Odiapua.com

ଖୋଲିବ ସ୍କୁଲ – ମାନିବାକୁ ପଡ଼ିବ ଏହିସବୁ ଗାଇଡ୍ ଲାଇନ୍ସ୍

ଭୁବନେଶ୍ୱର: ନୂଆଦିଲ୍ଲୀ: ଲକ୍ ଡାଉନ୍ ପରେ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଏନସିଆରଟି ସରକାରଙ୍କୁ ଗାଇଡ୍ ଲାଇନର ଏକ ଡ୍ରାଫ୍ଟ ଦାଖଲ କରିଛି। ଡ୍ରାଫ୍ଟ ଅନୁଯାୟୀ, ଗୋଟିଏ ଶ୍ରେଣୀର ପିଲାମାନେ ସ୍କୁଲ ଖୋଲିବା ପରେ ଏକକାଳୀନ ସ୍କୁଲକୁ ଯିବେ ନାହିଁ। ଏଥିପାଇଁ ରୋଲ୍ ନମ୍ବର ଆଧାରରେ ଅଡ୍- ଇଭିନ୍ ଫର୍ମୁଲା ପ୍ରୟୋଗ ହେବ କିମ୍ବା ଦୁଇଟି ସିଫ୍ଟରେ କ୍ଲାସ୍ କରାଯିବ। ପିଲାମାନେ ବିଦ୍ୟାଳୟରେ ପହଞ୍ଚିବା ସମୟରେ କ୍ଲାସ୍ ଅନୁଯାୟୀ ୧୦- ୧୦ ମିନିଟର ବ୍ୟବଧାନ ରହିବ। ଡ୍ରାଫ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ସାମାଜିକ ଦୂରତା ପାଇଁ ଏକ ଖୋଲା ପଡ଼ିଆରେ କ୍ଲାସ୍ କରାଯାଏ ତେବେ ଏହା ଭଲ ହେବ।

ବିଦ୍ୟାଳୟ ଖୋଲିବାର ୬ ଟି ପର୍ଯ୍ୟାୟ –

ପ୍ରଥମ ପର୍ଯ୍ୟାୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଆରମ୍ଭ ହେବ।
ଏକ ସପ୍ତାହ ପରେ ନବମ ଏବଂ ଦଶମ ଶ୍ରେଣୀ ଆରମ୍ଭ ହେବ।
ଦୁଇ ସପ୍ତାହ ପରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଆରମ୍ଭ ହେବ।
ତିନି ସପ୍ତାହ ପରେ ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ ହେବ।
ଚାରି ସପ୍ତାହ ପରେ ପ୍ରଥମ ଏବଂ ଦୂତୀୟ ଶ୍ରେଣୀ କ୍ଲାସ୍ ଆରମ୍ଭ ହେବ।
ପାଞ୍ଚ ସପ୍ତାହ ପରେ କେବଳ ପିତାମାତାଙ୍କ ସହମତିରେ ନର୍ସରୀ ଏବଂ କେଜି କ୍ଲାସ ଆରମ୍ଭ ହୋଇପାରିବ।

