ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ଯୁବ କାର୍ଯ୍ୟକାର୍ତ୍ତା ଶୁଭାଶିଷ ଗିରିଙ୍କ ହତ୍ୟା ଘଟଣା ପ୍ରତିବାଦରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ୍ ଦାବୀରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ମୋୖନ ଧାରଣା ଦେଇଛି ବିଜେପି। ଭଦ୍ରକ ଟାଉନ୍ ଥାନା ସମ୍ମୁଖରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ଡଃ.ପ୍ରଦୀପ କୁମାର ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ, ସାଧାରଣ ସମ୍ପାଦିକା ଲିପିକା ବାରିକ, ନଗର ସଭାନେତ୍ରୀ ପଦ୍ମନୀ ଦ୍ବିବେଦୀ, ଅମ୍ବିକା ଦାସ ଏବଂ ଶରତ ପଢ଼ିଆରୀ ପ୍ରମୂଖ ନ୍ୟାୟ ଦାବୀରେ ମୌନ ଧାରଣାରେ ବସିଥିଲେ।
୨୨ ବର୍ଷ ଧରି ଶାସନ ଗାଦିରେ ବସି ଦୁର୍ନୀତିରେ ଲିପ୍ତ ଥିବା ବିଜେଡି ସରକାରର ଉପରେ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଲେଣି। ତେଣୁ ପଶ୍ଚିମବଙ୍ଗରେ ଚାଲିଥିବା ଗୁଣ୍ଡାରାଜକୁ ଓଡ଼ିଶାରେ ବିଜେଡି ଅନୁସରଣ କରୁଛି ବୋଲି ଜଗନ୍ନାଥ ଦାସ କହିଛନ୍ତି। ମା’ କୁ ସମ୍ମାନ କଥା କହୁଥିବା ନବୀନ ସରକାରଙ୍କ ଶାସନରେ ଆଜି ପୁଣି ଗୋଟେ ମା’ର କୋଳ ଉଜୁଡ଼ି ଯାଇଛି। ସେ ମା’ ତ’ ଆଉ ତା’ ପୁଅକୁ ଆଉ ଫେରି ପାଇବନି। କିନ୍ତୁ, ଏପରି ଆଉ କୌଣସି ମା’ର କୋଳ ନ’ଉଜୁଡ଼ୁ। ଏହି ଘଟଣାରେ ସେ ଯିଏ କେହି ବି ସଂଶ୍ଳିଷ୍ଟ ଥାଉ ନାଁ କାହିଁକି, ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ୍ କରାଯାଉ। ଭଦ୍ରକରେ ଶାନ୍ତି ଏବଂ ଭାଇଚାରା ବଜାୟ ରହୁ। ଭଦ୍ରକ ମାଟିରେ କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ହରପ୍ରିୟା ସାହୁ କହିଛନ୍ତି। ସେହିପରି ନିର୍ବାଚନରେ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି ଏବଂ ଗୁଣ୍ଡା ବାହିନୀକୁ ଲଗାଇ ସେମାନେ ହତ୍ୟାକାଣ୍ଡ ଘଟାଉଛନ୍ତି ବୋଲି ଲିପିକା ବାରିକ କହିଛନ୍ତି।
/-Dr