Odiapua.com

କାହିଁକି ରାଗିଗଲେ ରାଣୀ? ଓଡ଼ିଶା ବିଜେପିର ଭିତିରି କଥା ..

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଏବେ ସବୁ କିଛି ଠିକ୍ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମଧ୍ୟରେ ଚାଲି ଆସିଥିବା ଶୀତଳ ଯୁଦ୍ଧ ଧୀରେ ଧୀରେ ଏବେ ଗରମ ହେବାକୁ ଲାଗିଛି। ଏ’ ଭିତରେ ଏବେ ଓଡ଼ିଶା ବିଜେପି ଭିତରେ ଏପରି ଏକ ଘଟଣା ଘଟିଛି, ଯେଉଁ ଘଟଣା କି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ନପହଞ୍ଚୁ ବୋଲି ଚେଷ୍ଟା କରାଯାଇଛି। ଘଟଣାଟି ଥିଲା ଏହିପରି କି ଯେ, ଗତ ୧୧ ତାରିଖ ସୋମବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁ ବୈଠକରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ବିଜୟପାଲ ସିଂ ତୋମର ଥିଲେ ଉପସ୍ଥିତ। ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ରାଜ୍ୟର ସମସ୍ତ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ସାଂସଦ, ବିଧାୟକ ମାନେ ସେହି ବୈଠକରେ ଥିଲେ ଆପେକ୍ଷିତ। ଦୁଇଟି ପ୍ରସଙ୍ଗ ଉପରେ ଥିଲା ଏହି ବୈଠକ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଚାଲିଥିବା ରାଜ୍ୟବ୍ୟାପୀ ସେବା ଓ ସମର୍ପଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ହୋଇଥିଲା। ଏହାପରେ ଗୁଜୁରାଟରୁ ପ୍ରଶିକ୍ଷଣ ନେଇ ଆସିଥିବା ବିଜେପିର ସାଙ୍ଗଠନିକ ସରଞ୍ଚନା, ସ୍ଥିତି, ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ବିଷୟ ଉପରେ ଉପସ୍ଥାପନା କରିଥିଲେ ଅପରାଜିତା ଷଡ଼ଙ୍ଗୀ।

ଅନ୍ୟ ମାନଙ୍କ ଭିତରେ ଏଠାରେ ଉପସ୍ଥିତ ଥିଲେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ (ରାଣୀ)। ଏପରି ଏକ ଘଟଣା ଭିତରେ ହଠାତ୍ ରାଗିଯାଇଥିଲେ ରାଣୀ। ଯେଛା ତାହା କରି ଝାଡ଼ି ଦେଇଗଲେ ରାଣୀ। ସମସ୍ତେ ନୀରବ। କେବେ କୌଣସି ନିର୍ବାଚନ ଜିତିନଥିବା ଏବଂ ରାଜ୍ୟ ବିଜେପିରେ ସବୁ ବଡ଼ ବଡ଼ ପଦପଦବୀ ମାଡ଼ି ବସିଥିବା ନେତାଙ୍କୁ ଟାର୍ଗେଟ୍ କରିଥିଲେ ରାଣୀ। ସାଧାରଣ ୱାର୍ଡ ମେମ୍ବର ଟିଏ ଜିତିବାର ତୁମର କ୍ଷମତା ନାହିଁ ବୋଲି କୁଆଡ଼େ ସେମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ରାଣୀ। ଯାହାଙ୍କୁ ସବୁ ଇଙ୍ଗିତ କରି କୁହାଯାଉଥିଲା, ମୁକ ହୋଇ ଶୁଣୁଥିଲେ ସେମାନେ ସବୁ। ପାଟି ଫିଟିଲାନି ସେମାନଙ୍କର କାହାର। ରାଜ୍ୟ ବିଜେପିରେ ଚାଲିଥିବା ଗୋଲକଧନ୍ଦା ଉପରେ ରାଣୀଙ୍କ ପ୍ରହାର ଉପରେ ନିଃସହାୟ ଥିଲେ ରାଜ୍ୟ ସଭାପତି ସମୀର ମହାନ୍ତି। ତେବେ, ରାଣୀ ଏପରି ହଠାତ୍ ଏତେ ରାଗିଯିବାର କାରଣ ବିଷୟରେ ସ୍ପଷ୍ଟ ଭାବରେ ସେମିତି କିଛି ଜଣାପଡ଼ି ନଥିଲେ ମଧ୍ୟ ରାଜାଙ୍କ ପାଇଁ ରାଣୀ ରାଗିଥିବା କଥା କୁହାଯାଉଛି। କନକ ବର୍ଦ୍ଧନ ସିଂହଦେଓ (ରାଜା)ଙ୍କୁ ଦଳ ଭିତରେ ସେପରି ଗୁରୁତ୍ୱ ଦିଆନଥିବା କଥାକୁ ନେଇ ସଙ୍ଗୀତା ସିଂହଦେଓ (ରାଣୀ) ଉତ୍କ୍ଷିପ୍ତ ହୋଇଥିବା ଶୁଣିବାକୁ ମିଳୁଛି। ଯେପରିକି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ କନକ ବର୍ଦ୍ଧନ ସିଂହଦେଓଙ୍କୁ ନିଆଯିବା ସେମାନଙ୍କର ଆଶା ଥିଲା ଏବଂ ଏହା ସହିତ ଆହୁରୀ କିଛି ଘଟଣା ରହିଛି ଯେଉଁଥି ପାଇଁ କି ରାଜାରାଣୀ ଅସନ୍ତୁଷ୍ଟ ଥିବା କୁହାଯାଉଛି। ରାଜ୍ୟ ବିଜେପିର ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକରେ ଆଉ ରାଜାଙ୍କ ସହଯୋଗ ଆଶା କରିବନି ବୋଲି ରାଣୀ କୁଆଡ଼େ ରୋକଠୋକ୍ ଶୁଣାଇ ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି।
-@DevDrath