Odiapua.com

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୀ, ୧୭/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି। ଏହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଳିବ। ଜିଲ୍ଲାରେ ସଡ଼କ ସୁରକ୍ଷା ମାସ ପାଳନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆସନ୍ତା ୧୮ ତାରିଖ ସକାଳ ସାଢ଼େ ୮ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଭିଆଇପି ରୋଡ଼ ଦେଇ ଦିଗବାରେଣି ନିକଟରେ ପହଞ୍ଚିବ। ଏଥିସହ ସଡ଼କ ସୁରକ୍ଷା ରଥର ମଧ୍ୟ ଜିଲ୍ଲାପାଳ ଶୁଭାରମ୍ଭ କରିବେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକରେ ବୁଲିବା ସହ ସଡ଼କ ସୁରକ୍ଷା ନିମନ୍ତେ ବାର୍ତ୍ତା ପ୍ରଦାନ କରିବ। ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି। ଏଥିସହ ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ୱାଲ ପେଣ୍ଟି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଆସନ୍ତା ୨୪ ତାରିଖରେ ସକାଳ ସମୟରେ ଗାନ୍ଧୀଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗାମେଢ଼, ଗୋଟିପୁଅ ନାଚ, ଦସ୍ତଖତ ଅଭିଯାନ ସହ ସଡ଼କ ସୁରକ୍ଷା ନିୟମ ପାଳନ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ସଡ଼କ ସୁରକ୍ଷା ଉପରେ ହୋଡ଼ିଂ ଲଗାଯିବା ସହ ପ୍ରଚାରପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ। ଦିଗବାରେଣି ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ୨୦ ଟି ସଡ଼କ ସଚେତନତା କିଓସ୍କ ପ୍ରଦର୍ଶିତ ହେବ। ଏତଦବ୍ୟତୀତ, ପୋଲିସ ସହ ମିଶି ମିଳିତ ଭାବେ ଯାଞ୍ଚ କରାଯାଇ ନିୟମ ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ଉ-ଆରକ୍ଷୀ ଅଧିକ୍ଷକ ମନବ୍ରତା ଶତପଥି, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ, ସହାୟକ ମୋଟରଯାନ ନିରୀକ୍ଷକ ଶ୍ରୀ ବାମଦେବ ସାହୁ, ଟ୍ରାଫିକ ସବ-ଇନସ୍ପେକ୍ଟର ଶ୍ରୀ ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।