Odiapua.com

ଭାରତର ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଦିବସ ଅବସରରେ ଶତ ଶତ ନମନ ..

ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ପିଲା ବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ମନୁ ଥିଲା। ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା। ମନୁଙ୍କ ପିତାମାତା ମହାରାଷ୍ଟ୍ରରୁ ଝାନ୍‌ସୀ ଚାଲି ଆସିଥିଲେ। ମନୁ ମାତ୍ର ଚାରି ବର୍ଷର ହୋଇଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା। ମନୁଙ୍କ ପିତା ମରାଠର ବାଜିରାଓଙ୍କ ସେବାରେ ନିୟୋଜିତ ଥିଲେ। ମା’ ଙ୍କ ମୃତ୍ୟୁ ପରେ ମନୁଙ୍କ ସମସ୍ତ ଦାୟୀତ୍ୱ ତାଙ୍କ ପିତା ବହନ କରିଥିଲେ। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲା ବୟସରୁ ମନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ହୋଇ ଯାଇଥିଲେ।
ମାତ୍ର ୮ ବର୍ଷ ବୟସରେ ମନୁଙ୍କ ବିବାହ ଝାନ୍‌ସୀର ରାଜା ଗଙ୍ଗାଧର ରାଓଙ୍କ ସହ ହୋଇଥିଲା। ତାପରେ ସେ ଝାନ୍‌ସୀର ରାଣୀ ହୋଇଥିଲେ। ବିବାହ ପରେ ତାଙ୍କ ନାମ ଲକ୍ଷ୍ମୀବାଈ ରଖା ଯାଇଥିଲା। ୧୮୫୧ ମସିହାରେ ଲକ୍ଷ୍ମୀବାଈ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସେହି ପୁତ୍ରର ନାମ ଦାମୋଦର ରାଓ ରଖାଯାଇଥିଲା। ମାତ୍ର ୪ ମାସ ପରେ ତାଙ୍କ ପୁତ୍ରର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିଥିଲେ। ସେ ତାଙ୍କ ପୋଷ୍ୟ ସନ୍ତାନର ନାମ ଦାମୋଦର ରାଓ ରଖିଥିଲେ। ୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ସ୍ୱୀକାର ନକରି ଇଂରେଜମାନେ ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ତାଙ୍କ ରାଜ୍ୟ ଛଡ଼ାଇ ନେବାକୁ ଚାହୁଁଥିଲେ। ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟର ଶାସନ ଭାର ସୁଚାର ରୂପେ ଚଳାଉଥିଲେ। ତେଣୁ ପ୍ରଜା ମାନଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ବିଟ୍ରିଶ ସରକାର ରାଜ୍ୟ ଛଡ଼ାଇ ନେବାକୁ ଯୁଦ୍ଧ କରିଥିଲେ। ବିଟ୍ରିଶ ସରକାର ଯୁଦ୍ଧ ସମୟରେ ରାଜ୍ୟର ସମସ୍ତ ସମ୍ପତ୍ତି ଜବତ କରି ନେଇଥିଲେ। ତାଙ୍କ ସ୍ୱାମୀଙ୍କ କରଜ ଟଙ୍କାକୁ ରାଣୀ ଲକ୍ଷ୍ମୀବାଈ ଶୁଝିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାର ପରିଣାମ ସ୍ୱରୂପ ରାଣୀ ଲକ୍ଷ୍ମୀବାଈଙ୍କୁ ଝାନ୍‌ସୀ କିଲ୍ଲା ଛାଡ଼ି ରାଣୀମହଲ ଯିବାକୁ ପଡ଼ିଥିଲା। କିନ୍ତୁ ଏ’ସବୁ ପରେ ମଧ୍ୟ ରାଣୀ ଲକ୍ଷ୍ମୀବାଈ ହାରିଯାଇ ନଥିଲେ। ଝାନ୍‌ସୀର ରକ୍ଷା ପାଇଁ ରାଣୀ ଲକ୍ଷ୍ମୀବାଈ ପ୍ରତିଜ୍ଞାବଦ୍ଧ ହୋଇଥିଲେ।
ଏହାର ଚାରିବର୍ଷ ପରେ ୧୮୫୭ ମସିହାରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା। ୧୮୫୭ ମସିହା ମେ’ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତାର ପତାକା ଉଡ଼ିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ। ପ୍ରଥମେ ଦିଲ୍ଲୀ ଓ ପରେ ଝାନସୀରେ ବିପ୍ଳବ ଆରମ୍ଭ ହୋଇଥିଲା। ଝାନସୀର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀ ମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜ ମାନଙ୍କୁ ହଟାଇ ଝାନସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡ଼ାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଯୁଦ୍ଧ କରିବା ସମୟରେ ଘୋଡ଼ାରୁ ପଡ଼ିଯାଇ ଅତ୍ୟନ୍ତ ଗୁରୁତର ଆହତ ହୋଇ ୧୮୫୮ ମସିହା ଜୁନ ୧୮ ତାରିଖରେ ରାଣୀ ଲକ୍ଷ୍ମୀବାଈ ମୃତ୍ୟୁ ବରଣ କରିଥିଲେ। ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ଥିଲେ। ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ। ଆଜି ଭାରତମାତାର ଏହି ବୀରାଙ୍ଗନା ସୁପୁତ୍ରୀଙ୍କ ଜନ୍ମ ଦିବସ ଅବସରରେ ତାଙ୍କୁ କୋଟି କୋଟି ନମନ।
–/DevDrath