Odiapua.com

କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ବିଦେଶୀଙ୍କୁ ଭାରତ ଆସିବା ପାଇଁ ଭିସା ଓ ଯାତ୍ରା କଟକଣା କୋହଳ

ନୂଆଦିଲ୍ଲୀ ୪-୬ (ଓଡ଼ିଆ ପୁଅ) ଭାରତକୁ ଆସୁଥିବା କେତେକ ଶ୍ରେଣୀର ବିଦେଶୀଙ୍କ ପାଇଁ ସରକାର ଭିସା ଓ ଯାତ୍ରା କଟକଣା ନିୟମକୁ କୋହଳ କରିଛନ୍ତି। ନିମ୍ନୋକ୍ତ ଶ୍ରେଣୀର ବିଦେଶୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦେବା ଲାଗି ନିଷ୍ପତ୍ତି ହୋଇଛି –

– ବ୍ୟବସାୟିକ ଭିସା (କ୍ରୀଡା ପାଇଁ ଉଦ୍ଦିଷ୍ଟ ବି-୩ ଭିସା ଛାଡି)ରେ ଭାରତ ଆସୁଥିବା ବିଦେଶୀ ବ୍ୟବସାୟୀ। ତେବେ ସେ ଅଣସୂଚିତ ବାଣିଜ୍ୟିକ ବା ଚାଟାର୍ଡ ବିମାନରେ ଆସୁଥିବା ଆବଶ୍ୟକ।

– ପରୀକ୍ଷାଗାର ଓ କାରଖାନା ସମେତ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ପାଇଁ ଆସୁଥିବା ବିଦେଶୀ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଗବେଷକ, ଯନ୍ତ୍ରୀ ଏବଂ ବୈଷୟିକବିତଙ୍କ ପାଇଁ ଏହି କୋହଳ ନୀତି ଲାଗୁ ହେବ। ତେବେ ଭାରତରେ ପଞ୍ଜୀକୃତ ଔଷଧ କମ୍ପାନୀ ବା ସ୍ଵୀକୃତି ପ୍ରାପ୍ତ ବିଶ୍ଵବିଦ୍ୟାଳୟ ବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଆମନ୍ତ୍ରଣ ପତ୍ର ତାଙ୍କ ପାଖରେ ଥିବା ଆବଶ୍ୟକ।

– ଭାରତରେ ଥିବା ବିଦେଶୀ ବ୍ୟବସାୟ ସଂଗଠନ ବା ପ୍ରତିଷ୍ଠାନ ପାଇଁ ବିଦେଶୀ ଯନ୍ତ୍ରୀ, ପ୍ରବନ୍ଧକ ଓ ଅନ୍ୟାନ୍ୟ ବିଶେଷଜ୍ଞ ଆସିପାରିବେ। ଏହା ସମସ୍ତ ଉତ୍ପାଦନ ଓ ପରିପାଟି ୟୁନିଟ, ସଫ୍ଟୱେର ଓ ଆଇଟି ୟୁନିଟ, ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

– ଦେଶରେ ଥିବା ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ କୌଣସି କାରଖାନା ବା ଯନ୍ତ୍ରପାତିର ମରାମତି, ସ୍ଥାପନା କାର୍ଯ୍ୟ ପାଇଁ ବିଦେଶୀ ବିଶେଷଜ୍ଞ ଆମନ୍ତ୍ରଣ କ୍ରମେ ଆସିପାରିବେ।

ତେବେ ଏହି ବିଦେଶୀ ନାଗରିକମାନଙ୍କୁ ନୂତନ ବ୍ୟବସାୟ ଭିସା ବା କର୍ମ ନିୟୋଜନ ଭିସା ସେ ଦେଶର ଥିବା ଭାରତୀୟ ଦୂତାବାସଠାରୁ ଆଣିବାକୁ ପଡିବ। ଯେଉଁ ବିଦେଶୀ ନାଗରିକଙ୍କ ଭାରତ ଆଗମନ ପାଇଁ ଦୀର୍ଘ ମିଆଦି ବ୍ୟବସାୟିକ ଭିସା ଥିବ ସେ ତାହାକୁ ତାଙ୍କ ଦେଶରେ ଭାରତୀୟ ଦୂତାବାସରେ ପୁନଃବୈଧକରଣ କରି ଆସିପାରିବେ। ତେବେ ଯେଉଁମାନେ ଆଗରୁ ଇଲେକ୍ଟ୍ରୋନିକ ଭିସା ନେଇଛନ୍ତି, ସେମାନଙ୍କୁ ଭାରତ ଆସିବା ପାଇଁ ଅନୁମତି ମିଳିବ ନାହିଁ।