Odiapua.com

ରାଜସ୍ଥାନ ପଲଟିକ୍ସ: ବିଜେପି ରଣନୀତି ଫେଲ୍; କଂଗ୍ରେସକୁ ବଞ୍ଚାଇଲା ବସୁନ୍ଧରା ଯୋଜନା ..

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଡ୍ରାଙ୍କ ସହିତ ସଚିନ ପାଇଲଟଙ୍କ ସାକ୍ଷାତ ପରେ ରାଜସ୍ଥାନ କଂଗ୍ରେସ ସରକାରରେ ଗତ ଏକ ମାସ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି। ଏବେ ସଚିନ୍ ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକମାନେ କଂଗ୍ରେସ ସରକାର ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ଠିଆ ହୋଇଛନ୍ତି। ଗତ ଏକ ମାସ ମଧ୍ୟରେ ରାଜସ୍ଥାନ କଂଗ୍ରେସ ଭିତରେ ଅନେକ ଗଣ୍ଡଗୋଳ ହୋଇଥିଲା। ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଅଶୋକ ଗେହଲୋଟ୍ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ରାଜସ୍ଥାନ ସରକାରକୁ ବିପଦରେ ପକାଇ ଦେଇଥିଲେ। କେତେବେଳେ ସଚିନ୍ ପାଇଲଟ୍ ଏବଂ ତାଙ୍କ ସମର୍ଥକମାନେ ବିଜେପିରେ ଯୋଗ ଦେବା କଥା ତ’ କେତେବେଳେ ତୃତୀୟ ସାମ୍ମୁଖ୍ୟ ସୃଷ୍ଟି ହେବା କଥା ଉଠୁଥିଲା। ସଚିନ୍ ସମର୍ଥକ ବିଧାୟକମାନେ ଗୁରୁଗ୍ରାମର ଏକ ହୋଟେଲରେ ଏକତ୍ରିତ ହୋଇ ନିଜ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। କୁହାଯାଉଥିଲା ମଧ୍ୟପ୍ରଦେଶ ପରେ ରାଜସ୍ଥାନ କଂଗ୍ରେସରେ ଥିବା କନ୍ଦଳରୁ ଫାଇଦା ନେବାକୁ ଅନାଇ ବସିଥିଲା ବିଜେପି। ସମଗ୍ର ରାଜନୈତିକ ଘଟଣା ଉପରେ ବିଜେପିର ନଜର ଥିଲା। ରାଜ୍ୟ ବିଜେପି ଶାଖା ଏହା ଉପରେ କ୍ରମାଗତ ଭାବରେ ବୈଠକ କରୁଥିଲା। ଏପରିକି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, ଓମ୍ ମାଥୁରଙ୍କ ଭଳି ନେତାମାନେ ସଚିନ ପାଇଲଟଙ୍କୁ ବିଜେପିରେ ଯୋଗ ଦେବାକୁ ଆମନ୍ତ୍ରଣ ମଧ୍ୟ କରିଥିଲେ। ଯଦିଓ ବିଜେପି ଦଳ ଭିତରେ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକଙ୍କ ପ୍ରତି ସମର୍ଥନର ସ୍ୱର ରହିଥିଲା, କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ସବୁ ବିଗାଡ଼ି ଦେଲେ।

