Odiapua.com

୩୦ ପର୍ଯ୍ୟନ୍ତ IRCTC ବାତିଲ କଲା ଏହି ବେସରକାରୀ ଟ୍ରେନ ସେବା – ବୁକ୍ ହୋଇଥିବା ଟିକେଟ୍ ପୂର୍ଣ୍ଣ ଫେରସ୍ତ ହେବ

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଭାରତୀୟ ରେଳର ସହାୟକ କମ୍ପାନୀ IRCTC ଏହାର ତିନୋଟି ଘରୋଇ ଟ୍ରେନ୍ ସେବାକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି। IRCTC ଦେଶରେ ତିନୋଟି ଘରୋଇ ଟ୍ରେନ୍ ଚଳାଚଳ କରୁଛି। ମଙ୍ଗଳବାର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୫ ମଧ୍ୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ଏହି ତିନୋଟି ଟ୍ରେନ୍ ପାଇଁ ବୁକିଂ ବନ୍ଦ ରହିଥିଲା, କିନ୍ତୁ ଲକଡାଉନ୍ ଅବଧି ପରେ ଯାତ୍ରା ପାଇଁ ଟିକେଟ ବୁକିଂ ଅନୁମତି ଦିଆଯାଇଥିଲା। ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି ତିନୋଟି ଟ୍ରେନ୍ ହେଉଛି ବାରାଣାସୀ-ଇନ୍ଦୋର ମାର୍ଗରେ କାଶୀ ମହାକାଲ ଏକ୍ସପ୍ରେସ, ଲକ୍ଷ୍ନୌ- ନୂଆଦିଲ୍ଲୀ ତେଜସ୍ ଏବଂ ଅହମ୍ମଦାବାଦ-ମୁମ୍ବାଇ ତେଜସ୍।

ଅଧିକାରୀମାନେ କହିଛନ୍ତି ଯେ ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ଏପ୍ରିଲ ୩୦ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଅଧିକାରୀ କହିଛନ୍ତି ଯେ ସେହି ସମୟ ମଧ୍ୟରେ ଟିକେଟ୍ ବୁକ୍ କରିଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଫେରସ୍ତ ମିଳିବ।