Odiapua.com

ରକ୍ଷାମନ୍ତ୍ରୀଙ୍କ ଦ୍ଵାରା ଏରୋ ଇଣ୍ଡିଆ ୨୧ ୱେବସାଇଟ ଉଦ୍ଘାଟିତ – ଏସିଆର ସର୍ବବୃହତ ଏରୋ ଶୋ ନିମନ୍ତେ ସ୍ପେସ ବୁକିଙ୍ଗ ଆରମ୍ଭ

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ଫେବୃଆରୀ ୨୦୨୧ ମସିହା ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ନୂଆଦିଲ୍ଲୀଠାରେ ଏରୋ ଇଣ୍ଡିଆ ୨୧ ୱେବସାଇଟ https://aeroindia.gov.in ଉନ୍ମୋଚନ କରିଛନ୍ତି। ଏଥିସହିତ ସ୍ପେସ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଛି। ଏସିଆର ସର୍ବବୃହତ ଏରୋ ଶୋ ପାଇଁ ଏହି ୱେବସାଇଟ ଅନଲାଇନରେ ଉପଲବ୍ଧ। ଉଭୟ ପ୍ରଦର୍ଶନକାରୀ ଓ ପରିଦର୍ଶକଙ୍କ ପାଇଁ ଏହି ୱେବସାଇଟ ବିଭିନ୍ନ ମାର୍ଗଦର୍ଶନ ଦେବ। ଏଥିରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ ଓ ହେଲିକେପ୍ଟର ସମ୍ପର୍କରେ ବିଷୟବସ୍ତୁ ସ୍ଥାନିତ ହେବ। ରକ୍ଷାମନ୍ତ୍ରୀ ଏହି ଏରୋ ଶୋ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି।

ପ୍ରଦର୍ଶନକାରୀ ଭାବେ ଏଥିରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥା ନିଜର ନାମ ପଞ୍ଜୀକୃତ କରି ଅନଲାଇନ ସ୍ପେସ ବୁକିଙ୍ଗ କରିପାରିବେ। ଏରୋ ଇଣ୍ଡିଆ ୱେବସାଇଟ ଜରିଆରେ ସମସ୍ତ ଦେୟ ଅନଲାଇନରେ ପଇଠ କରିବାକୁ ଥିବାବେଳେ ଯିଏ ଆଗ ଆସିବ ତାକୁ ଅଗ୍ରାଧିକାର ଦିଆଯିବ। ଅକ୍ଟୋବର ୩୧ ପୂର୍ବରୁ ଅନଲାଇନ ଜରିଆରେ ସ୍ପେସ ବୁକିଙ୍ଗ କରୁଥିବା ପ୍ରଦର୍ଶନକାରୀଙ୍କୁ ରିହାତି ସୁଯୋଗ ମିଳିବ। ବ୍ୟବସାୟ ଓ ଅନ୍ୟାନ୍ୟ ପରିଦର୍ଶକମାନେ ୱେବସାଇଟ ଜରିଆରେ ସେମାନଙ୍କ ଅନଲାଇନ ଟିକେଟ କିଣିପାରିବେ। ୩ରୁ ୭ ଫେବୃଆରୀ ୨୦୨୧ ମଧ୍ୟରେ ହେବାକୁ ଥିବା ଏହି ଶୋ ପାଇଁ ଟିକେଟ ବୁକିଙ୍ଗ କରାଯିବ। ଯେକୌଣସି ଗଣମାଧ୍ୟମ ସେମାନଙ୍କ ପ୍ରକାଶନ ପାଇଁ ବା ପ୍ରଦର୍ଶନର ପ୍ରସାରଣ ପାଇଁ ୱେବସାଇଟ ଜରିଆରେ ପଞ୍ଜୀକୃତ କରିପାରିବେ। ବିଭିନ୍ନ ପ୍ରଶ୍ନର ସମାଧାନ ଓ ଫିଡବ୍ୟାକ ପାଇଁ ଏହି ୱେବସାଇଟ ଜରିଆରେ ପରିଦର୍ଶକମାନେ ସେମାନଙ୍କ ପ୍ରଶ୍ନ ପଚାରିବା ସହ ମନ୍ତବ୍ୟ ପ୍ରଦାନ କରିପାରିବେ। ଯେପରି ନିରାପଦର ସହ ଏହା ସମ୍ପନ୍ନ ହେବ ସେଥିପାଇଁ ସ୍ୱାସ୍ଥ୍ୟ ନିୟମାବଳୀ ମଧ୍ୟ ଜାରି କରାଯିବ। ବୈଶ୍ଵିକ ମହାମାରୀ ସମ୍ପର୍କିତ ମାର୍ଗଦର୍ଶିକାକୁ ଆଖିଆଗରେ ରଖି ୱେବସାଇଟ ଜରିଆରେ ପାରସ୍ପରିକ ମତ ବିନିମୟର ବ୍ୟବସ୍ଥା ରହିଛି। ଏହାଫଳରେ ଅଂଶଗ୍ରହଣକାରୀଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ।

ଏଠାରେ ସ୍ମରଣ କରାଯାଇପାରେ ଯେ, ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ରୁଷ ଗସ୍ତ କାଳରେ ହୋଇଥିବା ଦ୍ଵିପାକ୍ଷିକ ଆଲୋଚନାରେ ଶ୍ରୀ ସିଂ ଏରୋ ଇଣ୍ଡିଆ ୨୧ ଶୋ ସମ୍ପର୍କରେ ସୂଚନା ଦେବା ସହ ପ୍ରତିରକ୍ଷା ମନ୍ତ୍ରୀ, ରୁଷିଆ ଶିଳ୍ପ ପ୍ରତିନିଧି କେନ୍ଦ୍ର-ଏସିଆ ଦେଶଗୁଡିକର ରକ୍ଷାମନ୍ତ୍ରୀମାନଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ।

ପ୍ରତିରକ୍ଷା ଉତ୍ପାଦନ ସଚିବ ଶ୍ରୀ ରାଜ କୁମାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ୱେବସାଇଟ ଉନ୍ମୋଚନ କାଳରେ ଉପସ୍ଥିତ ଥିଲେ।