ଭୁବନେଶ୍ୱର: ଦେବସ୍ନାନ ପୂର୍ଣ୍ଣିମା ପରେ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପଡ଼ିଯାଆନ୍ତି। ଭକ୍ତମାନଙ୍କ ଠାରୁ ୧୪ ଦିନ କାଳ ଦୂରେଇ ଅଣସରରେ ରୁହନ୍ତି ମହାପ୍ରଭୁ। ଦେବସ୍ନାନ ପୂର୍ଣ୍ଣିମା ପର ଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଜ୍ଵରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି କାଳକୁ ଅଣସର ବା ଅନବସର କୁହାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ପ୍ରତିମା ଉପରେ ସୁନା କୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ। ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ସେମାନଙ୍କୁ ଜ୍ଵର ହୋଇଯାଏ। ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁର ମାନଙ୍କୁ ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଅଣସର (ଅନବସର) ଘରକୁ ନେଇଯାଆନ୍ତି। ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ। ଅଣସର ଘରେ କେବଳ କିଛି ଦଇତା ସେବକମାନେ ସେବାକାର୍ଯ୍ୟ କରନ୍ତି।
ସାଧାରଣ ଅଣସର ଏବଂ ମହାଅଣସର –
ମହାପ୍ରଭୁଙ୍କ ଅଣସର ଦୁଇ ପ୍ରକାରର। ସାଧାରଣ ଅଣସର ଏବଂ ମହାଅଣସର। ଅଣସର ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ। ଏଥିରେ ଶ୍ରୀଜୀଉମାନେ ଅସୁସ୍ଥ ହୋଇ ପଡ଼ିବା ପରେ ୧୪ ଦିନ ପାଇଁ ଅଣସରରେ ଅନବସର ଗୃହରେ ଅବସ୍ଥାନ କରନ୍ତି। କିନ୍ତୁ, ମହାଅଣସର ୪୫ ଦିନ ପାଇଁ ପ୍ରତି ନବକଳେବର ପୂର୍ବରୁ ପାଳିତ ହୁଏ। ଏହି ସମୟରେ କେବଳ କେତେକ ନିର୍ଦ୍ଦିଷ୍ଟ ଦଇତାପତି, ପତି ମହାପାତ୍ର ଏବଂ ଦତ୍ତ ମହାପାତ୍ର ସେବକ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଜଡ଼ିତ ଥାଆନ୍ତି। ମହାପ୍ରଭୁଙ୍କର ଏହା ସମ୍ପୁର୍ଣ୍ଣ ଗୁପ୍ତ ଲୀଳା। ମହାଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ। ନବକଳେବରରେ ମହାପ୍ରଭୁଙ୍କର ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟି ପରିବେଷ୍ଠିତ ଅସ୍ଥାୟୀ ଗୃହକୁ ମହାଅଣସର ଗୃହ ବା ନିରୋଧନ ଗୃହ କୁହାଯାଏ। ମହାଅଣସର ଗୃହରେ ସମ୍ପାଦିତ ନୀତିକୁ ମହାଅଣସର ନୀତି କୁହାଯାଏ। ମହାଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ ପାଇଁ ଏକ ଛୋଟ ତାଟି ଦ୍ୱାର ଥାଏ ଏହାକୁ ଧୁକୁଡ଼ି ଦ୍ୱାର କୁହାଯାଏ। ଏହି ଦୁଆର ଦେଇ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାଆନ୍ତି।
କ୍ୱାରେଣ୍ଟାଇନ୍ ଏବଂ ମହାପ୍ରଭୁଙ୍କ ଅଣସର; ଅନେକ ସାମଞ୍ଜସ୍ୟ –
