Odiapua.com

ଲକଡାଉନ ଯୋଗୁ ବକେୟା ଜମା ବିଳମ୍ବିତ ହୋଇଥିଲେ ଇପିଏଫ ଓ ଏମପି ଆଇନ, ୧୯୫୨ ଅଧୀନରେ ଆସୁଥିବା ପ୍ରତିଷ୍ଠାନଗୁଡ଼ିକୁ ଜରିମାନାରୁ ରିହାତି

ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ଏବଂ ଏଥିଯୋଗୁ ଲାଗୁ ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ପ୍ରତିଷ୍ଠାନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ସ୍ଵାଭାବିକ ଭାବେ କାର୍ଯ୍ୟ କରିବା ଏବଂ ବୈଧାନିକ ଯୋଗଦାନ ନିର୍ଦ୍ଧାରିତ ସମୟରେ ପରିଶୋଧ କରିବାରେ ଅସୁବିଧା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଇପିଏଫ ଏବଂ ଏମପି ଆଇନ, ୧୯୫୨ ଅଧୀନରେ ଆସୁଥିବା ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ବକେୟା ଜମା ପଇଠ କରିନପାରିବା ଲାଗି ଜରିମାନାରୁ ରିହାତି ଦେବା ଲାଗି ନିଷ୍ପତ୍ତି ନିଆଯାଇଛି।

ଇପିଏଫଓ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ପରିଚାଳନାଗତ କିମ୍ବା ଆର୍ଥିକ କାରଣରୁ ଉତ୍ପନ୍ନ ହୋଇଥିବା ବିଳମ୍ବକୁ ଦୋଷ ବୋଲି ଗ୍ରହଣ କରାଯିବ ନାହିଁ ଏବଂ ଏପରି ବିଳମ୍ବ ନିମନ୍ତେ କୌଣସି ଦଣ୍ଡନୀୟ ଜରିମାନା ଲାଗୁ କରାଯିବ ନାହିଁ।

ଇପିଏଫଓର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକୁ ୧୫.୦୫.୨୦୨୦ ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯାଇଛି। ଏହି ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି ଯେ ଏପରି ମାମଲାରେ ଦଣ୍ଡନୀୟ ଜୋରିମାନ ଆଦାୟ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ଇପିଏଫଓର ୱେବସାଇଟ ହୋମ ପେଜରେ ଟ୍ୟାବ “କୋଭିଡ-୧୯” ଅନ୍ତର୍ଗତ ଉପଲବ୍ଧ।

ଉପରୋକ୍ତ ପଦକ୍ଷେପ ଇପିଏଫ ଅନ୍ତର୍ଗତ କଭର ହେଉଥିବା ୬.୫ ଲକ୍ଷ ପ୍ରତିଷ୍ଠାନ ପାଇଁ ମାନଦଣ୍ଡ ଅନୁପାଳନକୁ ସହଜ କରିବ ଏବଂ ସେମାନଙ୍କୁ ଦଣ୍ଡନୀୟ ଜରିମାନା କାରଣରୁ ହେଉଥିବା ଦେୟତାରୁ ସୁରକ୍ଷିତ ରଖିବ।