Odiapua.com

“ମା’, ମାଟି ଓ ମାନୁଷ” ବିକାଶର ନାରା ଦେଇଥିବା ଦଳର ପଶ୍ଚିମବଙ୍ଗ ପାଇଁ ରହିଛି କେତେ ପ୍ରତିବଦ୍ଧତା: ସଜ୍ଜନ ଶର୍ମା

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ। ତେବେ ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତା ସଜ୍ଜନ ଶର୍ମା କହିଛନ୍ତି, “ଭିନ୍ନ ମତପୋଷଣ ଓ ଭିନ୍ନ ମତର ଜୟ ଓ ପରାଜୟ, ଗଣତାନ୍ତ୍ରିକ ବ୍ୟବସ୍ଥାର ନିତ୍ୟ ନୈମିତ୍ତିକ ଘଟଣା ଅଟେ। ଜୟ ଓ ପରାଜୟକୁ ସ୍ବାଭାବିକ ଭାବେ ଗ୍ରହଣ ଉଚ୍ଚ ମୂଲ୍ୟବୋଧ ଅଟେ। ଦୀର୍ଘ ୧୦ ବର୍ଷ ପରେ ମମତା ବାନାର୍ଜୀଙ୍କ ଦଳ ଏକ କଠିନ ମୁକାବିଲାର ସମ୍ମୁଖୀନ ହୋଇଛନ୍ତି। ‘ଖେଲା ହୋବେ’ ପରି ଶ୍ଲୋଗାନ ତାଙ୍କ କର୍ମୀଙ୍କୁ ଉଗ୍ର ଓ ହିଂସକ ହେବା ପାଇଁ ଉତ୍ସାହିତ କରିଛି।ଏହା କ’ଣ ତୃଣମୂଳ କଂଗ୍ରେସର ବିଜୟର ଉନ୍ମାଦ? ଏହା ସୋନାର ବାଂଲା ଗଢ଼ିବାରେ କେତେ ସହାୟକ ହେବ? “ମା’, ମାଟି ଓ ମାନୁଷ” ବିକାଶର ନାରା ଦେଇଥିବା ଦଳର ପଶ୍ଚିମବଙ୍ଗ ପାଇଁ ରହିଛି କେତେ ପ୍ରତିବଦ୍ଧତା? ଆଶା ରାଜ୍ୟ ଓ ଦେଶ ହିତରେ ସଦ୍ ବୁଦ୍ଧିର ଉଦୟ ହେବ।”