Odiapua.com

ବରିଷ୍ଠ ନାଗରିକ ମଞ୍ଚର ବୈଠକ – ସରକାରଙ୍କ ସୋସାଇଟି ରେଜିଷ୍ଟ୍ରେସନ ଆଇନ୍ ସଂଶୋଧନକୁ ବିରୋଧ

ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) : ବରିଷ୍ଠ ନାଗରିକ ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ସୋସାଇଟି ପଞ୍ଜୀକରଣ ଆଇନ୍ ସଂଶୋଧନ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଛି। ଫକୀରମୋହନ ଗୋଲେଇସ୍ଥିତ କାର୍ଯ୍ୟାଳୟରେ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ସରକାରଙ୍କ ନିଷ୍ପତି ପ୍ରତ୍ୟାହାର ପାଇଁ ଦାବି ହୋଇଥିଲା। ୧୮୬୦ ମସିହାରେ ପ୍ରଣୀତ ସୋସାଇଟି ପଞ୍ଜିକରଣ ଆଇନ୍ ଅନୁଯାୟୀ ଆମ ରାଜ୍ୟରେ ଶହଶହ ସୋସାଇଟି ପଞ୍ଜୀକୃତ ହୋଇ ବହୁ ସାମାଜିକ ସେବାକାର୍ଯ୍ୟ କରୁଛନ୍ତି। ଅନେକ ସୋସାଇଟି ରାଜ୍ୟ ଓ କେନ୍ଦ୍ର ସରକାର କିମ୍ବା କୌଣସି ବିଦେଶୀ ସଂସ୍ଥାରୁ କୌଣସି ଅର୍ଥ ଗ୍ରହଣ ନକରି ନିଜସ୍ୱ ଉଦ୍ୟମରେ ସେବାକାର୍ଯ୍ୟ କରୁଛନ୍ତି। କିନ୍ତୁ ସେହି ସୋସାଇଟିମାନଙ୍କର ପ୍ରତି୫ବର୍ଷରେ ନବୀକରଣ ପାଇଁ ଆଇନଗତ ବାଧ୍ୟବାଧକତାକୁ ମଞ୍ଚ ଦୃଢ଼ ବିରୋଧ କରିଛି। ରାଜ୍ୟସରକାର ଏହି ଉଦ୍ୟମରୁ ବିରତ ହେବାକୁ ମଞ୍ଚ ତରଫରୁ ସର୍ବସମ୍ମତ ନିବେଦନ କରାଯାଇଛି। କରୋନା ମହାମାରୀ ଯୋଗୁଁ ବହୁ ବରିଷ୍ଠ ନାଗରିକ ଗୃହବନ୍ଦୀ ଭାବେ ପାରିବାରିକ ଓ ସାମାଜିକ ଅବହେଳାର ଶୀକାର ହେଉଛନ୍ତି। ବହୁ ବୟସ୍କ ବ୍ୟକ୍ତି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସେ ଦିଗରେ ଗୁରୁତ୍ୱ ଆରୋପ କରୁନଥିବାରୁ ଅନେକ ସଦସ୍ୟ ବୈଠକରେ ଉଦ୍‌ବେଗ ପ୍ରକାଶ କରିଥିଲେ। କେତେକ ପୋଲିସ୍ ଷ୍ଟେସନ୍‌ରେ ବରିଷ୍ଠ ନାଗରିକ ସେଲ୍ ସଠିକ୍ କାର୍ଯ୍ୟ କରୁନଥିବାର ବହୁ ସଦସ୍ୟ ଅଭିଯୋଗ କରିଥିଲେ। ଜିଲ୍ଲାର ସମସ୍ତ ପୋଲିସ୍ ଷ୍ଟେସନ୍‌ରେ ଏହି ସେଲ୍ ପ୍ରତିଷ୍ଠା କରି କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବି କରାଯାଇଛି। ଏ ସଂପର୍କରେ ବାଲେଶ୍ୱରରେ ନୂତନ ଭାବେ ଯୋଗ ଦେଇଥିବା ଆରକ୍ଷୀ ଅଧୀକ୍ଷକଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଆଜିର ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଆଲୋଚନାର ବିଷୟ ଓ ଶୋକପ୍ରସ୍ତାବ ଆଗତ କରିଥିଲେ। ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀ, ଗଣ ଆନ୍ଦୋଳନର ନେତା ଗଣନାଥ ପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ଡଃ ଲକ୍ଷ୍ମଣ ମହାପାତ୍ର, ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ଗତ ଦୁଇଦିନରେ ଚୀନ୍ ସୀମାନ୍ତରେ ସହିଦ ହୋଇଥିବା ସେନାମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏକମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା କମିଟିର ୩୮ଜଣିଆ କର୍ମକର୍ତ୍ତା ମଣ୍ଡଳୀ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲାି। ଗିରୀଶ ଚନ୍ଦ୍ର ଦାଶ, ହରମୋହନ ଦାଶ, ଶରତ ଚନ୍ଦ୍ର ଦାଶ, ଡଃ ପଦ୍ମଲୋଚନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଦେବେନ୍ଦ୍ର ଚୌଧୁରୀ, ମଧୁସୂଦନ ଜେନା, ନିରୁପମା ସେଠୀ, ମନୋରଞ୍ଜନ ପାଲ୍ ଓ ବ୍ରଜସୁନ୍ଦର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନବନିର୍ବାଚିତ ଅନ୍ୟତମ ସଂପାଦକ ଦେବବ୍ରତ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।