Odiapua.com

ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜାମ୍ମୁ ଓ କାଶ୍ମୀର ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତି

– ଚାକିରି, ପଦୋନ୍ନତି ଏବଂ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବା କ୍ଷେତ୍ରରେ ପାଇବେ ସଂରକ୍ଷଣ
– ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି
– ସଂସଦର ଉଭୟ ଗୃହରେ ଆଗତ ହେବ ବିଲ୍

ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଲୋକାଭିମୁଖୀ ଯୋଜନାର ଲାଭକୁ ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କ ବିକାଶରେ ଉପଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ “ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ, ୨୦୧୯”କୁ ମଞ୍ଜୁରି ମିଳିଛି। ସଂସଦର ଆଗାମୀ ଅଧିବେଶନରେ ଏହି ବିଲ ଉଭୟ ଗୃହରେ ଆଗତ କରାଯିବ।

କ୍ୟାବିନେଟର ଏହି ନିଷ୍ପତି ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ନୀତି ପ୍ରତି ସମର୍ପିତ ଏକ ଲୋକାଭିମୁଖୀ ସରକାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପକୁ ପ୍ରତିଫଳିତ କରୁଛି।

ଲାଭ :

ଜାମ୍ମୁ ଓ କାଶ୍ମୀରରେ ଅନ୍ତର୍ଜାତୀୟ ସୀମା ନିକଟରେ ବସବାସ କରୁଥିବା ଲୋକମାନଙ୍କୁ ଏହି ପଦକ୍ଷେପ ଦୀର୍ଘକାଳୀନ ଭିତିରେ ଲାଭାନ୍ୱିତ କରିବ।

ଏଣିକି ସେମାନେ ସିଧାସଳଖ ନିଯୁକ୍ତି, ପଦୋନ୍ନତି ଏବଂ ବିଭିନ୍ନ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସଂରକ୍ଷଣର ଫାଇଦା ପାଇପାରିବେ।

ପରିଣାମ :

ଏହି ବିଲ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ, ୨୦୦୪ରେ ସଂଶୋଧନ ଆଣି “ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ଅଧ୍ୟାଦେଶ, ୨୦୧୯”ର ସ୍ଥାନ ନେବ। ଫଳରେ ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ବାସିନ୍ଦାମାନେ ସଂରକ୍ଷଣର ପରିଧି ମଧ୍ୟକୁ ଆସିପାରିବେ। ସେମାନେ ମଧ୍ୟ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଲୋକମାନଙ୍କ ଭଳି ସମାନ ସଂରକ୍ଷଣ ସୁବିଧା ପାଇପାରିବେ।