ପାଳନ କରିବାକୁ ପଡ଼ିବ ଏହିସବୁ ନିୟମ –

ତେବେ, କଣ୍ଟେନମେଣ୍ଟ ଜୋନରେ ଥିବା ବିଦ୍ୟାଳୟ ଗୁଡ଼ିକ ସବୁଜ ଜୋନ୍ ହେବା ପର୍ଯ୍ୟନ୍ତ ବନ୍ଦ ରହିବ। ବିଦ୍ୟାଳୟରେ ଶ୍ରେଣୀ ଭିତରେ ପିଲାମାନଙ୍କ ମଧ୍ୟରେ ୬ ଫୁଟ ଦୂରତା ଆବଶ୍ୟକ। କେବଳ ୩୦ କିମ୍ବା ୩୫ ପିଲା ଏକ ଶ୍ରେଣୀ କୋଠରୀରେ ରହିପାରିବେ। ଶ୍ରେଣୀ ଗୃହରେ ଏସି ଚାଲିବ ନାହିଁ। କବାଟ ଏବଂ ଝରକା ଖୋଲା ରହିବ। ଛାତ୍ରଛାତ୍ରୀ ମାନଙ୍କୁ ଅଡ୍- ଇଭିନ୍ ଫର୍ମୁଲା ଭିତ୍ତିରେ ଡାକିବାକୁ ପଡିବ। କିନ୍ତୁ, ହୋମ ଆସାଇନମେଣ୍ଟ ପ୍ରତିଦିନ ଦେବାକୁ ପଡ଼ିବ। ଡେସ୍କରେ ନାମ ଲେଖାଯିବ, ଯାହା ଫଳରେ ପିଲା ପ୍ରତିଦିନ ଗୋଟିଏ ସ୍ଥାନରେ ବସିପାରିବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତି ୧୫ ଦିନରେ ଶିଶୁର ଅଗ୍ରଗତି ବାବଦରେ ଅଭିଭାବକଙ୍କ ସହିତ କଥାବାର୍ତ୍ତା କରିବାକୁ ପଡ଼ିବ। କକ୍ଷଗୁଡ଼ିକ ପ୍ରତିଦିନ ସାନିଟାଇଜ୍ (ପରିମଳ) କରାଯିବା ନେଇ ପରିଚାଳନା କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ସକାଳ ପ୍ରାର୍ଥନା ସଭା ଏବଂ ବାର୍ଷିକ ପର୍ବ ଇତ୍ୟାଦି କରାଯିବ ନାହିଁ। ବିଦ୍ୟାଳୟ ବାହାରେ କୋୖଣସି ଖାଦ୍ୟ ଷ୍ଟଲ ରହିବ ନାହିଁ। କର୍ମଚାରୀ ଏବଂ ଛାତ୍ରଛାତ୍ରୀ ପ୍ରବେଶ କରିବା ପୂର୍ବରୁ ସ୍କ୍ରିନିଂ ବାଧ୍ୟତାମୂଳକ ହେବ। ଛାତ୍ରଛାତ୍ରୀ ସେମାନଙ୍କ ସହିତ ପାଣି ବୋତଲ ଆଣିବେ। ପିଲାମାନେ କପି, କଲମ, ପେନ୍ସିଲ, ଖାଦ୍ୟ ଆଦି ପରସ୍ପର ମଧ୍ୟରେ ଅଂଶୀଦାର (ସେୟାର) କରିପାରିବେ ନାହିଁ। ପ୍ରତ୍ୟେକ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ହେବ।

ସେହିପରି, ବିଦ୍ୟାଳୟରେ ସାମାଜିକ ଦୂରତ୍ୱର ଯତ୍ନ ନେଉନଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ସୂଚନା ଦିଆଯିବ। ଚିକିତ୍ସା, ନିରାପତ୍ତା କିମ୍ବା ସଫେଇ କାର୍ଯ୍ୟରେ ଜଡ଼ିତ ଅଭିଭାବକଙ୍କୁ ବିଦ୍ୟାଳୟକୁ ଏ’ ନେଇ ଆଗୁଆ ସୂଚନା ଦେବାକୁ ପଡ଼ିବ। ଶିକ୍ଷକ/ଶିକ୍ଷୟତ୍ରୀ ମାନେ କେବଳ ସେହିମାନଙ୍କୁ ଭେଟିବାକୁ ସକ୍ଷମ ହେବେ ଯେଉଁମାନେ ଫୋନରେ ଯୋଗାଯୋଗ କରିପାରିବେ ନାହିଁ। ଅଭିଭାବକ ପ୍ରତି ୧୫ ଦିନରେ ପିଲାଙ୍କ ଅଗ୍ରଗତି ରିପୋର୍ଟ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇପାରିବେ। ବିଦ୍ୟାଳୟକୁ ଯାତାୟତ ଦିଗରେ ଗୋଟିଏ ସିଟରେ ଗୋଟିଏ ପିଲା ବସିବାକୁ ପଡ଼ିବ। ତେବେ, ପରିବହନ ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ ଶୀଘ୍ର ପ୍ରକାଶ ପାଇବ। ଦକ୍ଷତାର ୩୩% ଛାତ୍ର ହଷ୍ଟେଲରେ ରହିବେ। ହଷ୍ଟେଲ ଗୁଡିକରେ ୬- ୬ ଫୁଟ ଦୂରରେ ଶଯ୍ୟା ରଖିବାକୁ ପଡ଼ିବ। ସେମାନେ ବଜାରକୁ ଯାଇପାରିବେ ନାହିଁ। /-ଦେବଦତ୍ତ ରଥ