Odiapua.com

ସତ୍ୟବାଦୀ:ପଞ୍ଚସଖାଙ୍କ ପୁଣ୍ୟଭୂମି; ଏବେ ହୀନ ରାଜନୀତିର ଚରାଭୂମୀ

ଭୁବନେଶ୍ୱର:ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ।ଯେଉଁ ଭୂମି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କର ଜନ୍ମ ଭୂମି,ପଞ୍ଚ ସଖାଙ୍କର କର୍ମ ଭୂମି।ସେହି ପଞ୍ଚସଖାଙ୍କ ପୁଣ୍ୟଭୂମି ଏବେ ହୀନ ରାଜନୀତିର ଚରାଭୂମୀ ପାଲଟି ଯାଇଛି।

ଜଣେ ବ୍ୟକ୍ତି ତା’ର ପ୍ରାଥମିକ ଆବଶ୍ୟକତା ଖାଦ୍ୟ,ବସ୍ତ୍ର,ବାସଗୃହ ପାଇବାରେ ଏଠି ବଞ୍ଚିତ।ପରିବାର ଚଳାଇବା ପାଇଁ ସତ୍ୟବାଦୀର ଗ୍ରାମାଞ୍ଚଳର ବହୁ ସଂଖ୍ୟାରେ ଯୁବକ ଦାଦନ ଖଟିବାକୁ ସୁରାଟ,ମୁମ୍ବାଇ ଆଦି ବାହାର ରାଜ୍ୟକୁ ଯାଇଥାଆନ୍ତି।ଏତେ ପରିମାଣର ଲୋକ ଏଠାରୁ ଦାଦନ ଖଟିବା ପାଇଁ ଯାଆନ୍ତି ଯେ, ଏଠାରେ ଦାଦନ ଶ୍ରମିକ ପଠାଇବା ପାଇଁ ଅନେକ ଠିକାଦାର/ସର୍ଦ୍ଦାର ଅଛନ୍ତି।ବାହାର ରାଜ୍ୟକୁ ଦାଦନ ଶ୍ରମିକ/ଲୋକ ପଠାଇବା ଏମାନଙ୍କର ଏକ ଭଲ ବ୍ୟବସାୟ।ପ୍ରତ୍ୟେକ ଦାଦନ ଶ୍ରମିକ ପିଛା ଏମାନେ ପର୍ସେଣ୍ଟେଜ ପାଇଥାଆନ୍ତି।ସେହିପରି କୌଣସି ମତେ ସରକାରୀ ଅବା ବେସରକାରୀ ଚାକିରୀ ଖଣ୍ଡେ କରିଦେଇଥିବା ଏଠାକାର ଗ୍ରାମାଞ୍ଚଳର ଲୋକଟିଏ ସିନା ନିଜର ଘର ଖଣ୍ଡିଏ କରିପାରେ।ବାକି ରହିଲା ଗ୍ରାମାଞ୍ଚଳ ଆବାସ ଯୋଜନା ମାଧ୍ୟମରେ ହେଉଥିବା ଗୃହ ନିର୍ମାଣର ଗତି,ଏଠାରେ ଖୁବ୍ ମନ୍ଥର।ଗାଁ” ଗାଁ”ରେ ଦେଖିବାକୁ ମିଳେ ଲାଗିଲାଗି ଚାଳଘର।

ସତ୍ୟବାଦୀର ବିକାଶ କଥା କହି ୨୦୧୪ରେ ଉମା ସାମନ୍ତରାୟ ଏଠାରୁ ସ୍ୱାଧୀନ ଭାବରେ ବିଧାୟକ ହୋଇଥିଲେ।ପରେ ସେ ବିଜେଡିର ମିଶିଗଲେ।ଏହା ପୂର୍ବରୁ ୨୦୦୯ରେ କଂଗ୍ରେସର ପ୍ରସାଦ ହରିଚନ୍ଦନ ଏଠାରୁ ବିଧାୟକ ହୋଇଥିଲେ।ତା’ ପୂର୍ବରୁ ୨୦୦୪ରେ ରମାରଞ୍ଜନ ବଳିୟାରସିଂହ ଏଠାରୁ ସ୍ୱାଧୀନ ପାର୍ଥି ଭାବରେ ଜିତିଥିଲେ।ଏବେ ରମା ବିଜେପିରୁ ଟିକେଟ ଆଶାୟୀ ଅଛନ୍ତି।ତା’ ପୂର୍ବରୁ ୧୯୯୫ ଏବଂ ୨୦୦୦ରେ ପ୍ରସାଦ ହରିଚନ୍ଦନ ବିଧାୟକ ଥିଲେ।ଜଣେ ପରେ ଜଣେ ସତ୍ୟବାଦୀର ବିକାଶ କଥା କହି ବିଧାୟକ ହେଉଛନ୍ତି।କିନ୍ତୁ ବିକାଶର ଗତିରେ ଏଠାରେ ବେଗ ନାହିଁ।

ଗୋପବନ୍ଧୁ ଦାସଙ୍କର ଦାୟାଦ ତଥା ପୁରୀ ଜୁଭେନାଲ ଜଷ୍ଟିସ କୋର୍ଟର ବୋର୍ଡ ସଦସ୍ୟା,ସମାଜସେବୀ ଜୟଶ୍ରୀ ମହାପାତ୍ର ସତ୍ୟବାଦୀର ବିକାଶରେ ମନ୍ଥରତାକୁ ନେଇ ଦୁଃଖ ପ୍ରକଟ କରିଛନ୍ତି।ରାଜନୀତି ଯେ ସମାଜ ସେବା ନୁହେଁ,ସତ୍ୟବାଦୀର ଏବେକାର ନେତାମାନଙ୍କର କାର୍ଯ୍ୟରୁ ଏହା ଜଣାପଡ଼େ ବୋଲି ଜୟଶ୍ରୀ କୁହନ୍ତି।ଜୟଶ୍ରୀ କୁହନ୍ତି ସତ୍ୟବାଦୀ ଏପରି ଏକ ସ୍ଥାନ,ଯେଉଁଠି ରାଜନୀତି ଯେ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ ନେଇ ପଞ୍ଚସଖା ସନ୍ଦେଶ ଦେଇଥିଲେ।ସତ୍ୟବାଦୀ ଆଜି ଅବହେଳିତ।ସତ୍ୟବାଦୀର ଗୌରବ ହ୍ରାସ ପାଇଛି।ପଞ୍ଚସଖାଙ୍କ ପୁଣ୍ୟଭୂମି ଏବେ ହୀନ ରାଜନୀତିର ରଣଭୂମୀ ପାଲଟି ଯାଇଛି ବୋଲି ଜୟଶ୍ରୀ କହିଛନ୍ତି।/ଦେବଦତ୍ତ