Odiapua.com

ଆତ୍ମଘାତୀ ଆଇଟି ସେଲ୍: ଅପରାଜିତାଙ୍କୁ ଟାର୍ଗେଟ୍ କରିବା ପରେ ମହିଳା ମୋର୍ଚ୍ଚା ଉପରେ ପ୍ରଶ୍ନ ବାଣ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିବା ବିଜେପି ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକାଙ୍କୁ ଟାର୍ଗେଟ୍ କରିଛନ୍ତି ଜଣେ ବିଜେପି ଯୁବା ନେତ୍ରୀ ଅର୍ଚ୍ଚନା ମହାନ୍ତି। ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକାଙ୍କୁ ଟାର୍ଗେଟ୍ କରିବା ସହ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସମେତ ରାଜ୍ୟ ସଭାନେତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଅର୍ଚ୍ଚନା। ସାଙ୍ଗଠନିକ ପଦବୀରେ ରହି ନିଜ ଦଳର ଜଣେ ସାଂସଦ ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ସାର୍ବଜନୀନ ଭାବରେ ସୋସିଆଲ୍ ମିଡିଆରେ ଆକ୍ଷେପ କରି ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଏହା ଦ୍ୱାରା ଦଳର ଅନ୍ତଃକନ୍ଦଳ ପଦାରେ ପଡ଼ୁଛି ଯାହା ଦଳର ଅପୂରଣୀୟ କ୍ଷତି ଘଟାଉଛି ବୋଲି କହିବା ସହ ସେ ନିଜ ମନ୍ତବ୍ୟରୁ ଓହରୀ ଆସନ୍ତୁ। ନଚେତ୍ ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବୀ କରିଛନ୍ତି ଅର୍ଚ୍ଚନା ମହାନ୍ତି। ଏହା ସହ ଏହା ଉପରେ ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇବା ସହ ଦଳ ଭିତରେ ଏଭଳି ବିଶୃଙ୍ଖଳା ସୃଷ୍ଟିକାରୀକୁ ତାଗିତ୍ କରିବା ପରିବର୍ତ୍ତେ ନିଜ ଜନ୍ମଦିନ ପାଳନ କରି ସଂପୃକ୍ତ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ କେକ୍ ଖୁଆଇବାକୁ ନେଇ ତାତ୍ସଲ୍ୟ କରିଛନ୍ତି ଅର୍ଚ୍ଚନା।ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଷୟରେ କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ତେଣୁ ଏହା ଭିତରେ ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଏପରି ପୋଷ୍ଟ୍ କରିଛନ୍ତି, ନାଁ ଏପରି ପୋଷ୍ଟ୍ କରିବାକୁ ତାଙ୍କୁ ସିଆଡ଼ୁ ଲିଖିତ ନିର୍ଦ୍ଦେଶ ଆସିଛି ତାହା ସନ୍ଦେହରେ ରହିଛି। ସେଥିରେ ପୁଣି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ମୌନ ରହିଛନ୍ତି। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ନିଜ ଦଳର ଜଣେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ପ୍ରତି ଆକ୍ଷେପମୂଳକ ପୋଷ୍ଟ୍ ଉପରେ ରାଜ୍ୟ ସଭାନେତ୍ରୀଙ୍କ ସମର୍ଥନ ରହିଛି, ନାଁ ମହିଳା ମୋର୍ଚ୍ଚା ତାଙ୍କ କଣ୍ଟ୍ରୋଲରେ ନାହିଁ, ଏମିତିରେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ଭିତରେ ସଂପୃକ୍ତ ଆଇଟି ସେଲ୍ ସଂଯୋଜିକା ଜଣଙ୍କ କେବଳ ଯେ ଅପରାଜିତାଙ୍କୁ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି ତାହା ନୁହେଁ, ସେ କୁଆଡ଼େ ସାଂସଦ ଅପରାଜିତାଙ୍କ ଉଦ୍ଦେଶ୍ୟରେ ଅନେକ ଅପଶବ୍ଦ କହିବା ସହ ତାଙ୍କ ଚରିତ୍ର ସଂହାର କଲା ପରି ଅନେକ ଗୁଡ଼ିଏ ଅରୁଚିକର ମନ୍ତବ୍ୟ ବିଭିନ୍ନ ମାଧ୍ୟମରେ ଦେଇଛନ୍ତି ବୋଲି ଜଣାପଡ଼ିଛି। ଏହି ଘଟଣା ଏବେ ଦଳ ଭିତରେ ଖୁବ୍ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି।
-/DevDrath