ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ। କ୍ଷୀର ଗରମ ଥିବା ହେତୁ ଏହା ଶ୍ରୀକୃଷ୍ଣଙ୍କ ହୃଦୟରେ କଷ୍ଟ ଅନୁଭୂତ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”। ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ ପ୍ରତ୍ୟେକ ନିଶ୍ୱାସରେ ତାଙ୍କର ନାମ ରହିଛି? ମୁଁ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଏ, ତଥାପି ଆପଣ ମତେ କାହିଁକି ଡାକନ୍ତି ନାହିଁ? ଶ୍ରୀକୃଷ୍ଣ କହିଲେ, ଦେବୀ! ତୁମେ କେବେ ରାଧାଙ୍କୁ ଭେଟିଛ? ଏହା କହି ଶ୍ରୀକୃଷ୍ଣ ଅଳ୍ପ ହସିଲେ। ପରଦିନ ରୁକ୍ମିଣୀ ରାଧାଙ୍କୁ ଭେଟିବା ପାଇଁ ତାଙ୍କ ପ୍ରାସାଦରେ ପହଞ୍ଚିଥିଲେ। ରାଧାଜୀଙ୍କ କୋଠରୀ ବାହାରେ ସେ ଜଣେ ଅତ୍ୟନ୍ତ ସୁନ୍ଦର ମହିଳାଙ୍କୁ ଦେଖିଲେ ଏବଂ ମୁହଁରେ ତୀକ୍ଷ୍ଣତା ହେତୁ ସେ ଭାବିଲେ ଏ’ ହିଁ ରାଧା। ଏବଂ ତାଙ୍କ ପାଦ ସ୍ପର୍ଶ କଲେ।
ମହିଳା ଜଣଙ୍କ କହିଲେ, ତୁମେ କିଏ? ରୁକ୍ମିଣୀ ନିଜ ପରିଚୟ ଦେବା ସହ ରାଧାଙ୍କୁ ଭେଟିବାକୁ ଆସିଥିବା କଥା କହିଲେ। ଏହା ଶୁଣି ମହିଳା ଜଣଙ୍କ କହିଲେ, ମୁଁ ରାଧା ନୁହେଁ, ରାଧାଜୀଙ୍କର ଦାସୀ। ରାଧାଜୀଙ୍କୁ ତୁମେ ସାତ ଦ୍ୱାର ପାର ପରେ ଭେଟିବାକୁ ପାଇବ। ସାତ ଦ୍ୱାର ଅତିକ୍ରମ କରି ଯାଉଥିବା ସମୟରେ ପ୍ରତ୍ୟେକ ଦ୍ୱାରରେ ଜଣେ ସୁନ୍ଦରରୀ ଏବଂ ତେଜସ୍ୱୀ ମହିଳାଙ୍କୁ (ଦାସୀ) ଦେଖି, ଦାସୀମାନେ ଯଦି ଏତେ ସୁନ୍ଦରୀ, ତେଜସ୍ୱୀ ତେବେ ରାଧାରାଣୀ ନିଜେ କିପରି ହୋଇଥିବେ ବୋଲି ରୁକ୍ମିଣୀ ମନେମନେ ଭାବୁଥିଲେ। ଶେଷରେ ରୁକ୍ମିଣୀ ଯାଇ ରାଧାଜୀଙ୍କ କୋଠରୀରେ ପହଞ୍ଚିଥିଲେ। ରାଧାଜୀଙ୍କୁ ଦେଖିଲେ। ଅତ୍ୟନ୍ତ ସୁନ୍ଦରୀ, ଦୀପ୍ତିମୟୀ, ତେଜସ୍ୱୀ, ଯାହାର ଚେହେରା ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା। ରୁକ୍ମିଣୀ ହଠାତ୍ ତାଙ୍କ ପାଦତଳେ ପଡ଼ିଗଲେ। କିନ୍ତୁ, ଏ’ କ’ଣ? ରାଧାଜୀଙ୍କର ସମଗ୍ର ଶରୀରରେ ସିଝିଗଲା ପରି ଫୁଲା ଦାଗ ଗୁଡ଼ିକ ଦେଖି ରୁକ୍ମିଣୀ ଆଶ୍ଚର୍ଯ୍ୟ ହୋଇଗଲେ! ରୁକ୍ମିଣୀ ପଚାରିଲେ ଏ’ କ’ଣ? ରାଧାଜୀ’ କହିଲେ ଦେବୀ, ଗତକାଲି ତୁମେ କୃଷ୍ଣଜୀଙ୍କୁ ଦେଇଥିବା କ୍ଷୀର ଅଧିକ ଗରମ ଥିଲା। ଯାହା ତାଙ୍କ ହୃଦୟରେ ଫୁଲା ସୃଷ୍ଟି କରିଥିଲା ଏବଂ ମୁଁ ତ’ ତାଙ୍କ ହୃଦୟରେ ସର୍ବଦା ବାସ କରେ!
