Odiapua.com

ଏଣିକି ଦୋକାନରେ ମିଳିବ କେବଳ ଶୁଦ୍ଧ ଶୋରିଷ ତେଲ; ଜାଣନ୍ତୁ କାହିଁକି ହେଲା ଏପରି ନିଷ୍ପତ୍ତି ..

ନୂଆଦିଲ୍ଲୀ: ସାଧାରଣ ଘରେ ବ୍ୟବହୃତ ସୋରିଷ ତେଲରେ ଅନ୍ୟ କୌଣସି ଖାଇବା ତେଲର ମିଶ୍ରଣକୁ ୨୦୨୦, ଅକ୍ଟୋବର ୧ ତାରିଖରୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଖାଦ୍ୟ ନିୟାମକ FSSAI ଏ’ ବାବଦରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ସମସ୍ତ ରାଜ୍ୟ ଏବଂ ୟୁନିଅନ୍ ଟେରିଟୋରୀ (କେନ୍ଦ୍ର ଶାସିତ ଅଞ୍ଚଳ)ର ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଲେଖିଥିବା ଚିଠିରେ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଦେଶରେ ସୋରିଷ ତେଲ ସହିତ ଅନ୍ୟ କୌଣସି ଖାଇବା ତେଲର ମିଶ୍ରଣ ଉପରେ ଅକ୍ଟୋବର ୧ ତାରିଖ ଠାରୁ ସମ୍ପୂର୍ଣ୍ଣ ନିଷେଧ ନିଷେଧାଦେଶ ଜାରୀ କରିଛି। ଚିଠିରେ ଦର୍ଶାଯାଇଛି ଯେ ଖାଇବା ତେଲ ଉତ୍ପାଦନକାରୀ କିମ୍ବା ପ୍ରୋସେସର ସଂସ୍ଥା, ଯେଉଁ ମାନଙ୍କର ସୋରିଷ ତେଲ ମିଶ୍ରଣ ସହିତ ବନସ୍ପତି ଖାଇବା ତେଲ ଉତ୍ପାଦନ କରିବାର ଲାଇସେନ୍ସ ଅଛି, ସେମାନଙ୍କ ପାଖରେ ଥିବା ସୋରିଷ ତେଲ, ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଖାଇବା ତେଲର ଷ୍ଟକ୍ ରହିଛି ସେମାନେ ବିନା ମିଶ୍ରଣ ଖାଇବା ତେଲ ଭାବରେ ବିକ୍ରି କରନ୍ତୁ। ଏହାସହ ସମସ୍ତ ଲାଇସେନ୍ସଧାରୀଙ୍କୁ ସେମାନଙ୍କର FSSAI ଲାଇସେନ୍ସରେ ଆବଶ୍ୟକୀୟ ସୁଧାର କରିବାକୁ କୁହାଯାଇଛି। FSSAI ନିୟମ ଅନୁଯାୟୀ, ଦୁଇଟି ଖାଇବା ତେଲକୁ ମିଶ୍ରଣ କରିବାକୁ ଅନୁମତି ଦିଆଯାଏ। କିନ୍ତୁ, ଏଥିରେ ବ୍ୟବହୃତ ଯେ କୌଣସି ଖାଇବା ତେଲର ଅନୁପାତ ଓଜନ ଅନୁଯାୟୀ ୨୦ ପ୍ରତିଶତରୁ କମ୍ ହେବା ଉଚିତ୍ ନୁହେଁ।

ସୋରିଷ ତେଲ ଉତ୍ପାଦନ ବିକ୍ରିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ସରକାର –
ନିୟାମକ କହିଛନ୍ତି ଯେ ବ୍ୟାପକ ବିଚାରବିମର୍ଷ ପରେ ସୋରିଷ ତେଲରେ ଅନ୍ୟ କୌଣସି ତେଲର ମିଶ୍ରଣ ଉପରେ ପ୍ରତିବନ୍ଧ ଲଗାଇବାକୁ ସରକାର FSSAIକୁ କହିଛନ୍ତି। ସରକାର କହିଛନ୍ତି ଯେ ଜନସାଧାରଣଙ୍କ ସ୍ୱାର୍ଥରେ ଘରୋଇ ବ୍ୟବହାର ପାଇଁ ଶୁଦ୍ଧ ସୋରିଷ ତେଲ ଉତ୍ପାଦନ ଏବଂ ବିକ୍ରୟକୁ ଉତ୍ସାହିତ କରାଯିବା ଉଚିତ୍। FSSAI କହିଛି ଯେ ଏହି ପରିପ୍ରେକ୍ଷୀରେ ଏକ ନିୟମାବଳୀ ଉପରେ କାର୍ଯ୍ୟ ଚାଲିଛି। ଅଂଶୀଦାର ମାନଙ୍କଠାରୁ ମତାମତ ନେବା ପରେ ନିୟମ ଚୂଡ଼ାନ୍ତ ନିୟମ କରିବାକୁ କିଛି ସମୟ ଲାଗିବ। ତେଲ ଶିଳ୍ପର ବ୍ୟବସାୟୀମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ଦିଗରେ ସଠିକ୍ ପଦକ୍ଷେପ ବୋଲି କହିଛନ୍ତି। ଏହାଦ୍ୱାରା ସୋରିଷ ଉତ୍ପାଦନ କରୁଥିବା ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଭଲ ମୂଲ୍ୟ ପାଇବାରେ ସାହାଯ୍ୟ କରିବ। /- ଦେବଦତ୍ତ ରଥ