Odiapua.com

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ଅବସରରେ ‘ଅଟଳ ସମ୍ମାନ-୨୦୨୧’ରେ ସମ୍ମାନୀତ ହେବେ ବରିଷ୍ଠ ସଂଗଠକ ଶରତ ଚନ୍ଦ୍ର ବେହେରା

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି। ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜନ୍ମ ଦିବସ ପାଳନ ସହ ଏହି ଅବସରରେ ସମ୍ମାନ ଜନକ “ଅଟଳ ସମ୍ମାନ – ୨୦୨୧” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୁଶାସନ ଓ କେନ୍ଦ୍ର ରାଜ୍ୟ ସଂପର୍କ ବିଭାଗର ରାଜ୍ୟ ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।

ଉତ୍ତର ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଙ୍ଗଠନ ମୁଳଦୁଆ ପକାଇଥିବା ବରିଷ୍ଠ ସଙ୍ଗଠକ ଶରତ ଚନ୍ଦ୍ର ବେହେରାଙ୍କୁ ଚଳିତ ବର୍ଷ “ଅଟଳ ସମ୍ମାନ -୨୦୨୧” ସମ୍ମାନରେ ସମ୍ମାନୀତ କରାଯିବ। ସେହିପରି ବିଶିଷ୍ଟ ରାଷ୍ଟ୍ରବାଦି କବି ଡ. ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ -୨୦୨୧” ରେ ସମ୍ମାନୀତ କରାଯିବ। ଡ. ପଣ୍ଡା ଓଡ଼ିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତ୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି। ସେହିପରି ବିଶିଷ୍ଟ ସମାଜସେବୀ ଲକ୍ଷ୍ମଣ ମହାନ୍ତିଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୨୧” ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ। ରାଜ୍ୟ କାର୍ଯାଳୟରେ ଡିସେମ୍ବର ୨୫ ତାରିଖ ଦିନ ସ୍ୱର୍ଗତଃ ବାଜପେୟୀଙ୍କ ଜନ୍ମଦିନ ଅବସରରେ ‘ଅଟଳ ସମ୍ମାନ-୨୦୨୧’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ନାୟକ ଉପସ୍ଥିତ ଥିଲେ।
-/DevDr