ଶ୍ରୀକୃଷ୍ଣ ଆହ୍ଲାଦିନୀ, ପ୍ରେମଶୀଳା, ଅନନ୍ୟ ସୌନ୍ଦର୍ଯ୍ୟମୟୀ, ଆଦିଶକ୍ତି ପ୍ରକୃତି ସ୍ବରୂପିଣୀ ଶ୍ରୀରାଧାଙ୍କ ପ୍ରେମ ଓ ଭକ୍ତିକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। କାହିଁ ରାଧାଙ୍କର କୃଷ୍ଣ ପ୍ରେମ, ଆଉ କାହିଁ ଶବ୍ଦ ସମ୍ଭାରର ଅତ୍ୟଳ୍ପ ସାମର୍ଥ୍ୟ! ରାଧାଙ୍କ ପ୍ରେମ ଥିଲା ମହାଭାବର ଅନନ୍ତ ବିସ୍ତାର। ରାଧା ଥିଲେ ଶ୍ରୀକୃଷ୍ଣଙ୍କ ମହାରାଗର ଶାଶ୍ବତ ମହାରାସ। ମହାରାସ ଏକ ଶବ୍ଦ ନୁହେଁ, ଏହା ଆଧ୍ୟାତ୍ମର ଶିଖର ଉପରେ ଆହ୍ଲାଦିନୀ ନର୍ତ୍ତନ, କଳାମାନଙ୍କ ସହିତ ରମଣ, ଆତ୍ମାମାନଙ୍କର ପରମାତ୍ମାଙ୍କ ସହ ମିଳନ। ଏହି ମହାରାସ ଚିରଶାଶ୍ବତ, ଅସମାପ୍ତ, ଅଚ୍ୟୁତ ଏବଂ ପୂର୍ଣ୍ଣରେ ପୂର୍ଣ୍ଣତାର ପ୍ରତୀକ। ବ୍ରଜକ୍ଷେତ୍ରରେ ରାଧା ହିଁ କୃଷ୍ଣ ପ୍ରେମର ସମସ୍ତ ରହସ୍ୟର କେନ୍ଦ୍ରବିନ୍ଦୁ ଥିଲେ। ରାଧା କୃଷ୍ଣ ଭକ୍ତି ସହ କୃଷ୍ଣ ପ୍ରେମର ଅପୂର୍ବ ଓ ନିର୍ମଳ ସଙ୍ଗମ ଥିଲେ। ସେଇ ବୃଷଭାନୁ କନ୍ୟା ଏବଂ କୃଷ୍ଣଙ୍କ ମଧ୍ୟରେ ନଥିଲା କୌଣସି ପ୍ରଭେଦ। ରାଧା ହିଁ କୃଷ୍ଣ ହିଁ ଥିଲେ ରାଧା!
/- ଦେବଦତ୍ତ ରଥ