Odiapua.com

କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

ଯାଜପୁର ୩୦/୬ (ଓଡ଼ିଆ ପୁଅ) : ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବିଗତ କିଛି ଦିନଧରି ବୃଦ୍ଧିପାଉଛି। ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏପରି ସ୍ଥିତିରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଜୁଲାଇ ୧ ତାରିଖ ଠାରୁ କେବଳ ସକାଳ ୬ ଘଟିକା ଠାରୁ ଦିବା ୧ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ଓଡି଼ଶା ମହାମାରୀ ଆଇନ ୧୮୯୭ର ଧାରା ୨, ୩ ଓ ୪ ଏବଂ ଓଡି଼ଶା କୋଭିଡ-୧୯ ନିୟମାବଳୀ ୨୦୨୦ ଆଧାରରେ ଯାଜପୁର ଜିଲ୍ଲାରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ବିଗତ ୩ ଦିନରେ ୧୦୦ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟ ଓ ସ୍ୱାର୍ଥର ସୁରକ୍ଷା ନିମିତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଯାଜପୁର କେତେକ ନିର୍ଦ୍ଧେଶନାମା ଜାରି କରିଛନ୍ତି। ଏହାକୁ ଜିଲ୍ଲାର ପ୍ରତ୍ୟେକ ଅଧିବାସୀ ମାନିବା ସହ ସଠିକ ଅନୁପାଳନ କରିବାକୁ ଅନୁରୋଧ କରାଯାଇଛି। ତେବେ ଏହାର ଉଲ୍ଲଘଂନ କ୍ଷେତ୍ରରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି। ୧ ଜୁଲାଇ ୨୦୨୦ ରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଦୋକାନ ବଜାର ଓ ବାଣିଜ୍ୟିକ ପ୍ରତିଷ୍ଠାନ ପୂର୍ବାହ୍ନ ୬ ଘଟିକାଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଜିଲ୍ଲାର ସମସ୍ତ ଔଷଧ ଦୋକାନ, ପାଥୋଲାବ ସଂପୂର୍ଣ୍ଣ ଖୋଲା ରହିପାରିବ। ରନ୍ଧନ ଗ୍ୟାସ ଗୃହମାନଙ୍କୁ ମଧ୍ୟ ବିତରଣ କରାଯାଇପାରିବ। ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୯ ଘଟିକାରୁ ପ୍ରତ୍ୟୁଷ ୫ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପୂର୍ବପରି ଶନିବାର ଓ ରବିବାର ସଟ୍ଡାଉନ ଜାରି ରହିବା।ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ନିଷିଦ୍ଧ ସମୟସୀମାରେ ବାହାରକୁ ବାହାରିବାକୁ ହେଲେ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ। ତେବେ ଯେ କୌଣସି କ୍ଷେତ୍ର ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ ଅଟେ। ନିଷିଦ୍ଧ ସମୟରେ ଅଯଥା ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୮୮ ଓ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ର ଧାରା ୫୧(ଖ) ଅନୁଯାୟୀ ଦଣ୍ଡିତ କରାଯିବ। ଅଯଥା ଚାଲି ଚାଲି ବା ସାଇକେଲରେ ବୁଲୁଥିଲେ ଦୁଇଶହଟଙ୍କା, ମଟର ସାଇକେଲରେ ବୁଲୁଥିଲେ ପାଂଚଶହଟଙ୍କା, କାର୍ ବା ଅନ୍ୟାନ୍ୟ ଗାଡ଼ିରେ ବୁଲୁଥିଲେ ଏକହଜାର ଟଙ୍କା ଓ ବିନା ମାସ୍କରେ ବାହାରେ ବୁଲୁଥିଲେ ପ୍ରଥମ ଦଫାରେ ୫୦୦ ଏବଂ ଦ୍ୱିତୀୟ ଦଫାରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ବାହାରେ ପାନପିକ ବା ଛେପ, ଖଙ୍କାର ପକାଇଲେ ନିୟମ ଅନୁସାରେ ପ୍ରଥମ ଦଫାରେ ପାଂଚଶହ ଓ ଦ୍ୱିତୀୟ ଦଫାରେ ଏକ ହଜାର ଟଙ୍କା ଆର୍ଥିକଦଣ୍ଡର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଦୋକାନୀ ବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ଓ ମାସ୍କ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ। ଏହାର ବ୍ୟତିକ୍ରମ ହେଲେ ପ୍ରଥମ ଥର ପାଇଁ ପାଂଚ ଶହ ଓ ଦ୍ୱିତୀୟ ଥର ପାଇଁ ଏକ ହଜାର ଟଙ୍କା ଅର୍ଥ ଦଣ୍ଡ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଘରେ ରହି ନିଜକୁ ସୁରକ୍ଷିତ ରଖିବାକୁ ସୂଚନା ଦେଇଛନ୍ତି। ବିଶେଷକରି ବରିଷ୍ଠ, ବୟସ୍କ ନାଗରିକ, ଗର୍ଭବତୀ ମହିଳା, ଶିଶୁମାନେ ଯଥାସମ୍ଭବ ପରେ ରହିବାକୁ ସେ ଅନୁରୋଧ କରିଛନ୍ତି।