Odiapua.com

ପାକିସ୍ଥାନ ବନାମ ଆଫଗାନିସ୍ଥାନ ମ୍ୟାଚରେ ଦଙ୍ଗା: ବେଲୁଚିସ୍ଥାନ ସ୍ୱାଧୀନତା ପ୍ରସଙ୍ଗ ବିଶ୍ୱ କପରେ!

ହେଡିଂଲି: ବିଶ୍ବକପ୍‌​ରେ ‌ଶନିବାର ଦୁଇ ପଡ଼ୋଶୀ ଆଫ୍‌ଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା।ଏହି ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍ ବାହାରେ ଏବଂ ଭିତରେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଜବରଦସ୍ତ ଗଣ୍ଡଗୋଳ ଘଟିଛି।ମ୍ୟାଚ୍ ଆରମ୍ଭରୁ ଆଫ୍‌ଗାନିସ୍ତାନ ଓ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଷ୍ଟାଡିୟମ୍ ବାହାରେ ସଂଘର୍ଷ ଘଟିଥିବା ବେଳେ ପରେ ଏହା ଷ୍ଟାଡିୟମ୍ ମଧ୍ୟରେ ମଧ୍ୟ ଘଟିଥିଲା।ମ୍ୟାଚ୍‌ ଦେଖିବାକୁ ଟିକଟ ପାଇବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ମ୍ୟାଚ୍ ଆରମ୍ଭହେବାର ଯଥେଷ୍ଟ ପୂର୍ବରୁ ଆଫ୍‌ଗାନିସ୍ତାନ ଓ ପାକିସ୍ତାନର ସମର୍ଥକ ଷ୍ଟାଡିୟମ୍ ବାହାରେ ମୁହାଁମୁହିଁ ହୋଇଥିଲେ। ଉଭୟ ଦେଶର ସମର୍ଥକ ମାର୍‌ପିଟ ହୋଇଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।ତେବେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା।

https://twitter.com/MurtazaViews/status/1145016003849408512?s=19

ତେବେ ମ୍ୟାଚ୍ ବେଳେ ଏକ ଅପ୍ରତ୍ୟାଶିତ ଘଟଣା ଯୋଗୁଁ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା।ଷ୍ଟାଡିୟମ୍‌ ଉପରେ ହଠାତ ବିମାନ ଉଡ଼ିବାର ଦେଖିବାକୁ ମିଳିଥିଲା।ଯେଉଁଥିରେ ଲେଖାଥିଲା “ଜଷ୍ଟିସ୍ ଫର୍ ବେଲୁଚିସ୍ତାନ” (ବେଲୁଚିସ୍ତାନ ପାଇଁ ନ୍ୟାୟ)।ଏବଂ, “ହେଲ୍‌ପ ଏଣ୍ଡ୍‌ ଡିସାପିଅରାନ୍‌ସେସ୍ ଇନ୍ ପାକିସ୍ତାନ” (ପାକିସ୍ତାନରୁ ନିଖୋଜ୍‌ ହେବାର ଅନ୍ତଃ ଘଟାଇବାକୁ ସାହାଯ୍ୟ କର)।ଏପରି ବ୍ୟାନରକୁ ଦେଖିବା ମାତ୍ରେ ପାକିସ୍ତାନର ସମର୍ଥକ ଉଗ୍ର ହୋଇ ଯାଇଥିଲେ ଏବଂ ସେମାନେ ଆଫ୍‌ଗାନିସ୍ତାନ ବିରୋଧୀ ସ୍ଲୋଗାନ୍ ଦେବା ଆରମ୍ଭ କରିଥିଲେ। ଆଫ୍‌ଗାନିସ୍ତାନର ପ୍ରଶଂସକମାନେ ମଧ୍ୟ ଏହାର ଜବାବ ଦେଇଥିଲେ। ପରେ ଉଭୟ ଦେଶର ସମର୍ଥକ ହାତାହାତି ମଧ୍ୟ ହୋଇଥିଲେ।ଷ୍ଟାଡିୟମ ଭିତରେ ଧୂଆଁ ମଧ୍ୟ ବାହାରିଥିଲା।ପୁଲିସ୍ ଏଥିରେ ହସ୍ତକ୍ଷେପ କରି ଗଣ୍ଡଗୋଳକାରୀ ସମର୍ଥକଙ୍କୁ ଷ୍ଟାଡିୟମ୍ ବାହାରକୁ ଭିଡ଼ି ନେଇଯାଇଥିଲା।ତେବେ ଷ୍ଟାଡିୟମ୍ ବାହାରେ ଗଣ୍ଡଗୋଳ ଅଧିକ ଭୟଙ୍କର ହୋଇଥିଲା।ଟିକଟ ନ’ପାଇ ଷ୍ଟାଡିୟମ୍ ବାହାରେ ଜମା ହୋଇଥିବା ଆଫ୍‌ଗାନିସ୍ତାନ ଓ ପାକିସ୍ତାନର ସମର୍ଥକ ପରସ୍ପରକୁ ଆକ୍ରମଣ କରିଥିଲେ।ଯିଏ ଯାହାକୁ ପାରିଲା ଆକ୍ରମଣ କରିବା ସହ ପାଣି ବୋତଲ ଫିଙ୍ଗିଥିଲେ।କିଛି ସମର୍ଥକ ଷ୍ଟାଡିୟମ୍ ବାହାରେ ଥିବା ଲୁହା ବ୍ୟାରିକେଡ୍‌କୁ ଉଠାଇ ପ୍ରତିପକ୍ଷଙ୍କୁ ଆକ୍ରମଣ କରିବା ଦେଖିବାକୁ ମିଳିଥିଲା।ତେବେ ସୁରକ୍ଷାକର୍ମୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

ବିଶ୍ବକପ୍ ପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ୍ ଉପରେ ରାଜନୈତିକ ତଥା ବିବାଦୀୟ ବାର୍ତ୍ତା ଥାଇ ଏପରି ବିମାନ କିପରି ଉଡ଼ିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ବ୍ରିଟିଶ୍ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନାଯୋଗ୍ୟ ଗତ କିଛିବର୍ଷ ହେଲା ବେଲୁଚିସ୍ତାନକୁ ନେଇ ଆଫ୍‌ଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି।ସ୍ବାଧୀନତା ପାଇଁ ବେଲୁଚିସ୍ତାନର ବାସିନ୍ଦା ପାକିସ୍ତାନ ସହ ଲଢ଼େଇ କରୁଥିବା ବେଳେ ସେମାନଙ୍କୁ ଆଫ୍‌ଗାନିସ୍ତାନ ସମର୍ଥନ କରୁଛି।ଏହି ଉତ୍ତେଜନା ଏବେ ବିଶ୍ବକପ୍‌‌ରେ ପହଞ୍ଚିଛି।//ଦେବଦତ୍ତ