Odiapua.com

ରିଅଲ୍ ସାବିତ୍ରୀ v/s ଫେକ୍ ସାବିତ୍ରୀ: ଅନୁଭବଙ୍କ ସାବିତ୍ରୀ ମାପକାଠି ..

ଭୁବନେଶ୍ୱର: ଅଭିନେତାରୁ ନେତା ପାଲଟିଥିବା କେନ୍ଦ୍ରାପଡ଼ା (ବିଜେଡି) ସାଂସଦ ଅନୁଭବ ମହାନ୍ତି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ କିମ୍ବା ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି କେବେ ଚର୍ଚ୍ଚିତ ତ’ କେବେ ବିବାଦୀୟ ହୋଇଛନ୍ତି। କେତେଥର ଲୋକହସା ବି ହୋଇଛନ୍ତି। ଏବେ ଓଡ଼ିଆ ତଥା ହିନ୍ଦୁ ସଧବା ନାରୀଙ୍କ ପର୍ବ ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଅନୁଭବ ମହାନ୍ତି ତାଙ୍କ ଫେସବୁକ୍ ପେଜରେ “ରିଅଲ୍ ସାବିତ୍ରୀ v/s ଫେକ୍ ସାବିତ୍ରୀ” ଉପରେ ଏକ ପୋଷ୍ଟ୍ କରିଛନ୍ତି। ଅନୁଭବ ଲେଖିଛନ୍ତି, ପବିତ୍ର ସାବିତ୍ରୀ ଓଷା ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହଉଛି ଏକ ଅନନ୍ୟ ସୃଷ୍ଟି। ସେ ମା’ ରୂପରେ, ଭଉଣୀ ରୂପରେ, ସ୍ତ୍ରୀ ରୂପରେ, ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି। ଆଜି ଏଇ ବାର୍ତ୍ତାଟି ସେଇ ନାରୀ ମାନଙ୍କ ପାଇଁ, ଯେଉଁମାନେ ନାରୀ ହେଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦନାମ୍ କରୁଛନ୍ତି। ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି। ଆମ ସନାତନ ଧର୍ମରେ ସଧବା ନାରୀର ପ୍ରତୀକ ହଉଛି ସିନ୍ଦୁର। ଏଇ ସିନ୍ଦୁର ଗୋଟେ ରଙ୍ଗ ନୁହେଁ କି କସମେଟିକ୍ ନୁହେଁ। ଇଏ ହଉଛି ନାରୀର ଅଳଙ୍କାର। ସେଇଥିପାଇଁ ସିନ୍ଦୁରକୁ ଲଗାଯାଏନି, ପିନ୍ଧାଯାଏ। ଖଣ୍ଡେ ପଥରରେ ଟୋପେ ସିନ୍ଦୁର ଲାଗିଲେ ସିଏ ଦେବୀଟିଏ ହେଇଯାଏ, ଆଉ ନାରୀ ତ’ ରକ୍ତ ମାଂସ ଧାରୀ ମଣିଷ। ସେ ଟୋପେ ସିନ୍ଦୁର ପିନ୍ଧିଲେ ଦେବୀଠୁ ଆହୁରି ଉଚ୍ଚ ଆସନରେ ବସେ। ସିନ୍ଦୁର ହଉଛି ତା’ ପାଇଁ ଭଗବାନ୍। ସେଇଥିପାଇଁ ସିନ୍ଦୁର କିଣିଲା ବେଳେ ମୂଲ୍ ଚାଲ୍ କରାଯାଏନି। ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲ୍ ଚାଲ୍ କରାଯାଏନି। ହେଲେ ଏଇ ସିନ୍ଦୁର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟହୀନ। ଆମେ ଶୁଣିଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୁରା ଖେଳ ଘର। କଥାରେ କହନ୍ତି, ‘ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ’। ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୁରରେ ଛିନ୍ନମସ୍ତା। ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହବା ପାଇଁ ସିନ୍ଦୁର ପିନ୍ଧି ଏକଦମ୍ ସତୀ ସାବିତ୍ରୀ ପତିବ୍ରତା। ଧନ୍ୟ କହିବ ଏ’ ନାରୀ ମାନଙ୍କୁ। ଓ’ ମ୍ୟାଡାମ୍, ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତା’ହେଲେ ଥରେ ସାବିତ୍ରୀ ଓଷାର ବହିଟା ପଢ଼। ତା’ପରେ ସିନ୍ଦୁର ଆଉ ସ୍ୱାମୀର ମାନେ କ’ଣ ବୁଝିବ। ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକମାନଙ୍କ ଉଦ୍ଦେଶ୍ୟରେ ଏ’ କଥା କହୁନି। କାହିଁକି ନାଁ, ଯେମିତି ଆଜିକାଲି ସୋସିଆଲ୍ ମେଡିଆରେ ଫେକ୍ ଆଇଡି ଆଉ ରିଅଲ୍ ଆଇଡି ଦୁଇ ପ୍ରକାର, ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବାହାରିଛନ୍ତି। ଗୋଟେ ରିଅଲ୍ ସାବିତ୍ରୀ ଆଉ ଗୋଟେ ଫେକ୍ ସାବିତ୍ରୀ। ରିଅଲ୍ ସାବିତ୍ରୀ ତ’ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ। ହେଲେ ଏଇ ଫେକ୍ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ, ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୁର ଲଗେଇ ଓଶୋଉତୁଣୀ। ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୁରରେ ଖାଲି ସମ୍ପର୍କ ଯୋଡି ହୁଏନି। ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର। ସିନ୍ଥିରେ ସିନ୍ଦୁର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୁର କିମ୍ବା ସାବିତ୍ରୀ ଓଷାର ବଦନାମ୍ କରନ୍ତୁ ନାହିଁ। ଦେହକୁ ନେବେନି।
Dev@Drath