Odiapua.com

ଭକ୍ତିମୟ ପରିବେଶ ମଧ୍ୟରେ ରଥଯାତ୍ରା ପାଳନ

କୋଦଳା : ୦୪/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ପବିତ୍ର ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଭକ୍ତି ଓ ଭାବମୟ ପରିବେଶ ମଧ୍ୟରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳାର ବିଭିନ୍ନ ସ୍ଥାନରେ ରଥଯାତ୍ରା ସମାପନ ହୋଇଯାଇଛି। କୋଦଳା, ବେଗୁନିଆପଡ଼ା, ତିରିଡା, ମଠସରସିଂ, କଣ୍ଟାପଡ଼ା ସମେତ ବିଭିନ୍ନ ଗ୍ରାମର ଜଗନ୍ନାଥ ମନ୍ଦିର ଗୁଡିକରେ ପରମ୍ପରା ଅନୁସାରେ ସକାଳୁ ଶ୍ରୀ ଜୀଉମାନଙ୍କୁ ଗୋଟି ପହଣ୍ଡି କରି ତିନି ରଥରେ ବିରାଜମାନ କରାଯାଇଥିଲା। ଏହାପରେ ଛେରାପହଁରା କାର୍ଯ୍ୟକ୍ରମ ସରିବା ପରେ ରଥଟଣା ନୀତି ଆରମ୍ଭ ହୋଇଥିଲା।। ମହାପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ରତ୍ନ ସିଂହାସନରୁ ଓହ୍ଲାଇ ସର୍ବ ସାଧାରଣଙ୍କ ପାଇଁ ଦାଣ୍ଡକୁ ଚାଲି ଆସିଛନ୍ତି। ରଥରେ ରହି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ୩ ଠାକୁରଙ୍କୁ ଦର୍ଶନ କରିଛନ୍ତି ଭକ୍ତ। ସକାଳ ପୂଜା, ମଙ୍ଗଳ ଆଳତୀ, ମଇଲାମ, ରଥ ପୂଜା ପରେ ପହଣ୍ଡି ହୋଇଥିଲା। ଛେରାପହଁରା ପରେ ପହଣ୍ଡିରେ ମହାପ୍ରଭୁଙ୍କୁ ଅଣାଯାଇ ରଥାରୁଢ କରାଯାଇଥିଲା। ଏହାପରେ ଭକ୍ତମାନେ ଅତି ଆନନ୍ଦରେ ତାଙ୍କୁ ଟାଣିଟାଣି ନେଇଥିଲେ ମାଉସୀ ମା’ ମନ୍ଦିରକୁ।