କର୍ତ୍ତୃପକ୍ଷ ଏସବୁ ଜାହାଜରୁ ବର୍ଥ ହାୟାର, ପୋର୍ଟ ଡିଉ, ପାଇଲଟେଜ ଓ ପାସେଞ୍ଜର ଫି ଆଦି ଅନ୍ୟ କୌଣସି ଟିକସ ଆଦାୟ କରିବ ନାହିଁ।

୨- ବାର ଘଣ୍ଟାରୁ ଅଧିକ ରହଣି ପାଇଁ କ୍ରୁଜ ସିପ୍‌ର ଧାର୍ଯ୍ୟ ଦେୟ ବର୍ଥ ହାୟାର ଚାର୍ଜ ସହ ସମାନ ରହିବ ଏବଂ ଏହାକୁ ସିଡ୍ୟୁଲ ଅଫ୍‌ ରେଟରେ ଭରଣା କରିବାକୁ ହେବ। ଅବଶ୍ୟ ଏ କ୍ଷେତ୍ରରେ କ୍ରୁଜ ଜାହାଜଗୁଡିକ ପାଇଁ ୪୦ ଶତାଂଶର ରିଆତି ବ୍ୟବସ୍ଥା ଲାଗୁ ହେବ।

୩- ସେହିଭଳି କ୍ରୁଜସିପ୍‌ ମେକ୍‌ଙ୍ଗିରେ ବାର୍ଷିକ ୧ରୁ ୫୦ କଲ୍‌ ପାଇଁ ୧୦ ଶତାଂଶ ରିଆତି ପାଇବେ। ୫୧ରୁ ୧୦୦ କଲ୍‌ ପ୍ରତି ୨୦ ଶତାଂଶ ଏବଂ ୧୦୦ରୁ ଅଧିକ କଲ୍‌ ପାଇଁ ୩୦ ଶତାଂଶରୁ ଅଧିକ ରିବେଟ ମିଳିବ। ଏହିସବୁ ରିଆତି ଓ ସୁବିଧା ତୁରନ୍ତ ଏକବର୍ଷ ପାଇଁ ଲାଗୁ କରାଯାଇଛି। ପ୍ରତ୍ୟେକ ଥର ବନ୍ଦରକୁ ଆସିବା ‘କଲ୍‌’ଭାବେ ପରିଚିତ।

ସାଂପ୍ରତିକ କରୋନା ମହାମାରୀ ଦ୍ୱାରା ଭାରତର କ୍ରୁଜ ଉଦ୍ୟୋଗ ଏବଂ ଜାହାଜ ଚଳାଚଳ ବେପାର ବିଶେଷଭାବେ ପ୍ରଭାବିତ ହୋଇଛି। ପର୍ଯ୍ୟଟନର ବିକାଶ ସହ ଏହି ଉଦ୍ୟୋଗର ଅଭିବୃଦ୍ଧି ନିମନ୍ତେ ସରକାର ଏହି ଆର୍ଥିକ ରିଆତି ସୁବିଧା ଯୋଗାଇ ଦେଇଛନ୍ତି। ୨୦୧୪ରୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏହି ଉଦ୍ୟୋଗକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇଆସୁଛି। ଫଳରେ ଭାରତକୁ କ୍ରୁଜସିପ୍‌ର ଆଗମନ (କଲ୍‌) କ୍ରମଶଃ ବଢୁଛି। ୨୦୧୫ରେ ଭାରତକୁ ୧୨୮ଟି କ୍ରୁଜସିପ୍‌ ଆସିଥିବାବେଳେ ୨୦୧୯-୨୦ରେ ଏହା ୫୯୩କୁ ବୃଦ୍ଧି ପାଇଥିଲା। ସରକାରଙ୍କ ନୂଆ ପଦକ୍ଷେପ ଫଳରେ ଭାରତୀୟ ବନ୍ଦରଗୁଡିକୁ ଏଣିକି ଅଧିକରୁ ଅଧିକ କ୍ରୁଜ ଜାହାଜ ଆସିବ ବୋଲି ଆଶା କରାଯାଉଛି। କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱର କ୍ରୁଜ ବଜାରରେ ଭାରତ ଉପଯୁକ୍ତ ସ୍ଥାନ ପାଉ ବୋଲି ପ୍ରଧାନମନ୍ତ୍ରୀ ଚାହାନ୍ତି। ଏହାଛଡା ଦେଶର ପ୍ରମୁଖ ନଦୀଗୁଡିକରେ ମଧ୍ୟ କ୍ରୁଜ ଚଳାଚଳ କରାଇ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବାକୁ ପ୍ରଧାନମନ୍ତ୍ରୀ ଆଗ୍ରହୀ। ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ଏହା ଫଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ ଏବଂ ବିଦେଶରୁ ଅଧିକ ପର୍ଯ୍ୟଟକ ଆସିବେ। ଏହାଦ୍ୱାରା ବୈଦେଶିକ ମୁଦ୍ରା ଅର୍ଜନ ସୁଯୋଗ ସୃଷ୍ଟି ହେବା ସହ ନିଯୁକ୍ତି ସୁବିଧା ମଧ୍ୟ ବଢିବ।