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି। କରୋନା ଲକ୍ଷଣ ଦେଖା ଦେଉଥିବା ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି। କରୋନା ପଜେଟିଭ୍ ଚିହ୍ନଟ ମାନଙ୍କୁ କ୍ୱାରେଣ୍ଟାଇନ୍ ହଲ୍ (ସଙ୍ଗରୋଧ ଗୃହ)ରେ ରଖାଯାଇ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି। ଯେପରି ମହାପ୍ରଭୁ ରୁହନ୍ତି ଅଣସର ଘରେ କିମ୍ବା ନବ କଳେବର ସମୟରେ ମହାଅଣସର ବା ନିରୋଧନ ଘରେ। ମହାପ୍ରଭୁ ଅସୁସ୍ଥ ହୋଇ ପଡ଼ିବା ପରେ ଭକ୍ତମାନଙ୍କ ଠାରୁ ଦୂରେଇ ସାମାଜିକ ଦୂରତା ରକ୍ଷା କରି ୧୪ ଦିନ ପାଇଁ ଅଣସରରେ ଅନବସର ଘରେ ରୁହନ୍ତି। କରୋନା ଆକ୍ରାନ୍ତ ରୋଗୀଙ୍କୁ ଯେପରି ସାମାଜିକ ଦୂରତା ରକ୍ଷା କରି ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ହଲରେ ସ୍ୱତନ୍ତ୍ର ଚିକିତ୍ସା ଦିଆଯାଏ ଏବଂ ସେଠାକୁ କେବଳ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରବେଶ ଅନୁମତି ଥାଏ, ଠିକ୍ ସେହିପରି ମହାପ୍ରଭୁଙ୍କ ଅଣସର ସମୟରେ ପାରମ୍ପାରିକ ଉପଚାର କରାଯାଏ। ଅଣସର ଘରେ କେବଳ କିଛି ଦଇତା ସେବକ ମହାପ୍ରଭୁଙ୍କ ସେବାକାର୍ଯ୍ୟ କରନ୍ତି। କରୋନା ମୁକାବିଲା ଦିଗରେ ଯେଉଁ ସବୁ ଉଦାହରଣ ଦେଉଥିଲେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ। ସେହିପରି କରୋନା ମହାମାରୀ ଆତଙ୍କ ପାଇଁ ଯେପରି ଅଧିକ ଦିନ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲକ୍ ଡାଉନ୍ ଅବଧି ବଢ଼ାଗଲା, ଅଧିକ ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଗଲା, ଠିକ୍ ସେହିପରି ନବକଳେବର ବେଳେ ମହାପ୍ରଭୁଙ୍କ ମହାଅଣସର ଅବଧି ମଧ୍ୟ ଅଧିକ ଦିନ। ୪୫ ଦିନର ମହାପ୍ରଭୁଙ୍କ ଲୀଳା। ନବକଳେବର ସମୟରେ ଦୀର୍ଘ ଅବଧି ଧରି ଭକ୍ତମାନଙ୍କ ଠାରୁ ଦୂରେଇ ରହି ସାମାଜିକ ଦୂରତା ପାଳନ କରି ମହାଅଣସରରେ ରୁହନ୍ତି ମହାପ୍ରଭୁ। ଅଣସର ଘରେ କେବଳ କିଛି ଦଇତା ସେବକମାନେ ସେବାକାର୍ଯ୍ୟ କରନ୍ତି ଏବଂ ମହାଅଣସର ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ ଦଇତା ଓ ପତି ମହାପାତ୍ର ସେବକ ଗୁପ୍ତ ନୀତି ନିମନ୍ତେ ମହାଅଣସର ଗୃହ ବା ନିରୋଧନ ଗୃହ ଭିତରକୁ ପ୍ରବେଶ କରିଥାଆନ୍ତି। ବାସ୍ତବରେ ମହାପ୍ରଭୁଙ୍କ ବଡ଼ ବିଚିତ୍ର ଏ’ ଲୀଳା। ମହାପ୍ରଭୁଙ୍କ ଠାରୁ ଶିଖି ଅଣସର ଏବଂ ମହାଅଣସର ସମୟରେ ମହାପ୍ରଭୁ ସାମାଜିକ ଦୂରତା ରକ୍ଷା କରୁଥିବା ପରି କରୋନା ମହାମାରୀରୁ ବଞ୍ଚିବା ପାଇଁ ଆମେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ନିୟମ କଡ଼ାକଡ଼ି ଭାବରେ ପାଳନ କରିବା ଉଚିତ୍। /-ଦେବଦତ୍ତ ରଥ