Odiapua.com

ମୁମ୍ବାଇରେ ଭୟାନକ ଦୁର୍ଘଟଣା, ୧୧ ଜଣଙ୍କର ମୃତ୍ୟୁ ୮ ଜଣ ଗୁରୁତର ଆହତ

ମୁମ୍ବାଇ ୧୦-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରଥମ ମୌସୁମୀ ବର୍ଷା କାରଣରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ସହରରେ ଏକ କୋଠା ଭୁଶୁଡ଼ିବା ଫଳରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାମତେ, ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ମାଲାଡ ୱେଷ୍ଟରେ ଥିବା ନୂଆ କଲେକ୍ଟର ପରିସରରେ ଏକ ଆବାସିକ କୋଠା ଭୁଶୁଡ଼ିବା ଫଳରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ବିଏମସି ଅନୁଯାୟୀ କ୍ଷତିଗ୍ରସ୍ତ କୋଠା ନିକଟସ୍ଥ ଅନ୍ୟ ଏକ ଆବାସିକ ଘରକୁ ମଧ୍ୟ ଭୁଷୁଡ଼ି ପଡ଼ିଛି। ମ୍ୟୁନିସିପାଲ କର୍ପୋରେସନ୍ କହିଛି ଯେ, ଏହ ଘଟଣା ସେହି ଅଞ୍ଚଳର ଅନ୍ୟ ଏକ ଆବାସିକ ସଂରଚନାକୁ ମଧ୍ୟ ପ୍ରଭାବିତ କରିଛି ଯାହା ବର୍ତ୍ତମାନ ବିପଜ୍ଜନକ ଅବସ୍ଥାରେ ଅଛି।

ପ୍ରଭାବିତ କୋଠାରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। କୁହାଯାଉଛି ଯେ, ଦୁର୍ଘଟଣାଗ୍ରସ୍ତ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।

ମୁମ୍ବାଇର ଡେପୁଟି କମିଶନର ଅଫ୍ ପୋଲିସ୍ (ଡିସିପି) ବିଶାଲ ଠାକୁର କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସମେତ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକ ଲୋକ ଆବର୍ଜନା ତଳେ ଫସି ରହିଥିବାର ଭୟର ଆଶଂଙ୍କା ରହୁଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ଉଦ୍ଧାରକାରୀ ଦଳ ଏଠାରେ ଅଛନ୍ତି। ଏଥି ସହ ଘଟଣାସ୍ଥଳରେ ପହଞ୍ଚିଥିବା ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ କହିଛନ୍ତି ଯେ ବର୍ଷା ହେତୁ କୋଠା ଭୁଶୁଡି ପଡିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ଲୋକଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହା ତଳେ ଅଧିକ ଲୋକ ଫସି ରହିଛନ୍ତି କି ନାହିଁ ଦେଖିବା ପାଇଁ କୋଠାର ଆବର୍ଜନାଗୁଡ଼ିକୁ ହଟାଯାଉଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦା ସିଦ୍ଦିକି କହିଛନ୍ତି ଯେ ରାତି ପ୍ରାୟ ୧୦ ଟା ବେଳେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ଘଟଣା ରାତି ପ୍ରାୟ ୧୦:୧୫ ସମୟରେ ଘଟିଥିଲା। ଦୁଇଜଣ ବ୍ୟକ୍ତି ବିଲଡିଂ ଭୁଷୁଡ଼ି ପଡ଼ିଥିବା କହିବା ପରେ ମୁଁ ବାହାରକୁ ଆସିଲି। ମୁଁ ବାହାରକୁ ଆସିବା ପରେ ଦେଖିଲି ଏକ ମୁଖ୍ୟ କୋଠା ସମେତ ତିନୋଟି କୋଠା ଭାଙ୍ଗିଯାଇଛି।