Odiapua.com

ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ

ସଂଘର୍ଷ କ୍ଳବ ଭୁବନେଶ୍ୱର ୨-୧ରେ ଭଞ୍ଜନଗର ମରାଠା କ୍ଲବଠାରୁ ବିଜୟୀ
ନୟାଗଡ଼,୪ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଳା ଆଥ୍ଲେଟିକ ଆସୋସିଏସନ ଓ ୭୮୬ ୟୁଥ୍ କ୍ଳବ ସିନ୍ଦୁରିଆର ମିଳିତ ଉଦ୍ୟମରେ ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଟୁର୍ଣ୍ଣାମେଂଟ ୨୦୧୮ର ତୃତୀୟ ଦିବସରେ ସଂଘର୍ଷ କ୍ଳବ ଭୁବନେଶ୍ୱର  ଭଞ୍ଜନଗର ମରାଠା କ୍ଳବକୁ ୨-୧ ଗୋଲରେ  ପରାସ୍ତ କରିଛି  । ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁ ସଂଘର୍ଷପୂର୍ଣ୍ଣ ହୋଇଥିଲାବେଳେ ପ୍ରଥମେ ଭଞ୍ଜନଗର ମରାଠା କ୍ଳ୍ବ ଭୁବନେଶ୍ୱର ସଂଘର୍ଷ କ୍ଳବକୁ ଗୋଟିଏ ଗୋଲ ଦେଇଥିଲା । ଏଥିରେ ସଂଘର୍ଷ କ୍ଳବ ନିଜର କରିଶ୍ମା ଦେଖାଇ ଜର୍ସି ନଂ.୧୦ ଖେଳାଳୀ ଅନ୍ତର୍ଯ୍ୟାମୀ ନାୟକ ଏକ ଚମକ୍ରାର ଗୋଲ ଦେଇ ନିଜର ସ୍ଥିତିକୁ ସମାନସ୍ତରକୁ ଆଣିଥିଲେ ।  ପୁଣି ଏହି ୧୦ନଂ ଖେଳାଳୀ ଖେଳ ଶେଷ ହେବାର  ୧୦ମିନିଟ ପୂର୍ବରୁ  ମରାଠା କ୍ଳବକୁ ଆଉ ଏକ ଗୋଲ ଦେଇ ସଂଘର୍ଷ କ୍ଳବକୁ  ୨-୧ ଗୋଲରେ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ । ଏହି ଖେଳରେ ଶ୍ରୀ ନାୟକ ମ୍ୟାନ ଅଫ ଦି ମ୍ୟାଚ ହେବା ସହ ୫ଶହ ଟଙ୍କା ପୁରଷ୍କାର ପାଇଥିଲେ । ଅନୁଷ୍ଠିତ ଏହି ଖେଳରେ ମୁଖ୍ୟ ରେଫରୀ ଭାବେ କାର୍ତ୍ତୀକ ଦାସ ଖେଳ ପରିଚାଳନା କରିଥିଲାବେଳେ ଅନ୍ୟତମ ରେଫରି ଭାବେ ରାଜୁ ମହାନ୍ତି,ଟି.ମୋହନ ରାଓ,ପି.କେ.ପାଲ ପ୍ରମୁଖ ତାଙ୍କୁ ସହାୟତା କରିଥିଲେ ଓ ସାମ୍ବାଦିକ ରାମକୃଷ୍ଣ ରଥ ଖେଳର ଧାରା ବିବରଣୀ ଦେଇଥିଲେ ।  ମ୍ୟାଚ କମିଶନର ଭାବେ ବରିଷ୍ଠ ଖେଳାଳୀ ପ୍ରଶାନ୍ତ କୁମାର ବରାଡ଼ ଖେଳକୁ ତଦାରଖ କରିଥିଲାବେଳେ ପୂର୍ବତନ  ବିଧାୟକ ସତ୍ୟନାରାୟଣ ପ୍ରଧାନ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା,କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ,ଜିଲ୍ଲା ପରିଷଦ ସଭ୍ୟ ବିଭୂତି ସାହୁ,ନଗରପାଳ ଗୁରୁପ୍ରସାଦ ଜେନା, ସରପଂଚ ସରିଫ ଖାଁ,ଘରୋଇ ବସ୍ ମାଲିକ ସଂଘ ସଂପାଦକ ଶେଖ୍  ୟୁସୁଫ୍ ଓ ମୁଖ୍ୟ ସଂଯୋଜକ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।