ନିଜ ସ୍ୱାର୍ଥ ତଥା ନିଜ ଭବିଷ୍ୟତ ରାଜନୀତିକୁ ଦୃଷ୍ଟିରେ ରଖି ବସୁନ୍ଧରା ରାଜେ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକଙ୍କୁ ବିଜେପିକୁ ଆଣିବା ସପକ୍ଷରେ ନଥିଲେ। ଏହାକୁ ନେଇ ବସୁନ୍ଧରା ରାଜ୍ୟ ବିଜେପିରେ ପ୍ରତିବାଦ କରିଥିଲେ। ବସୁନ୍ଧରାଙ୍କ ଜିଦ୍ ଆଗରେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ଗଜେନ୍ଦ୍ର ସିଂ ଶେଖୱାତ, ଓମ୍ ମାଥୁରଙ୍କ ପରି ନେତା ନିରୁପାୟ ହୋଇଗଲେ। ଏହାପରେ ବସୁନ୍ଧରା ବିଜେପିର ବରିଷ୍ଠ ନେତାଙ୍କ ସହ ମାରାଥନ ବୈଠକ ଆରମ୍ଭ କରିଦେଲେ। ବସୁନ୍ଧରା ରାଜେ ଅଗଷ୍ଟ ୬ ତାରିଖରେ ଦଳର ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କୁ ଭେଟିଥିଲେ। ଅଗଷ୍ଟ ୭ ତାରିଖରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ତାଙ୍କ ବାସଭବନକୁ ଯାଇ ସାକ୍ଷାତ ଆଲୋଚନା କଲେ। ପରଦିନ ଅର୍ଥାତ୍ ୮ ତାରିଖରେ ଦଳର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲୋଚନା କଲେ। ସୂଚନା ଅନୁଯାୟୀ ରାଜସ୍ଥାନ ରାଜନୀତି ଉପରେ ନିଜ ମତ ବିଷୟରେ ବସୁନ୍ଧରା ରାଜେ ଦଳର ବରିଷ୍ଠ ନେତାମାନଙ୍କୁ ଅବଗତ କରାଇଥିଲେ। ବିଜେପିରେ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକଙ୍କ ପ୍ରବେଶ କିମ୍ବା ସଚିନ ପାଇଲଟଙ୍କ ତୃତୀୟ ଫ୍ରଣ୍ଟକୁ ବିଜେପିର ସମର୍ଥନ କରିବାକୁ ନେଇ ବସୁନ୍ଧରା ରାଜେ ଦଳର ବରିଷ୍ଠ ନେତାଙ୍କ ଆଗରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିବାଦ ବ୍ୟକ୍ତ କରିଥିଲେ। ବସୁନ୍ଧରା ରାଜେ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହି ବିଜେପିର ବରିଷ୍ଠ ନେତା ମାନଙ୍କ ନିକଟରେ ସଚିନ ପାଇଲଟଙ୍କ ପ୍ରତି ଦଳର ଆଭିମୁଖ୍ୟକୁ ନେଇ ପ୍ରତିବାଦ ଜଣାଇଥିଲେ। ଏହାର ଦୁଇ ଦିନ ପରେ ହଠାତ୍ ସଚିନ୍ ପାଇଲଟ୍ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ପାର୍ଟି ଭିତରେ ସବୁ କିଛି ଠିକ ଅଛି ବୋଲି କୁହାଗଲା।

ସୂଚନାଯୋଗ୍ୟ ଯେ ରାଜସ୍ଥାନ କଂଗ୍ରେସରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା। ଗେହଲୋଟ୍ ଏବଂ ପାଇଲଟ୍ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ସଚିନ ପାଇଲଟଙ୍କୁ ଉପ- ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ସଚିନ ପାଇଲଟଙ୍କୁ କ’ଣ ବା କହି ନଥିଲେ। ଉଭୟ ଉଭୟଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ କରିଥିଲେ। ତା’ପରେ ଅଗଷ୍ଟ ୧୦ ତାରିଖରେ ଏପରି କ’ଣ ହେଲା ଯେ, ହଠାତ୍ ସଚିନ୍ ପାଇଲଟ୍ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଡ୍ରାଙ୍କୁ ଭେଟି ସବୁକିଛି ସଜାଡ଼ିଲେ। ଏବେ ପାର୍ଟି ଭିତରେ ସବୁ କିଛି ଠିକ ଅଛି ବୋଲି ବୋଲି କୁହାଯାଇ ସବୁ ଦୋଷ ବିଜେପି ଉପରେ ଲଦା ଯାଉଛି। କିନ୍ତୁ, ବାସ୍ତବରେ ଦେଖିବାକୁ ଗଲେ ବିଜେପିର ଜଣେ ନେତ୍ରୀଙ୍କ ସ୍ୱାର୍ଥ ଏବଂ ଜିଦ୍ ପାଇଁ ବିଜେପିର ରଣନୀତି ଫେଲ୍ ହୋଇଗଲା ଏବଂ କଂଗ୍ରେସ ଭିତରେ ବିବାଦ ତୁଟି ସବୁ ଠିକ୍ ହୋଇଗଲା। /-ଦେବଦତ୍ତ ରଥ